ପୁଲିସ ଓ ଜିଲ୍ଲା ପ୍ରଶାସନର ଜାଣତରେ ଲଘୁ ଖଣିଜ ଚୋରି ହେଉଛି: ପ୍ରଦୀପ ମାଝୀ

ମୋଟୁ ଆଇଆଇସି ଭିଜିଲାନ୍ସ ଜାଲରେ ପଡିବା ସ୍ପଷ୍ଟ କଲେ କଂଗ୍ରେସ ନେତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଭରପୁର ଖଣିଜ ସଂପଦ ଭରି ରହିଛି। ଏହି ଲଘୁ ଖଣିଜ ଉପରେ ଏବେ ପଡୋଶୀ ରାଜ୍ୟର ମାଫିଆ ମାନଙ୍କର ଲୋଲୁପ ଦୃଷ୍ଟି ରହିଛି। ଗତ ଦୁଇବର୍ଷ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ବାର୍ଟଜ ଭଳି ମୂଲ୍ୟବାନ ପଥର ରହିଥିବା ପଡୋଶୀ ରାଜ୍ୟର ମାଫିଆ ମାନେ ଜାଣିବା ସହ ସେହି ଅଂଚଳରେ ପଶି ପଥର ଖୋଳି ନେବାରେ ସଫଳ ହେଉଛନ୍ତି କିନ୍ତୁ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଜାଣି ପାରୁନାହାଁନ୍ତି ବୋଲି ସଫେଇ ଦେଉଛନ୍ତି ବୋଲି ଆଜି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଜିଲ୍ଲାରେ ପ୍ରତ୍ୟେକ ଦିନ ଖଣିଜ ସଂପତ୍ତି ଚୋରି ହେଉଥିବା ନେଇ ଅଭିଯୋଗ କରାଯିବା ସହ ଆନ୍ଦୋଳନ କରୁଥିଲେ ମଧ୍ୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେବା ସାଧାରଣରେ ସଂଦେହ ସୃଷ୍ଟି କରିଛି। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଭିଜିଲାନ୍ସ ଜାଲରେ ପଡିବା ସହ ତାଂକର କାରରୁ ୨ ଲକ୍ଷ ୮୦ ହଜାର ଟଂକା ଜବତ କରାଯାଇଛି। ତେବେ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଜିଲ୍ଲାରୁ ଖଣିଜ ସଂପତ୍ତି ଲୁଟ ପଛରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ସିଧାସଳଖ ସଂଶ୍ଲିଷ୍ଟ।

ଗତ କିଛିଦିନ ତଳେ ମୋଟୁ ଠାରେ ଭିଜି ଗ୍ରାନାଏଟର ୯ଟି ପଥର ଲଦା ଯାଇଥିବା ଗାଡିକୁ ଅଟକାଇବା ଏବଂ ପରେ ତରବରିଆ ଭାବେ ଛାଡିଦେବା ସଂଦେହ ସୃଷ୍ଟି କରିଥିଲା। ଯାହା ଗତକାଲି ଭିଜିଲାନ୍ସ ଜାଲରେ ପଡିବା ପରେ ସ୍ପଷ୍ଟ ହେଲା। ଏଥିରୁ ପ୍ରମାଣିତ କରୁଛି ଯେ ସମସ୍ତେ ମିଳିମିଶି ଖଣିଜ ସଂପତ୍ତି ଲୁଟ କରି ଚାଲିଛନ୍ତି ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

ମୋଟୁରେ ପୁଲିସ ଧରିଥିବା ୯ଟି ଗାଡିକୁ ନ ଛାଡିବା ପାଇଁ ଫୋନ ଯୋଗେ ଏସ୍‌ପି ଏବଂ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ତରବରିଆ ଭାବେ ଛାଡି ଦିଆଯାଇଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି। ତେବେ ମୋଟୁ ଆଇଆଇସି ଏବଂ ତହସିଲଦାରଙ୍କ ଭୁମିକା ଏଠାରେ ସଂଦେହ ଜନକ ରହିଛି। ଏହାର ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି ସେ କହିଛନ୍ତି। ଜିଲ୍ଲାରୁ ଖଣିଜ ସଂପଦ ଲୁଟ ହେଉଛି କିନ୍ତୁ କେହି ଜାଣୁନାହାଁନ୍ତି ନା ଜାଣି ଅଜଣା ହେଉଛନ୍ତି ତୁରନ୍ତ ଏଦିଗରେ ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ମାଝୀ ଦାବି କରିଛନ୍ତି। ଖଣିଜ ସଂପଦ ଲୁଟ ହେବା ରୋକିବାକୁ ହେଲେ ଜିଲ୍ଲାରେ ତୁରନ୍ତ ମାଇନିଂ ଅଫିସ ଖୋଲିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର