କରୋନା ସ୍ଥିତି ସମୀକ୍ଷା କଲେ ପ୍ରଣବ ପ୍ରକାଶ ଦାସ

ରାଉରକେଲା: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ଶ୍ରୀ ଦାସ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ହାଇଟେକ୍ ହସପିଟାଲ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ। ହାଇଟେକ୍ କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା, ଆଇସିୟୁ ବ୍ୟବସ୍ଥା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। କହିଲେ, ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚିବା ନିତାନ୍ତ ଜରୁରୀ। ସେମାନଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରାଯାଉ। କରୋନା ମୃତ୍ୟୁହାର ହ୍ରାସ କରିବା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଏହାସହ, ଚିକିତ୍ସାଧୀନ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ନ ହେଉ। ରୋଗୀର ସ୍ବାସ୍ଥ୍ୟବସ୍ଥା ବିଷୟରେ ସଂପର୍କୀୟଙ୍କୁ ନିୟମିତ ଭାବେ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ଜିଲ୍ଲାରେ ବେଡ୍, ଆଇସିୟୁ, ପର୍ଯ୍ୟାପ୍ତ ଡାକ୍ତର ନିଯୁକ୍ତି କରିବାକୁ ପ୍ରତିଶୃୁତି ଦେଇଥିଲେ। ଏହି ଅବସରରେ ଶ୍ରୀ ଦାସ ସ୍ବେଚ୍ଛାସେବୀ ସଂଗଠନ ‘ମିଶନ ରାଉରକେଲା’ର କର୍ମକର୍ତାଙ୍କ ସହ ସାକ୍ଷାତ କରିଥିଲେ। ଆକ୍ରାନ୍ତମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଥିବାରୁ ସଂଗଠନର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର