ବନ୍ଦ ରତ୍ନପଥର ଖଣି ଉପରେ ମାଫିଆଙ୍କ ଲୋଲୁପଦୃଷ୍ଟି: ଓଏମସି ଜାଣତରେ ଚାଲିଛି ଚୋରା ଚାଲାଣ 

ମୁନିଗୁଡ଼ାରେ ଡେରା ପକାଉଛନ୍ତି ଆନ୍ତଃରାଜ୍ୟ ମାଫିଆ,  ପ୍ରତି ମାସରେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ପଥର

ରାୟଗଡ଼ା: ଓଏମସି ପାଇଁ ଲାଭଜନକ ନୁହେଁ। ମାଫିଆଙ୍କ ପାଇଁ କିନ୍ତୁ ବ୍ୟାନ୍ ରତ୍ନପଥର ଖଣି ପାଲଟିଛି ଲେଉଟିଆ କିଆରି। ପ୍ରତି ମାସରେ ବ୍ୟାନ୍ ଖଣିରୁ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ମୂଲ୍ୟବାନ ପଥର। ଯାହାର ଚେର ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ଲମ୍ବିଛି। ଚୋରା ଚାଲାଣ ରୋକିବା ଦିଗରେ ଓଡ଼ିଶା ଖଣି ନିଗମ କୌଣସି ପଦକ୍ଷେପ ନେଉ ନଥିବାରୁ ମୁନିଗୁଡ଼ାରେ ଆଡ୍ଡା ଜମାଉଛନ୍ତି ଆନ୍ତଃରାଜ୍ୟ ବେପାରୀ। ଗତକାଲି କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ରାୟଗଡ଼ାିରେ ଚଢ଼ଉ କରି କୋଟିଏରୁ ଉର୍ଧ୍ବ ଟଙ୍କାର ରତ୍ନପଥର ଜବତ କରିବା ପରେ ଚୋରା ବେପାରୀଙ୍କ ମନରେ ପଶିଛି ଛନକା।

ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲର ଡାକୁଲଗୁଡ଼ାରେ ରହିଛି ରତ୍ନପଥର ଖଣି। କ୍ୟାଟସଆଇ ପଥର ଉତ୍ପାଦନ ହେଉଥିବା ଏହି ଖଣିକୁ ଓଏମସି ଲାଭଜନକ ନଥିବା ଦର୍ଶାଇ ଦୀର୍ଘ ବର୍ଷ ହେଲା ବନ୍ଦ କରି ଦେଇଛି। ଚୋରା ଚାଲାଣ ରୋକିବାକୁ ବୁଲାଯାଇଥିବା ତାର ବାଡ଼ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଥିବାରୁ ଚୋରା ଚାଲାଣକାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଏକଦା ଏହି ପଥର ଖଣି ଏସିଆର ସବୁଠାରୁ ଉତ୍କୃଷ୍ଟ କ୍ୟାଟସଆଇ ଖଣି ଭାବେ ବିବେଚିତ ହେଉଥିଲା।

ଯେଉଁଥିପାଇଁ ରାଜସ୍ଥାନ ସମେତ ଛତିଶଗଡ଼ର ମହାସମୁଦ, ଉତ୍ତରପ୍ରଦେଶର କିଛି ପଥର ବେପାରୀ ମୁନିଗୁଡ଼ା ଆସି ସ୍ଥାନୀୟ ଲୋକଙ୍କୁ ହାତବାରିସ୍ କରି ପଥର ଖୋଳି ନେଉଛନ୍ତି। ମୁନିଗୁଡ଼ାର ବିଭିନ୍ନ ହୋଟେଲ, ଆବାସିକ ଘରକୁ ଭଡ଼ା ସୂତ୍ରରେ ନେଇ ମାଫିଆମାନେ ଏହି ବେଆଇନ କାରବାର ଚଲାଇଛନ୍ତି। ଯାହାର ସୁରାକ୍ ପାଇପାରୁନି ଓଏମସି ଓ ଜିଲ୍ଲା ପ୍ରଶାସନ।

ଚୋରା ଚାଲାଣ ସଂପର୍କରେ ସୂଚନା ରହିଥିବା ସତ୍ତ୍ବେ ପୁଲିସ୍ କେବଳ ପାଟ୍ରୋଲିଂ କରି ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଥିବା ବେଳେ ନୂଆ ଲିଜ୍ ଅପେକ୍ଷାରେ ଓଏମସି କର୍ତ୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ନେଉନାହାନ୍ତି। ଯେଉଁଥି ପାଇଁ ଖଣିରେ ଗଚ୍ଛିତ କୋଟି କୋଟି ଟଙ୍କାର ମୂଲ୍ୟବାନ ପଥର ବାହାର ରାଜ୍ୟକୁ ଚାଲାଣ ହେଉଛି। କେବଳ ଡାକୁଲୁଗୁଡ଼ା ନୁହେଁ,  ମୁନିଗୁଡ଼ା ତହସିଲର ଦହିଖାଲ, ରଘୁବାରୀରେ ମଧ୍ୟ ରହିଛି ରତ୍ନପଥର ଖଣି। ଯାହାକୁ ଓଏମସି ଲିଜ୍ ସୂତ୍ରରେ କାହାକୁ ଦେଇନି। ଦହିଖାଲରେ ଥିବା ଗୋମେଦ ପଥର ଖଣି ଉପର ଦେଇ ରେଳ ଲାଇନ୍ ଯାଇଥିବାରୁ ଚୋରା ବେପାରୀ ଖଣି ଖୋଳି ପଥର ଲୁଟ୍ ପାଇଁ ଉଦ୍ୟମ କରୁଛନ୍ତି।

ବାରମ୍ବାର ବେଆଇନ ଖନନ ପରେ ଏବେ ରେଲୱେ ବିଭାଗ ଖୋଳା ଯାଉଥିବା ସ୍ଥାନକୁ ସିମେଣ୍ଟ୍ କଂକ୍ରିଟ୍ କରିଛି। ସେହିପରି ରଘୁବାରୀ ନିକଟ ପାହାଡ଼ରୁ କ୍ୟାଟସଆଇ, ଶ୍ରଦ୍ଧାପୁର-ଜଗଦଲପୁର ନିକଟ ପାହାଡ଼ରେ କ୍ବାରର୍ଜ ନାମକ ବହୁମୂଲ୍ୟ ରତ୍ନପଥର ମହଜୁଦ୍ ରହିଛି। ସ୍ଥାନୀୟ ଲୋକମାନେ ପଥରକୁ ଖୋଳି ମାଫିଆଙ୍କୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ଗୁଡାରି ତହସିଲର କର୍ଲାଘାଟି ପାହାଡ଼ରେ ମଧ୍ୟ କ୍ୟାଟସ୍ଆଇ ରତ୍ନପଥର ମହଜୁଦ୍ ରହିଛି।

ଡାକୁଲଗୁଡ଼ା ଭଳି ଚନ୍ଦ୍ରପୁର ତହସିଲର ଜାରପା ନିକଟରେ ଥିବା ପାହାଡ଼ରେ ମଧ୍ୟ କ୍ୟାଟସ୍ଆଇ ରତ୍ନପଥର ରହିଛି। ରାୟଗଡ଼ା ତହସିଲର ଇରୁକୁବାଡ଼ିରେ ମଧ୍ୟ ରହିଛି ଉତ୍କୃଷ୍ଟମାନର କ୍ୟାଟସ୍ଆଇ ରତ୍ନପଥର ଖଣି। ୧୯୯୦ ମସିହାରେ ଏହି ଖଣିକୁ ଆନ୍ଧ୍ରର ଜଣେ ବ୍ୟବସାୟୀ ଲିଜ୍ ସୂତ୍ରରେ ନେଇ ଖନନ କରିଥିଲେ। ଚୁକ୍ତିଠାରୁ ଅଧିକ ଖନନ କରିବା କାରଣରୁ କିଛି ଦିନ ପରେ ଓଏମସି ଏହି ଖଣିକୁ ବନ୍ଦ କରି ଦେଇଥିଲା। ହେଲେ ଚୋରା ଚାଲାଣ କିନ୍ତୁ ଦୀର୍ଘ ବର୍ଷ ଧରି ଚାଲିଥିଲା। ଏବେ ମଧ୍ୟ କିଛି ଲୋକ ପାହାଡ଼ ଖୋଳି ରତ୍ନପଥର ବାହାର କରୁଛନ୍ତି। ଜିଲ୍ଲାରେ ଗଚ୍ଛିତ ଥିବା ରତ୍ନପଥର ଖଣିର ସର୍ଭେ ଓଏମସି ପକ୍ଷରୁ ସରିଛି।

ଗଚ୍ଛିତ ରତ୍ନପଥର ଉତ୍କୃଷ୍ଟମାନର ନଥିବା ଦର୍ଶାଇ ଓଏମସି ଖଣିକୁ ବନ୍ଦ ରଖିଥିବା ବେଳେ ପଥର ମାଫିଆ ଚୋରା ଚାଲାଣ କରି ମାଲାମାଲ୍ ହେବାରେ ଲାଗିଛନ୍ତି। ଚୋରା ଚାଲାଣ କରୁଥିବା ମାଫିଆଙ୍କ ସଂପର୍କରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ସୂଚନା ପାଇବା ପରେ ଗତକାଲି ରାୟଗଡ଼ା ସହରର ଜଗନ୍ନାଥ କମ୍ପ୍ଲେକ୍ସରେ ଚଢ଼ଉ କରି ଜିତେନ୍ଦ୍ର କୁମାର ବେହେରାକୁ ଗିରଫ କରିବା ସହ ୨୦ ପ୍ରକାରର ରତ୍ନପଥର ଜବତ କରିଛି। ଏହି ସବୁ ରତ୍ନପଥର ଡାକୁଲଗୁଡ଼ା, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଜିଲ୍ଲାର କିଛି ଖଣିରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି

ସମ୍ବନ୍ଧିତ ଖବର