ରାୟଗଡା: ରାୟଗଡାର ପ୍ରଭାଗୀୟ ଶ୍ରମ ଆୟୁକ୍ତ ପଦବୀ ଦୀର୍ଘ ତିନିବର୍ଷ ଧରି ଖାଲି ପଡିଥିବା ବେଳେ ଏହି ପଦବୀକୁ ପୂରଣ କରିଛନ୍ତି ରାଜ୍ୟ ସରକାର। ନୂତନ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଭାବେ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି ପ୍ରସନ୍ନ କୁମାର ପାଣିଗ୍ରାହୀ। ଗତକାଲି ବୁଧବାର ସେ ନିଜ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିଲ୍ଳା ଶ୍ରମ ଅଧିକାରୀ ଯଶ୍ମୀନ ପ୍ରିୟଦର୍ଶନୀ ସାହୁଙ୍କ ସମେତ ଅତିରିକ୍ତ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ ଓ ଅନ୍ୟମାନେ ସ୍ୱାଗତ ସହ ଶୁଭେଚ୍ଛା ଜଣାଇଥିଲେ। ଗତ ୨୦୨୦ ମସିହା ଅଗଷ୍ଟ ୮ତାରିଖରୁ ଖାଲି ପଡିଥିବା ଏହି ପଦବୀରେ କେହି ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇ ନ ଥିବା ବେଳେ ଶ୍ରମ ଅଧିକାରୀ ଯଶ୍ମୀନ ସାହୁ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ। ତେବେ ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇ ନ ଥିବାରୁ ଅନେକ ଶ୍ରମ କୋର୍ଟ ସମ୍ବନ୍ଧିତ କେସ ଗୁଡିକ ଫଇସଲା ହୋଇ ନପାରି ପଡି ରହିଥିଲା।

Advertisment

ବର୍ତ୍ତମାନ ଶ୍ରୀ ପାଣିଗ୍ରାହୀ ନୂତନ ଭାବେ କାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରମ କୋର୍ଟ କାର୍ଯ୍ୟ ହେବା ସହ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେମେଣ୍ଟ ଅଫ୍ ଗ୍ରେଚ୍ୟୁଟି ଏବଂ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ତଥା କ୍ଷତିପୂରଣ ବାବଦକୁ ଫଇସଲା ନ ହୋଇ ରହିଯାଇଥିବା ସମସ୍ତ ମାମଲା ଗୁଡିକ ଯଥାଶୀଘ୍ର ସମାଧାନ ହୋଇପାରିବ ବୋଲି ଜଣାପଡିଛି। ଶ୍ରୀ ପାଣିଗ୍ରାହୀ ଏଥି ପୂର୍ବରୁ କୋରାପୁଟ ଜିଲ୍ଳା ଶ୍ରମ ଅଧିକାରୀ ଭାବେ ନିଜ ଦାୟିତ୍ୱକୁ ସୂଚାରୂ ରୂପେ ତୁଲାଇ ଆସିଥିବା ବେଳେ ପଦୋନ୍ନତି ପାଇ ସେ ବର୍ତମାନ ରାୟଗଡା ଜିଲ୍ଳା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଏବଂ ଜୟପୁରର ଅତିରିକ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଭାବେ ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିଭିନ୍ନ ଶ୍ରମିକ ସଙ୍ଗଠନ ଗୁଡିକ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।