ଜୟପୁର: ଜୟପୁର ଟାଉନହଲ ପରିସରରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ (ବବି) ଦାସ ଯୋଗ ଦେଇ ଦଳୀୟ କର୍ମୀ, ମଙ୍ଗ ସମ୍ଭାଳୁଥିବା ନେତା, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ସହ ଚେତାବନୀ ବି ଦେଇଥିଲେ। ଗତ ପଂଚାୟତ ଓ ପୌରନିର୍ବାଚନରେ ଜିଲ୍ଲାରେ ଦଳର ସ୍ଥିତିକୁ ନେଇ ସେ ବିଗିଡିଥିବା ସ୍ପଷ୍ଟ ହୋଇଥିଲା। ଜିଲ୍ଲାପରିଷଦ ୱାରୀ ଓ ସହରର ୱାର୍ଡ ୱାରୀ, ଅଧ୍ୟକ୍ଷ ନିର୍ବାଚନରେ ଦଳର ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ଆସନ୍ତା ୨୦୨୪ରେ ପୁଣିଥରେ ସାଧାରଣ ନିର୍ବାଚନ ହେବ। ଏଥିପୂର୍ବରୁ ଆମର ଭୁଲଭଟକାକୁ ମାନି ନିଜ ମଧ୍ୟରେ ରହିଥିବା ମତାନ୍ତର, ମନାନ୍ତର, ଗୋଷ୍ଠୀ, ବ୍ୟକ୍ତି କେନ୍ଦ୍ରୀକ ଆଦି ଛାଡ଼ି ଦଳର ସଂଗଠନ କିଭଳି ମଜଭୁତ ହେବ ସେ ଦିଗରେ ଦୃଷ୍ଟି ଦିଅ ବୋଲି ସଂଗଠନ ସଂପାଦକ ଶ୍ରୀ ଦାସ ଆହ୍ବାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲା ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନହିତକାରୀ ଯୋଜନା କରୁଥିବା ବେଳେ ସେହି ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କର ବୋଲି କହିଥିଲେ। ତୃଣମୂଳ ସ୍ତରରେ ରହିଥିବା ଲୋକଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବେ ଭାବି ତାହାକୁ ସମାଧାନ କରି ଲୋକଙ୍କର ଆସ୍ଥା ଓ ବିଶ୍ବାସଭାଜନ ହୋଇ କାମ କରିବାକୁ ପଡ଼ିବ ବୋଲି କହିଥିଲେ। ନିଜ ନିଜ ମଧ୍ୟରେ ଅର୍ନ୍ତଘାତୀ ଲଢ଼େଇ କରି ଦଳକୁ କ୍ଷତି ପହଞ୍ଚାଉଥିବା ଯେ କୌଣସି ନେତାଙ୍କୁ ଏଣିକି ଆଉ କ୍ଷମା ଦିଆଯିବ ନାହିଁ ବୋଲି ସଂଗଠନ ସଂପାଦକ ଶ୍ରୀ ଦାସ ଚେତାବନୀ ଦେଇଥିଲେ। କିଛି ଖବର ମିଳିଲେ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ପଂଚାୟତ ଓ ପୌରନିର୍ବାଚନରେ ହୋଇଥିବା ଭୁଲଭଟକାକୁ ନିଜେ ନିଜେ ଅନୁଶୀଳନ କରି କିଭଳି ସଂଗଠନ ତୃଣମୂଳସ୍ତରରୁ ହିଁ ମଜଭୁତ ହେବ ସେ ଦିଗରେ ଚେଷ୍ଟା କର ବୋଲି କହିଥିଲେ।
କୋଟପାଡ଼ ଏନଏସି ଅଧ୍ୟକ୍ଷ ଓ ଜୟପୁର ପୌରଅଧ୍ୟକ୍ଷ ପ୍ରାର୍ଥୀ ହାରିବାର କାରଣ ଖୋଜିବା ସହ ବିଜେଡିର ଅଧିକା କାଉନସିଲର ଜିତି ଉପାଧ୍ୟକ୍ଷ ପଦବୀ ମିଳିଥିବାରୁ ତାହାକୁ ନେଇ ବି ତର୍ଜମା କରିଥିଲେ। ନବନିର୍ବାଚିତ ପଂଚାୟତ ଓ ପୌରସ୍ତରୀୟ ସମସ୍ତ ଲୋକପ୍ରତିନିଧିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେମାନଙ୍କର ଦଳ ପାଇଁ ଦାୟିତ୍ବ ବଢ଼ିବା ସହ ରାତି ଦିନ ଏକ କରି କାମ କରିବାକୁ ପରାମର୍ଶ ଦେଇଥିଲେ ସଂଗଠନ ସଂପାଦକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବରିଷ୍ଠ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୁର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁ ରାମ ପଢ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝୀ, ବରିଷ୍ଠ ନେତ୍ରୀ ଡଃ.ଇନ୍ଦିରା ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ, ପୁର୍ବତନ ପୌର ଉପାଧ୍ୟକ୍ଷ ମୁନ୍ନା ରଥ, ନଗର ବିଜେଡି ସଭାପତି ହର ମିଶ୍ର, ଯୁବନେତା ସତୀଶ ସାହୁ, ଜୟପୁର ପୌର ପରିଷଦ ଉପାଧ୍ୟକ୍ଷା ବି.ସୁନିତା, ଜୟପୁର ବ୍ଲକ୍ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଉପାଧ୍ୟକ୍ଷ ଗଣେଶ ପ୍ରସାଦ ପାଢ଼ୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ସରପଞ୍ଚ, ନବନିର୍ବାଚିତ ଲୋକପ୍ରତନିଧି, ଯୁବ, ଛାତ୍ର,ମହିଳା ସଂଗଠନର କର୍ମକର୍ତ୍ତା ପ୍ରମୁଖ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jpr-bjd-zone-level-meeting-1.jpg)