କୋରାପୁଟରେ ୪ କିଲୋମିଟର ପାହାଡିଆ ରାସ୍ତାରେ ଭାରରେ ବୁହା ହେଲେ ପ୍ରସୂତି

ରାମଗଡକୁ ଅପହଞ୍ଚ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ

ଜୟପୁର: ପୁଣି ଭାରରେ ବୁହା ହେଲେ ରୋଗୀ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ପରିବାରବର୍ଗ। ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାହାଡିଆ ଗାଁ ରାମଗଡ ଗାଁରେ। ଏହି ଗାଁର ଜଗବଂଧୁ ମୁଦିଲିଙ୍କ ପତ୍ନୀ କଳାବତୀ ମୁଦୁଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଆଜି ପରିବାରବର୍ଗ ତାଙ୍କୁ ଭାରରେ ହସ୍‌ପିଟାଲକୁ ତଳକୁ ଆଣିଥିଲେ।

ଗୋଟିଏ କି ଦୁଇ କିଲୋମିଟର ନୁହେଁ ପୂରା ୪ କିଲୋମିଟର ଭାରରେ ବୋହି ତଳକୁ ଓହ୍ଲାଇଥିଲେ ଗାଁ ଲୋକେ। ପାହାଡିଆ ରାସ୍ତା ସହ ମୌସୁମୀ ଜନିତ ବର୍ଷାରେ ଏହି ଗାଁ ଲୋକେ ନାକେ ଦମ ହୋଇ ପାହାଡ ତଳୁକୁ ଗର୍ଭବତୀଙ୍କୁ ଓହ୍ଲାଇଥିଲେ। ୩ରୁ ୪ ଜାଗା ରହି ରହି ଆସିବା ପରେ ଅଟୋରେ କୁମୁଲିପୁଟ ମେଡିକାଲରେ ପହଞ୍ଚିଥିଲେ।

ଜୟପୁର ବ୍ଲକ ରଣ୍ଡାପାଲି ଗ୍ରାମପଞ୍ଚାୟତ ଅଧୀନରେ ଥିବା ପାହାଡିଆ ଗାଁ ରାମଗଡ଼ ଗାଁରେ ପ୍ରତି ମାସେ କି ଦୁଇମାସରେ ଥରେ ଏପରି ଘଟଣା ଘଟୁଥିବାବେଳେ ଏହାକୁ ଦେଖି ଅଣଦେଖା କରୁଛି ପ୍ରଶାସନ। ଆଶା ଥିଲା ସ୍ୱାଧୀନତାର ୭୩ ବର୍ଷ ପରେ ଦୁନିଆ ଦେଖିବେ ରାମଗଡବାସୀ। ତାଙ୍କ ପାଇଁ କଟାଯିବ ଛତିଡିପୁଟ ପାହାଡକୁ ଯୋଡୁଥିବା ରାସ୍ଥା। ପ୍ରାୟ ୪ କିଲୋମିଟର ଜଙ୍ଗଲିଆ ରାସ୍ତାକୁ କଟାଯାଇ ଘାଟି ରାସ୍ଥା ନିର୍ମାଣ କରାଯିବ ବୋଲି ଯୋଜନା ରହିଥିଲା। ହେଲେ ଏଯାଏ ଏହି ରାସ୍ତା ହୋଇପାରିଲା ନାହିଁ। ରଣ୍ଡାପାଲିଠାରୁ ତାଡପାଡି ଯାଏ ପ୍ରାୟ ୧୨ କିଲୋମିଟର ରାସ୍ତାକୁ ନିର୍ମାଣ କରିବାକୁ ୩ ବର୍ଷ ବିତିଥିବାବେଳେ ଆହୁରି ୪ କିଲୋମିଟର ରାସ୍ତା କେବେ ନିର୍ମାଣ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ତେବେ ଜଙ୍ଗଲ କଟକାଯାଇ ରାସ୍ତା ନିର୍ମାଣ କରାଯିବକୁ ବ୍ୟବସ୍ଥା ରହିଥିବାବେଳେ ବର୍ଷ ବର୍ଷ ପରେ ବିତୁଛି ହେଲେ ଏବେ ଯାଏ ଏହି ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଯାହାଫଳରେ ପ୍ରତି ମାସରେ ଏପରି ଗର୍ଭବତୀଙ୍କୁ ଭାରରେ ବୋହି ପାହାଡିଆ ରାସ୍ତାରେ ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ମିଳିଥିବା ସୂଚନା ମୁତାବକ ଗାଁକୁ ଯୋଡୁଥିବା ରାସ୍ତା ୨୦୧୪ରୁ ନିର୍ମାଣ ହେବାକୁ ଯୋଜନା ରହିଥିବାବେଳେ ପରିବେଶ ମଞ୍ଜୁରୀ ହୋଇ ପାରୁ ନ ଥିବାରୁ କେବଳ ମାର୍କିଙ୍ଗରେ ଅଟକି ରହିଥିଲା ରାସ୍ତା କାମ। ବୈରାଗୀମଠରୁ କୁଶୁମଭଟ୍ଟା ଯାଏ ପ୍ରାୟ ୮ କିଲୋମିଟର ରାସ୍ଥା ନିର୍ମାଣ କରିବାକୁ ୫ବର୍ଷରୁ ଅଧିକ ଦିନ ବିତିଥିବାବେଳେ କେତେଥର ଯେ ଏହି ରାସ୍ତାର ସର୍ଭେ ଶେଷ ହେଲାଣି ତାହା ସମସ୍ତଙ୍କୁ ଜଣା। କିନ୍ତୁ ଏବେ ଏହିଗାଁକୁ ହୋଇପାରୁନି ରାସ୍ତା। ଏହି ଗାଁରେ ପାଖାପାଖି ୭୦ ଟି ପରିବାର କେଉଁ ଆଦିମ କାଳରୁ ରହିଆସୁଛନ୍ତି। ଗାଁର ଲୋକ ସଂଖ୍ୟା ପ୍ରାୟ ୫୦୦ ହେବ। ଚାରିପଟେ ସୁଉଚ୍ଚ ସବୁଜ ବନାନୀ ମଝିରେ ଏହି ଗାଁ ରହିଥିବା ବେଳେ ଏହି ଗାଁଟି ଗଡପଦର ପାହଡ, ରଣ୍ଡତାପାଲି ଓ ବାଲାପୁଟ ପାହାଡ ଉପରରେ ପ୍ରାୟ ୧୨୦୦ ଫୁଟରୁ ଅଧିକ ଉଚ୍ଚତାରେ ରହିଥିବାରୁ ଏଠାକୁ ସରକାରଙ୍କର ଏକାଧିକ ଯୋଜନା ଅପହଞ୍ଚ ହୋଇରହିଛି।

ଏନେଇ ବିଡିଓ ସୂଜର କୁମାର ପଟ୍ଟନାୟକ କହିଛନ୍ତି ଯେ ବନ ବିଭାଗ ସହ ଆଲୋଚନା ଶେଷ ହୋଇଛି। ପୂଜା ଶେଷ ହେଉ ହେଉ ଜଙ୍ଗଲା କଟା କାର୍ଯ୍ୟ ଆରମ୍ଭ ହେବ। ଏହାପରେ ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର