ପୁଣି ଜନନୀ ଯନ୍ତ୍ରଣା: ଷ୍ଟ୍ରେଚରରେ ୪ କିଲୋମିଟର ବୁହା ହେଲେ ଆଦିବାସୀ ଗର୍ଭବତୀ, କାନ୍ଧେଇଲେ ୧୫ ମହିଳା

ନାରାୟଣପାଟଣା (ଅନୀଲ କୁମାର ସୁବୁଦ୍ଧି): ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନ ଥିବାରୁ ଚାରି କିଲୋମିଟର କାନ୍ଧରେ ବୁହା ହେଲେ ଆଦିବାସୀ ଗର୍ଭବତୀ ମହିଳା । ଏପରି ଦୃଶ୍ୟ ଶୁକ୍ରବାର କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତର ନାଲକୋ ଖଣି ଅଂଚଳରେ ଥିବା ତଳଗଡତି ଗାଁରେ ଦେଖିବାକୁ ମିଳିଛି। ଗାଁକୁ ପକ୍କା ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଗାଁର ୧୫ ଜଣ ମହିଳା ଷ୍ଟ୍ରେଚର ଜରିଆରେ ଚାରି କିଲୋମିଟର ପାହାଡ଼ ଜଙ୍ଗଲ ଡେଇଁ ବୋହି ଆଣିଛନ୍ତି।

ମାଇନ୍‌ସ ବେଲ୍‌ଟରେ ଥିବା ସାଉଥ୍‌ ବ୍ଲକରେ ଦାମନଯୋଡି ମାଥାଲପୁଟରୁ ଆମ୍ବୁଲାନ୍‌ସ ଜରିଆରେ ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଉପରଗଡତି ଗାଁର ସନିୟା ଜାନିର ସ୍ତ୍ରୀ ମିଣିଙ୍ଗ ଜାନି ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଗାଁ ଆଶା ଦିଦିକୁ ଜଣେଇଥିଲେ। ଗାଁକୁ ଆମ୍ବୁଲାନ୍‌ସ ଆସି ନ ପାରି ୪ କିଲୋମିଟର ଦୂର ଦାମନଯୋଡିର ସାଉଥ୍‌ ବ୍ଲକ ନିକଟରେ ଅଟକି ଯାଇଥିଲେ। ଯନ୍ତ୍ରଣା ଗୁରୁତର ହେବାରୁ ଶେଷରେ ଗାଁର ୧୫ରୁ ଅଧିକ ମହିଳା କିଛି ଉପାୟ ନ ପାଇ ଶେଷରେ ନିଜେ କାନ୍ଧ ଦେଇ ଗର୍ଭବତୀ ମହିଳାକୁ ବୋହି ନେଇଥିଲେ। ଚାରି କିଲୋମିଟର ବୋହିବା ପରେ ଆମ୍ବୁଲାନ୍‌ସ ନିକଟରେ ପହଂଚି ତାକୁ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି।

ନାରାୟଣପାଟଣା ବ୍ଲକର ବିଜାଘାଟି ପଂଚାୟତର ତଳଗଡତି, ଉପରଗଡତି, ମଝିଗଡତି ପରି ୭ ଖଣ୍ଡ ଗ୍ରାମକୁ ଆଜି ଯାଏଁ ପକ୍କା ସଡ଼କ ନାହିଁ। ବାରମ୍ବାର ଗ୍ରାମବାସୀ ପକ୍କା ରାସ୍ତା ପାଇଁ ପ୍ରଶାସନକୁ କହିଆସୁଥିଲେ ବି କୈଣସି ସୁବିଧା ସୁଯୋଗ କରାଯାଇପାରୁ ନାଁହି। ଫଳରେ ବାରମ୍ବାର ଏଠାକାର ବାସିନ୍ଦା ବିଗତ ଦିନରେ ଏପରି ନାନା ସମସ୍ୟାର ସମ୍ମୁଖୀନ ହୋଉଛନ୍ତି। ଏପରି କି କୌଣସି ବିକାଶମୂଳକ ଯୋଜନା ଗ୍ରାମମାନଙ୍କରେ ପହଞ୍ଚି ପାରୁ ନାହିଁ।

ସମ୍ବନ୍ଧିତ ଖବର