ଜୟପୁରରେ କରୋନା ପଜିଟିଭ ଗର୍ଭବତୀ ମହିଳାଙ୍କ ସଂସ୍ପର୍ଶରେ ଆସିଛନ୍ତି ଗୋଟିଏ ପରିବାରର ୧୦ ଜଣ !

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହରରେ ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ସଂପୃକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଚର୍ଚ୍ଚା ହେଉଛି। ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ମହିଳା ଜଣଙ୍କ ମୁଖ୍ୟ ରୋଡ଼ସ୍ଥିତସ୍ଥିତ ଘରେ ରହୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏହି ଅଞ୍ଚଳରେ ୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ଜୟପୁରରେ ଏହି ସଂଖ୍ୟା ହେଉଛି ୨। ଆଜି ୬ଜଣଙ୍କର ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି। ଏଥିରୁ ବନ୍ଧୁଗାଁରେ ୫ ଓ ଜୟପୁର ମୁଖ୍ୟ ରାସ୍ଥାରେ ଜଣେ ଅଛନ୍ତି। ଜୟପୁର ସହରରୁ ପଜିଟିଭ୍‌ ଚିହ୍ନଟ ମହିଳା ଜଣକ ମୁମ୍ବାଇରୁ ବିମାନରେ ଭୁବନେଶ୍ୱର ଆସିଥିଲେ। ସେ ଭୁବନେଶ୍ୱର ବିମାନ ବନ୍ଦରରୁ ଜୟପୁରକୁ ଏକ କାର ଯୋଗେ ଆସିଥିଲେ। ସେ ଗତମାସ ୨୮ ତାରିଖ ଠାରୁ ଜୟପୁର ସହରରେ ରହୁଥିଲେ।

ଜୟପୁର ମୁଖ୍ୟ ରାସ୍ତାରେ ଆଉ ଏକ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପୂର୍ବରୁ ଜୟପୁର ବସଷ୍ଟାଣ୍ଡ ଟ୍ରାଫିକ ଛକ ଠାରୁ ରଥପଡିଆ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।। ଏହି ମୁଖ୍ୟ ରାସ୍ତା ମଝିରେ ରହିଛି କୋଭିଡ ଡାକ୍ତରଖାନା। କୋଭିଡ ଡାକ୍ତରଖାନା ଅଞ୍ଚଳ ଅର୍ଥାତ ଜୟପୁର ପୌରପାଳିକା କାର୍ଯ୍ୟାଳୟ ଠାରୁ ବାଙ୍କ ମଠ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିବା ବେଳେ ଆଜିଠାରୁ ସ୍ଥାନୀୟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଠାରୁ ଧୋବା ସାହି ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସହର ମଧ୍ୟରେ ଯାତାୟତ କରୁଥିବା ଲୋକମାନଙ୍କ ଚଳପ୍ରଚଳ ମଧ୍ୟ ବନ୍ଦ ହୋଇଯାଇଛି।

ଜିଲ୍ଲାପାଳ ମଧୁସୁଦନ ମିଶ୍ର ଜଗତଜନନୀ ଲାଇନ, ଧୋବାସାହି ଲାଇନ, ମେନ ରୋଡ ଓ ସରୋଜିନୀ ଭବନ ରୋଡ ଆଦି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିବା ବେଳେ ଜଗତଜନନୀ ମନ୍ଦିର ଲାଇନ, ପୁଲାରେଡିପେଟା, ତହସିଲ ଅଫିସ, ପୁଲିସ କଲୋନି, ରେଭେନ୍ୟୁ କଲୋନି ଓ ରାମଦାସ ଲାଇନକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର