ଦୁର୍ଗମ ଅଞ୍ଚଳରେ ରାସ୍ତା ଯନ୍ତ୍ରଣା, ଦୋଳାରେ ବୁହାହେଲେ ଗର୍ଭବତୀ

 

ବାଲିଗୁଡା: ଦୁର୍ଗମ ଅଞ୍ଚଳରେ ହଟୁନି ରାସ୍ତା ଯନ୍ତ୍ରଣା। ସବୁ ସମୟରେ ଏନେଇ ଖବର ଶୀର୍ଷକ ପାଲଟୁଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା ‌ହୋଇପାରୁନାହିଁ। ରାସ୍ତା ଭଳି ମୌଳିକ ସୁବିଧା  ନଥିବାରୁ ଏବେ ବି ମାଇଲମାଇଲ ବାଟ ରୋଗୀକୁ ଖଟିଆରେ ବୁହା ଚାଲିଛି। ଯାହାର ପ୍ରମାଣ ପୁଣି ଦେଖିବାକୁ ମିଳିଛି କନ୍ଧମାଳ ଓ କଳାହାଣ୍ତି ଜିଲ୍ଲା ସୀମାନ୍ତବର୍ତ୍ତୀ ଲୁବେଗଡ ପଂଚାୟତର ଡ୍ରାମ୍ବା ଗାଁରେ। ଏହି ପଞ୍ଚାୟତକୁ ଉତ୍ତମ ରାସ୍ତା ନଥିବାରୁ  ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ  ଖଟିଆରେ ଦୋଳା କରି ଦୁଇଟି ପାହଡ଼ ଅତିକ୍ରମ କରି ପରିବାର ଲୋକେ ୭ କିମି ରାସ୍ତା ଚାଲିଚାଲି ବୋହି ଆଣିଥିଲେ।
ସୂଚନା ପ୍ରକାରେ ଏହି ପଂଚାୟତର ଡ୍ରାମ୍ବା ଗ୍ରାମର ସୁକାନ୍ତି ନାୟକଙ୍କ ପ୍ରସବବେଦନା ହେବା ପରେ ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ଆସିପାରିନଥିଲା। ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀ ମହିଳାକୁ ଖଟରେ ଦୋଳାକରି   ପାହାଡ଼ ଓ ପଥୁରିଆ ରାସ୍ତାରେ ଦୋଳାରେ ବୋହି ଆଣି ସୁଡ୍ରା ପଂଚାୟତର ସମାଙ୍ଗିଆରେ ପହଞ୍ଚିଥିଲେ।  ପରେ  ସୁଡ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା କିନ୍ତୁ ମହିଳା ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀକୁ ସ୍ଥାନାନ୍ତର କରାଯାଇଛି।
ମହିଳାଙ୍କ ସର୍ମ୍ପକୀୟଙ୍କ ଅଭିଯୋଗ ପ୍ରକାରେ ସରକାର ପ୍ରସୂତିଙ୍କୁ ସହାୟତା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଏନେଇ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ନିକଟରେ  ବହୁବାର ଗୁହାରି କଲେ ମଧ୍ୟ କେହି ଏଥିପ୍ରତି ଧ୍ୟ‌ାନ ଦେଉନାହାନ୍ତି। ପୂର୍ବପୁରୁଷମାନେ ଯେପରି କାହାର ଦେହ ଖରାପ ହେଲେ ଦୋଳାରେ ବୋହିକରି  ଡାକ୍ତରଖାନାକୁ ନେଉଥିଲେ ସେମାନେ ଆଜି ବି ସେମିତି ଖଟରେ ବୋହି ରୋଗୀଙ୍କୁ ସ୍ବାସ୍ଥ୍ୟସେବା ପାଇଁ ନେଉଛନ୍ତି ବୋଲି କହିଛନ୍ତି।
ସମ୍ବନ୍ଧିତ ଖବର