ବିଳମ୍ବିତ ରାତିରେ ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଖୁଣ୍ଟୁଣୀ: ପ୍ରସିଦ୍ଧ ଶୈବପୀଠ କଟକ ଜିଲ୍ଲା ଆଠଗଡ଼ର ଶ୍ରୀଶ୍ରୀ ବାବା ଧବଳେଶ୍ବରଙ୍କ ପ୍ରସିଦ୍ଧ ବଡ଼ଓଷାର ଗଜଭୋଗ ବିଳମ୍ବିତ ରାତିରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଛି। କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କୁ ପୀଠ ବାରଣ ହୋଇଥିବା ବେଳେ ଗୁରୁବାର ସକାଳୁ ସେବକମାନେ ଗଜଭୋଗକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ଠାକୁରଙ୍କ ପ୍ରିୟ ଗଜଭୋଗ ଲାଗି ପାଇଁ ନୀତିପାଳିଆ ସେବକ ଚିତ୍ତରଞ୍ଜନ ପତ୍ରୀ ଓ ପୂଜକ ସମାଜ ଶୁଦ୍ଧପୂତ ହୋଇ ବୁଧବାର ମଧ୍ୟରାତିରେ ପୀଠ ରୋଷଘରେ ଗଜମଣ୍ଡା ଓ ତରଣ ପ୍ରସ୍ତୁତ କରିଥିଲେ। ରାତି ୨ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ, ଶ୍ରୀମୁଖ ପଖାଳ, ଭିତର ଶୋଧ ନୀତି ଶେଷ ପରେ ୧୦୮ଗରା ସୁବାସିତ ଜଳରେ ପ୍ରଭୁଙ୍କ ସ୍ନାନ, ଫୁଲଚନ୍ଦନ ଅର୍ପଣ ସହ ମଙ୍ଗଳାର୍ପଣ ଖେଚୁଡ଼ି ଭୋଗ ଲାଗି କରାଯିବା ପରେ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ତ୍ରୟୋଦଶୀ-ଚତୁର୍ଦ୍ଦଶୀର ସଂଧିକ୍ଷଣରେ ଠାକୁରଙ୍କ ନିକଟରେ ତାଙ୍କର ପ୍ରିୟ ଭୋଗ ଗଜଭୋଗ ଓ ତରଣ ଲାଗି ହୋଇଥିଲା।

ଆଜି ମହା କାର୍ତ୍ତିକ ମାସର ଚତୁର୍ଥ ପଞ୍ଚକ ଅବସରରେ ପ୍ରଭୁ ଧବଳେଶ୍ବର ହରିହର ବେଶରେ ସଜ୍ଜିତ ହୋଇଥିଲେ। ଆସନ୍ତାକାଲି ମହାକାର୍ତ୍ତିକ ମାସର ଅନ୍ତିମ ଦିବସ ପବିତ୍ର ରାସପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ବର ମହାପ୍ରଭୁ ମନଲୋଭା ଯୋଗୀବେଶରେ ବିଭୂଷିତ ହେବେ ବୋଲି ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର