ଚନ୍ଦାହାଣ୍ଡ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମପଞ୍ଚାୟତ ଭେଲୁଆକୋଟ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ପ୍ରାୟ ୩ କିମି ବୋହି ନିଆଯାଇଥିବାର ଜଣାପଡିଛି। ଭେଲୁଆକୋଟ ଗାଁର ନର ସାନ୍ତାଙ୍କ ସ୍ତ୍ରୀ ବୋଦେଇ ସାନ୍ତାଙ୍କୁ ଆଜି ପ୍ରସବ ବେଦନା ହୋଇଥିଲା।
ତେବେ ଉକ୍ତ ଗାଁକୁ ଭଲ ରାସ୍ତା ଖଣ୍ଡେ ନ ଥିବା ଯୋଗୁଁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଗଡିପାରୁନି। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହଯୋଗରେ ପ୍ରସୂତି ମହିଳାଙ୍କୁ ଏକ ଖଟିଆରେ ବୋହି ଦୀର୍ଘ ତିନି କିଲୋମିଟର ନେବା ପରେ ଗୋଟିଏ ଅଟୋ ରିକ୍ସା ଯୋଗାଡ଼ କରି ପହଞ୍ଚାଇଥିଲେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଉକ୍ତ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ।
ଭେଲୁଆକୋଟ ଗାଁରୁ ଚନ୍ଦାହାଣ୍ଡି ଆସିବାକୁ ହେଲେ ଗରଝରିଆ ନଦୀ ଓ ୩ଟି ନାଳ ଏବଂ ଜଙ୍ଗଲିଆ ରାସ୍ତା ପାର ହୋଇ ଆସିଲେ ପକ୍କା ରାସ୍ତା ପଡେ। ସେଠାରୁ ପୁଣି ଚନ୍ଦାହାଣ୍ଡିକୁ ୭ କିମି ଯିବାକୁ ପଡିଥାଏ। ନା ଗାଁକୁ ରହିଛି ଭଲ ରାସ୍ତା ଖଣ୍ଡେ, ନା ପହଞ୍ଚି ପାରୁଛି ସରକାରଙ୍କ ୧୦୨ ଓ ୧୦୮ ଆମ୍ବୁଲାନସ ସେବା। ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୁହା ହେଉଛି ଗର୍ଭବତୀ ଓ ରୋଗୀ। ଗାଁକୁ ଭଲ ପକ୍କା ରାସ୍ତା ଖଣ୍ଡେ ନ ଥିବାରୁ ଗର୍ଭବତୀ ଓ ରୋଗୀମାନଙ୍କୁ ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି।
ସରକାର ନାରୀକୁ ସମ୍ମାନ, ଗାଁକୁ କାମ ପାଇଁ ନାନା ଯୋଜନା ପ୍ରଣୟନ କରିଥିବା ବେଳେ ଭେଲୁଆକୋଟ ଭଳି ଅପହଞ୍ଚ ଇଲାକା ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି। ପ୍ରକାଶ ଥାଉକି ଗତ ପନ୍ଦର ତାରିଖ ଦିନ ପୂର୍ବେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୌରଝରିଆ ଗାଁର ଜଣେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସହାୟତାରେ ଖଟିଆରେ ବୋହି ନଦୀପାର କରିବା ପରେ ରାସ୍ତା ମଝିରେ ପ୍ରସବ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।