ରାଜନୀତି ଚକ୍ରବ୍ୟୁହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ୩ ସହରାଞ୍ଚଳରେ ଆଣ୍ଠେଇଛି, ଆରମ୍ଭ ହୋଇପାରୁନି ୯୨୯ ଗୃହ
ଝାଟିମାଟି ଘରେ ବିତୁଛି ଯୋଗ୍ୟ ହିତାଧିକାରୀଙ୍କ ଦିନ
ରାୟଗଡ଼ା: ରାଜନୈତିକ ଚକ୍ରବ୍ୟୁହରେ ଫସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କାର୍ଯ୍ୟାଦେଶ ସତ୍ତ୍ବେ ରାୟଗଡ଼ା ଜିଲ୍ଲାର ୩ ପୌରାଞ୍ଚଳରେ ଏହି ଯୋଜନାର ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତି ଏହାକୁ ପ୍ରମାଣିତ କରିଛି। ୫ ବର୍ଷ ଧରି ଗୃହ ନିର୍ମାଣ ଚାଲିଥିଲେ ମଧ୍ୟ ସରିପାରୁନଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ପାଇଁ ଚାହିଁ ରହିଥିବା ଗରିବ, ଗୁରୁବାଙ୍କ ଦିନ ଝାଟିମାଟି ଘରେ ବିତୁଛି। ଗୁଣପୁର, ଗୁଡାରି, ରାୟଗଡ଼ାରେ ୯୨୯ ଗୃହ ନିର୍ମାଣ ଆରମ୍ଭ ହୋଇନଥିବା ବେଳେ ୯୧୦ ଘର ଦରଖଣ୍ଡିଆ ହୋଇ ପଡିଛି। ସହରାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାଯାଇଛି। ୨୦୧୬ରୁ ୨୦୨୨ ମଧ୍ୟରେ ରାୟଗଡ଼ା, ଗୁଣପୁର, ଗୁଡାରି ପୌରାଞ୍ଚଳର ୨୭୬୯ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। କିନ୍ତୁ ଜୁଲାଇ ସୁଦ୍ଧା ୧୨୨୦ (୪୪ ପ୍ରତିଶତ) ଗୃହ ନିର୍ମାଣ ଶେଷ ହୋଇଛି। ୯୧୦ ହିତାଧିକାରୀଙ୍କ ଗୃହ ନିର୍ମାଣ ଚାଲିଥିବା ବେଳେ ୯୨୯ ଗୃହର ନିର୍ମାଣ କାର୍ଯ୍ୟ ଆଜି ସୁଦ୍ଧା ଆରମ୍ଭ ହୋଇପାରିନି। ଗୁଣପୁର, ଗୁଡାରି ପୌରାଞ୍ଚଳରେ ପିଏମଏୱାଇ ଯୋଜନାର ସ୍ଥିତି ନିରାଶଜନକ ରହିଛି।
ଗୁଡାରି ପୌରାଞ୍ଚଳରେ ଗତ ୫ ବର୍ଷ ମଧ୍ୟରେ କାର୍ଯ୍ୟାଦେଶ ଦିଆଯାଇଥିବା ୩୯୯ ହିତାଧିକାରୀଙ୍କ ମଧ୍ୟରୁ ୧୮୪ ଜଣଙ୍କ ଗୃହ ନିର୍ମାଣ ଶେଷ ହୋଇଛି। ୧୯୭ଟି ଘର ଅଧପନ୍ତରିଆ ଅବସ୍ଥାରେ ରହିଛି। ୨୭ଟି ଗୃହ ନିର୍ମାଣ ଆଦେଶ ମିଳିବା ସତ୍ତ୍ବେ ଆରମ୍ଭ ହୋଇପାରିନି। ଗୁଣପୁର ପୌରାଞ୍ଚଳରେ ୮୯୫ ହିତାଧିକାରୀଙ୍କ ମଧ୍ୟରୁ ୩୧୩ ଗୃହ ନିର୍ମାଣର