କୋଭିଡ ଟେଷ୍ଟ ସମସ୍ୟା: ତିନି ଘଣ୍ଟା ଧରି ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ଛଟପଟ !

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟର ଚରମ ସୀମାରେ ପହଞ୍ଚି ଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗର୍ଭଯନ୍ତ୍ରଣାରେ ଛଟପଟ ହୋଇ ଆସିଥିବା ଜଣେ ମହିଳାଙ୍କ କୋଭିଡ ଟେଷ୍ଟ ହୋଇନପାରିବାରୁ ଆଜି ଜଣେ ଗର୍ଭବତୀ ମହିଳା ଦୀର୍ଘ ୩ ଘଣ୍ଟା କାଳ ବାହାରେ ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଉଥିବା ଘଟଣା ଆଲୋଡନ ଖେଳାଇ ଦେଇଛି। ଖୋଦ ଝାରସୁଗୁଡ଼ାର ବିଧାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ବାରଣ୍ଡାରେ ଜଣେ ମା’ ଯନ୍ତ୍ରଣାରେ ବିକଳ ହେଉଥିବା ଘଟଣା ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।

ଏହି ଘଟଣା ମୁଖ୍ୟ ଚିକିତ୍ସାଳୟରେ ହେଉଥିବା ଅବ୍ୟବସ୍ଥାକୁ ପଦରେ ପକାଇ ଦେଇଛି। ଚିକିତ୍ସା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗର୍ଭବତୀ ମା’ ମାନଙ୍କ ସେବା ଯତ୍ନ କରୁଥିବା କହୁଥିବା ବେଳେ ମୁମୂର୍ଷୁ ଅବସ୍ଥାରେ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ପୁରେଇ ନଦେବା ଘଟଣା କୁ ସବୁ ମହଲରେ ଦୃଢ଼ ସମାଲୋଚନା କରାଯାଇଛି।

ଆଜି ଭୋର ସାଢ଼େ ୫ଟାରେ ବନ୍ଧାହାଲ ଅଂଚଳରୁ ପ୍ରୀତି କୁମ୍ଭାର ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପ୍ରସବ କରାଇବାକୁ ଆଣିଥିଲେ। ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଅବସ୍ଥା ଉଦବେଗଜନକ ଥିଲା। ମହିଳାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ହସ୍ପିଟାଲ କର୍ମଚାରୀମାନେ ମହିଳାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ନଥିଲେ ପ୍ରବେଶ କରାଇ ଦିଆ ଯିବନାହିଁ ବୋଲି ଶୁଣାଇ ଦେଇ ଚୁପ ରହି ଯାଇଥିଲେ।

ସେହି ସମୟରେ କୋଭିଡ ଟେଷ୍ଟ ପାଇଁ କେହି କର୍ମଚାରୀ ମଧ୍ୟ ନଥିଲେ। କୋଭିଡ ଟେଷ୍ଟ ପାଇଁ କର୍ମଚାରୀ ମାନେ ସାଢେ ୮ ଟାରେ କୁଆଡେ ଆସନ୍ତି। ଯଦି ସାଢ଼େ ୮ ଟାରେ କୋଭିଡ ଟେଷ୍ଟ ହୁଏ ତେବେ ଜଣେ ଜରୁରୀ ରୋଗୀ ଯାହାକୁ ତୁରନ୍ତ ଚିକିତ୍ସା ଦରକାର ସେ କୋଭିଡ ଟେଷ୍ଟ ପାଇଁ ସେତିକି ସମୟ ଅପେକ୍ଷା କରିବା ସମ୍ଭବ କି ? ଯଦି ନୁହେଁ ତେବେ ଏହାର ବିକଳ୍ପ ବ୍ୟବସ୍ଥା ନକରି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀଙ୍କୁ ହସ୍ପିଟାଲ ଭିତରେ ପୁରେଇ ନଦେବା କେଉଁ ମାନବିକତା ବୋଲି ପ୍ରଶ୍ନ ଉଠିଛି।

କେବଳ ଏହି ଗର୍ଭବତୀ ମହିଳା ନୁହନ୍ତି ହସ୍ପିଟାଲକୁ ଆସିଥିବା ସବୁ ରୋଗୀଙ୍କୁ କୋଭିଡ ଟେଷ୍ଟ ଅଳରେ ଅବହେଳା କରାଯାଉଥିବା ଏକ ସାଧାରଣ ଘଟଣା ହେଲାଣି। ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଅନ୍ତତଃ ପକ୍ଷେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ କିପରି ସେମାନେ ତୁରନ୍ତ ଚିକିତ୍ସା ପାଇ ପାରିବେ ତାର ସୁବ୍ୟବସ୍ଥା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର