ସଡକ ଦୁର୍ଘଟଣାରେ ପ୍ରଧାନ ଆଚାର୍ଯ୍ୟଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚତୁର୍ଭୂଜ ଚାଉଳିଆ(୪୩)ଙ୍କ ଶନିବାର ସକାଳେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରଧାନ ଆଚାର୍ଯ୍ୟଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପ୍ରାପ୍ତ ସୂଚନା ମତେ ସେ ବୁଧବାର ସକାଳେ ନିଜ ମୋଟର ସାଇକେଲ ଯୋଗେ ପୁଅକୁ ଧରି ସଙ୍କୁଲୋଇ ସ୍ଥିତ ଘରୁ ବାହାରି ଶିଶୁମନ୍ଦିରକୁ ଆସୁଥିବା ବେଳେ ଗ୍ରାମର ପତ୍ରଫଡି ନିକଟସ୍ଥରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ମିନିଟ୍ରକ (ଓଆର-୦୭-ଏ ଏସ-୭୩୨୯) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ସେ ଏବଂ ତାଙ୍କ ପୁଅବୋହୂ ଦୂରକୁ ଛିଟିକି ପଡିଥିଲେ।

ତେବେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଶିକ୍ଷକ ଜଣକ ରକ୍ତ ଜୁଡୁବୁଡୁ ହୋଇ ଶୋଚନୀୟ ଅବସ୍ଥାରେ ପଡିରହିଥିବା ବେଳେ ସୌଭାଗ୍ୟ ବଶତଃ ପିଲାଟି ସାମାନ୍ୟ ଆହତ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ମିନିଟ୍ରକ ଡ୍ରାଇଭର ମାନବିକତା ଦୃଷ୍ଟିରୁ ତାଙ୍କୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ନେବା ପରିବର୍ତ୍ତେ ଓଲଟି ଘଟଣାସ୍ଥଳରୁ ଫେରାର ମାରିଥିଲା।

ପୁରୁଣାକଟକ ପୁଲିସ ଗାଡିକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ହରଭଙ୍ଗା ଥାନାକୁ ହସ୍ତାନ୍ତର କରିଛି। ଖବର ପାଇ ପରିବାର ଓ ଗାଁ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଓ ତାଙ୍କ ପୁଅକୁ ଆମ୍ବୁଲାନ୍‌ସ ଯୋଗେ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ। ଆଚାର୍ଯ୍ୟଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗି ଅଧିକ ରକ୍ତସ୍ରାବ ଘଟି ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ତୁରନ୍ତ ବୁର୍ଲା ସ୍ଥିତ ଭୀମସାର ବଡ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ପ୍ରଧାନ ଆଚାର୍ଯ୍ୟଙ୍କ ପରିବାରରେ ଦୁଇ ପୁଅ ଓ ସ୍ତ୍ରୀ ଅଛନ୍ତି।

ସମ୍ବନ୍ଧିତ ଖବର