ସରିଛି। ୩୦୭ ଗୃହର ନିର୍ମାଣ କାମ ଚାଲିଛି। ତେବେ ୫୫୫ ହିତାଧିକାରୀ ଆବାସ ଯୋଜନାରେ ନିର୍ମାଣ ଆଦେଶ ପାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇପାରିନି। ୨୦୧୯ରେ କାର୍ଯ୍ୟାଦେଶ ମିଳିଥିବା ୧୭, ୨୦୨୧ର ୭, ୨୦୨୨ର ୫୩୧ ଏପରି ମୋଟ ୫୫୫ ଗୃହ ନିର୍ମାଣ ଆରମ୍ଭ ନ ହୋଇ ପଡିଛି। ରାୟଗଡ଼ା ପୌରାଞ୍ଚଳରେ ମଧ୍ୟ ସ୍ଥିତି ତଦ୍ରୁପ। କାର୍ଯ୍ୟାଦେଶ ପାଇଥିବା ୧୪୭୫ ହିତାଧିକାରୀଙ୍କ ମଧ୍ୟରୁ ୭୨୩ ଗୃହ ନିର୍ମାଣ ସାରିଛନ୍ତି। ୪୦୭ ଘରର ନିର୍ମାଣ କାର୍ଯ୍ୟ ଚାଲିଛି। ୩୪୭ ଘରର ନିର୍ମାଣ ଏଯାବତ୍ ଆରମ୍ଭ ହୋଇପାରିନି। ୨୦୧୯ରେ କାର୍ଯ୍ୟାଦେଶ ପାଇଥିବା ଗୋଟିଏ ଘର, ୨୦୨୦ର ୪୨, ୨୦୨୧ର ୧୭, ୨୦୨୨ର ୨୮୭ ଗୃହ ନିର୍ମାଣ ଆରମ୍ଭ ହୋଇପାରୁନି।
ରାୟଗଡ଼ା, ଗୁଣପୁର ପୌରାଞ୍ଚଳରେ ବସ୍ତି ବାସିନ୍ଦାଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାୟଗଡ଼ା ରେଳ ଡିଭିଜନ୍ ପାଇଁ ବସ୍ତି ଉଚ୍ଛେଦ ପରେ ବହୁ ପରିବାର ଏବେ ବେସାହାରା ଅବସ୍ଥାରେ ରହିଛନ୍ତି। ରାଜ୍ୟ ସରକାର ଜାଗା ମିଶନ୍ ଯୋଜନାରେ ବସ୍ତି ବାସିନ୍ଦାଙ୍କ ପଟ୍ଟା ପ୍ରଦାନ ସହ ବିଜୁ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଆବାସ ଯୋଜନାର ପରିଚାଳନାରେ ତ୍ରୁଟି ଯୋଗୁ ହିତାଧିକାରୀ ଉପକୃତ ହୋଇପାରୁନାହାନ୍ତି। ରାଜନୈତିକ ହସ୍ତକ୍ଷେପ କାରଣରୁ ଜିଲ୍ଲାର ୩ ପୌରାଞ୍ଚଳରେ ଆବାସ ସ୍ଥିତି ଆଣ୍ଠେଇ ପଡିଛି। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି କିନ୍ତୁ ସନ୍ତୋଷଜନକ ରହିଛି। ୧୧ ବ୍ଲକର ୪୦ ହଜାର ୫୯୩ ହିତାଧିକାରୀ ଯୋଜନାରେ ସାମିଲ୍ ହୋଇଥିବା ବେଳେ ୩୮ ହଜାର ୨୫୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ସେଥି ମଧ୍ୟରୁ ୩୫ ହଜାର ୩୮୧ (୮୭.୨ ପ୍ରତିଶତ) ଗୃହ ନିର୍ମାଣ ଶେଷ ହୋଇଛି। ବାକି ୧୩ ପ୍ରତିଶତ ଗୃହ ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି।