ପଞ୍ଚାୟତ ଫୋକସ୍‌; ୨ଥର ପୁରସ୍କୃତ, ଅଥଚ ପିଇବା ପାଣି, ସ୍ବାସ୍ଥ୍ୟସେବା ଅପହଞ୍ଚ; ଆଦର୍ଶ ନା ସାବତ ପଞ୍ଚାୟତ

ଏରସମା: ଜଗତସିଂହପୁର ଜିଲ୍ଲାରେ ଦୁଇଦୁଇଥର ଆଦର୍ଶ ପଞ୍ଚାୟତ ଭାବେ ପୁରସ୍କୃତ ଏରସମା ବ୍ଲକ୍‌ର ପଦ୍ମପୁର ପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳଯୋଗାଣ ଓ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ନାହିଁ। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି। ବଙ୍ଗୋପସାଗର ଉପକୂଳରେ ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତର ୨୨ଟି ଓ୍ବାର୍ଡ ଓ ୭ହଜାର ୫ଶହ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ୬୦ ପ୍ରତିଶତ ବେଙ୍ଗଲୀ ସଂପ୍ରଦାୟର ଲୋକ ବସବାସ କରନ୍ତି। ପଞ୍ଚାୟତରେ ୨୫ଭାଗ ଜମିରେ ଧାନ ଚାଷ କରାଯାଉଥିବାବେଳେ ଅବଶିଷ୍ଟ ଜମିରେ ଚିଙ୍ଗୁଡ଼ି ଚାଷ କରାଯାଏ। ସ୍ବାଧୀନତାର ୬୦ବର୍ଷ ପରେ ମଧ୍ୟ ଏହି ପଞ୍ଚାୟତ ସର୍ବନିମ୍ନ ସ୍ବାସ୍ଥ୍ୟସେବା ଓ ପାନୀୟଜଳ ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଜୀବନ ବିତାଉଛନ୍ତି। ଏହି ପଞ୍ଚାୟତ ୨୦୧୨-୧୩ରେ ସରପଞ୍ଚ ସୁନିତା ସାହୁ ଓ ୨୦୧୫/୧୬ରେ କେଶବ ଚନ୍ଦ୍ର ପାତ୍ର ସରପ୍ଚ ଥିବା ବେଳେ ଆଦର୍ଶ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଥିଲା।

୧୯୯୯ ମହାବାତ୍ୟା ଏହି ପଞ୍ଚାୟତରେ ତାଣ୍ତବ ରଚିଥିଲା। ସେଠାରେ ପ୍ରାୟ ୩ହଜାର ଲୋକ ପ୍ରାଣହରାଇଥିଲେ। ମହାବାତ୍ୟା ପରେ ତତ୍‌କାଳୀନ ବିଡିଓ ମୁରଲୀଧର ସ୍ବାଇଁ ଓ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ଉଦ୍ୟମରେ ପଞ୍ଚାୟତର ଶିଆଳି ବେଳାଭୂମିର ବିକାଶ କରାଯାଇ ତାହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏବେ ଶିଆଳି ବେଳାଭୂମି ସରକାରୀଭାବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇସାରିଛି।ଏବେ ପଞ୍ଚାୟତର ସବୁ ଗାଁକୁ ରାସ୍ତା ନିର୍ମାଣ କରାଯାଇଛି। ୧୭ଶହ ଗରିବ ପରିବାରକୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶିକ୍ଷାଦାନ ପାଇଁ ଗୋଟିଏ ସରକାରୀ ହାଇସ୍କୁଲ, ୮ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ଟି ଅଙ୍ଗନବାଡି କେନ୍ଦ୍ର ରହିଛି।

ପଞ୍ଚାୟତରେ ଥିବା ଏକ ସ୍ବାସ୍ଥ୍ୟଉପକେନ୍ଦ୍ର କର୍ମଚାରୀଙ୍କ ମନମୁଖି ଯୋଗୁଁ ଅଧିକାଂଶ ଦିନ ବନ୍ଦ ରହିଥାଏ। ସାମାନ୍ୟ ଅସୁସ୍ଥ ହେଉଥିବା ଲୋକଙ୍କୁ ଏରସମା କିମ୍ବା ୩୦ କିମି.ଦୂର ବାଲିକୁଦା ଡାକ୍ତରଖାନାକୁ ଯିବାକୁ ପଡ଼ିଥାଏ। ଏନେଇ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକଙ୍କୁ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ସୁଫଳ ମିଳୁନାହିଁ। ନଈନାଳ ଘେରା ଓ ସୁମଦ୍ରର ଉତ୍ତଙ୍ଗ ଜଳରାଶି ଗାଁର ମଥା ଛୁଉଁଥିଲେ ହେଁ ପଞ୍ଚାୟତବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଅଞ୍ଚଳର ସବୁ କୂଅ, ପୋଖରୀ ନଳକୂଅ ପାଣି ଲୁଣିଆ ତଥା କ୍ଷାରଯୁକ୍ତ ହୋଇଥିବାରୁ ପିଇବା ପାଇଁ ଅନୁପଯୁକ୍ତ। ଖରା ଦିନେ ଟ୍ୟାଙ୍କରଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଏ। ମାତ୍ର ଅନ୍ୟ ଦିନ ମାନଙ୍କରେ ସରକାରୀଭାବେ ଖନନ କରାଯାଇଥିବା ନଳ କୂପରୁ ବାହାରୁ ଥିବା ଲୁଣାପାଣିକୁ ଲୋକମାନେ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି।

ସତ୍ୟସାଇ ସେବା ସଂସ୍ଥାନ ତରଫରୁ ପଞ୍ଚାୟତ ହାଇସ୍କୁଲ ଠାରେ ଏକ ମଧୁର ଜଳ ଯୋଗାଣକେନ୍ଦ୍ର ଖୋଲା ଯାଇ ଗ୍ରାମକୁ ମଧୁର ପାନୀୟ ଜଳ ଯୋଗଇ ଦିଆଯାଇଥାଏ। ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ୪୦ଟି ସ୍ବୟଂସହାୟିକା ଦଳ ଗଠନ କରାଯାଇ ଆତ୍ମନିର୍ଭରଶୀଳ ପାଇଁ ଉଦ୍ୟମହେଉଛି। ଆବାସଯୋଜନାରେ ୧୫ଶହ ପରିବାରକୁ ପକ୍କାଘ ରଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ପଦ୍ମପୁରକୁ ଏକ ଛୋଟ ସହରାଞ୍ଚଳରେ ପରିଣତ କରାଯିବା ଲକ୍ଷ୍ୟ ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ଓ ପାନୀୟଜଳ ସମସ୍ୟାର ସମାଧାନ କରାଯାଉ ବୋଲି ସରପଞ୍ଚ କେଶବ ପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର