ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଅବକାରୀ ବିଭାଗକୁ ଟାର୍ଗେଟ କଲେ ଲୋକେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବହୁ ଗ୍ରାମ ବିଛିନ୍ନାଞ୍ଚଳରେ ରହିଛି। ବିଭିନ୍ନ ସମୟରେ ଏହି ସ୍ୱାଭିମାନ ଅଞ୍ଚଳର ଲୋକେ ଏକାଠି ହୋଇ ପୁଲିସ ବିରୋଧରେ କିମ୍ବା ଅନ୍ୟ କୌଣସି ଦାବିକୁ ନେଇ ପ୍ରଜାମେଳି କରିଥାନ୍ତି । ତେବେ ଏଥର କିନ୍ତୁ ପୁଲିସ ବିରୋଧରେ ଏକାଠି ନହୋଇ ଅବକାରୀ ବିଭାଗକୁ ଟାର୍ଗେଟ କରାଯାଇଛି।ସେଥିମଧ୍ୟରୁ ଖଡିକାଯୋଡି ଗ୍ରାମରେ ପ୍ରାୟ ୧୫ ଖଣ୍ଡ ଗ୍ରାମର ହଜାର ହଜାର ଲୋକ ରୁଣ୍ଡ ହୋଇ ଅବକାରୀ ବିଭାଗ ବିରୋଧରେ ଗର୍ଜିଥିଲେ। ଏହି ପ୍ରଜାମେଳିରେ ବିଶେଷକରି ଅବକାରୀ ବିଭାଗ ଗଂଜେଇ ଚାଷୀଙ୍କୁ ଟଙ୍କା ନେଇ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ କରାଯାଇଛି।

ଯିଏ ଟଙ୍କା ନଦେବ ସେ ଅବକାରୀ ବିଭାଗର ଆକ୍ରୋଶର ଶିକାର ହେବ ବୋଲି କୁହାଯାଇଛି। ବିନା ଦୋଷରେ ନିରୀହ ଲୋକଙ୍କୁ ଗଂଜେଇ କେଶରେ ଫସାଯାଉଥିବା ଅଭିଯୋଗ କରାଯାଇଥିଲା। ନିଜର ଟାର୍ଗେଟ ପୂରଣ ପାଇଁ ବାରମ୍ବାର ସ୍ୱାଭିମାନ ଅଞ୍ଚଳର ଆଦିବାସୀଙ୍କ ଉପରେ ମିଛ କେଶ କରି ମକଦ୍ଦମା କରୁଥିବା ଅଭିଯୋଗ କରାଯାଇଛି। ଗତ କିଛି ଦିନ ତଳେ ନାକାମାମୁଡି ପଞ୍ଚାୟତର ଗୋଟିଏ ଗ୍ରାମରୁ ଅବକାରୀ ବିଭାଗ ଜଣକ ଘରୁ ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ରଖିଦେଇ ତାଙ୍କୁ ଗଂଜେଇ ମାଫିଆ କହି ମିଥ୍ୟା କେଶରେ ଫସାଇଥିବା ଅଭିଯୋଗ କରାଯାଇଛି।ଏଭଳି ଜୁଲମ ବନ୍ଦ କରିବା ପାଇଁ ଏହି ପ୍ରଜାମେଳିରେ ଦାବି କରାଯାଇଥିଲା। ନଚେତ ଅବକାରୀ ବିଭାଗ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଅଂଚଳବାସୀ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ।

ତେବେ ଗଂଜେଇ ଚାଷକୁ ପ୍ରୋତ୍ସାହନ ଦେଉଥିବା ଅବକାରୀ ବିଭାଗର କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ମିଥ୍ୟା ମକଦ୍ଦମା କରାଯାଇ ଜେଲରେ ଭର୍ତ୍ତି କରିଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ଦାବି କରାଯାଇଛି। ତେବେ ଏନେଇ ଅବକାରୀ ଅଧୀକ୍ଷକ ଅରୁଣ ପାଢୀଙ୍କୁ ପଚରାଯିବାରୁ ସ୍ବାଭିମାନ ଅଂଚଳବାସୀ ଯେଉଁ ଅଭିଯୋଗ କରିଛନ୍ତି ସବୁ ଭିତ୍ତିହୀନ। ଅବକାରୀ ବିଭାଗରେ ସମସ୍ତେ ନୂଆ କର୍ମଚାରୀ। ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ଘରୁ ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ଜବତ କରାଯାଇଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ଲୋକେ ଏହି ଚାଷକୁ ପୁଣି କରିବା ପାଇଁ ଯୋଜନା କରୁଛନ୍ତି। କିନ୍ତୁ ଆଗାମୀ ଦିନରେ ଯଦି ପୁଣି ଖବର ମିଳେ ତେବେ ନିଶ୍ଚିତ ଚଢାଉ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଷକୁ କେବେ ମଧ୍ୟ ପ୍ରୋତ୍ସାହନ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର