୪ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ

ଭଞ୍ଜନଗର : ରାଜ୍ୟର ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ । ଭଲ ରାସ୍ତା ନଥିବାରୁ ଗର୍ଭବତୀମାନେ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି।  ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି। ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଇଲାକାରୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ୍ ଚାହାଳି ପଞ୍ଚାୟତର ଜଣେ ଗର୍ଭବତୀଙ୍କ ନିକଟରେ ଜନନୀ ଏକ୍ସପ୍ରେସ ଗାଡ଼ି ପହଞ୍ଚି ପାରିନଥିବା ବେଳେ ତାଙ୍କୁ ଖଟିଆରେ ବୁହାଇ ଆମ୍ବୁଲାନ୍ସ୍ ନିକଟକୁ ଆଣିବା ଭଳି ଘଟଣା ସାମ୍ନାକୁ ଆସିଛି। ଆଉ ଗର୍ଭବତୀଙ୍କୁ ଖଟିଆରେ ବୁହା ହେବା ଘଟଣା ସରକାରୀ ଯୋଜନା ଗୁଡ଼ିକୁ ତାତ୍ସଲ୍ୟ କରୁଥିବା ଭଳି ମନେ ହେଉଛି।

କନ୍ଧମାଳ ଜିଲ୍ଲାର ଉପାନ୍ତ ଇଲାକା ଭାବେ ପରିଚିତ ଚାହାଳି ପଞ୍ଚାୟତର କମ୍ଭାରିଗୋଚ୍ଛା ଗ୍ରାମର ଅର୍ଜୁନ ମଲ୍ଲିକଙ୍କ ପତ୍ନୀ ସରୋଜିନୀ ମଲ୍ଲିକଙ୍କୁ ଆଜି ଗର୍ଭ ଯନ୍ତ୍ରଣା ହୋଇଥିଲା। ସଂପୃକ୍ତ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାର ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ଅର୍ଜୁନ ଗାଲେରୀ ମେଡିକାଲ୍ ସହ ଯୋଗାଯୋଗ କରିଥିଲେ। ଏହାପରେ ଜନନୀ ଏକ୍ସପ୍ରେସରେ ସରୋଜିନୀଙ୍କୁ ଆଣିବା ପାଇଁ କମ୍ଭାରୀ ଗୋଚ୍ଛା ଅଭିମୁଖେ ବାହାରିଥିଲା। କିନ୍ତୁ କମ୍ଭାରୀଗୋଚ୍ଛା ଗ୍ରାମଠାରୁ ୪ କିମି ଦୂର ରଗାପାଦୁ ଠାରୁ ଆମ୍ବୁଲାନ୍ସ ଆଉ ଗ୍ରାମକୁ ରାସ୍ତା ନଥିବାରୁ ଯାଇ ପାରୁନଥିଲା। ଆମ୍ବୁଲାନ୍ସ୍ କର୍ମଚାରୀ ଗାଡ଼ି ଆସି ପାରିବ ନାହିଁ କହିବାରୁ ବାଧ୍ୟ ହୋଇ ଗ୍ରାମର କିଛି ଲୋକଙ୍କ ସହାୟତାରେ ଅର୍ଜୁନ ଏକ ଖଟିଆରେ ନିଜ ସ୍ତ୍ରୀକୁ ଆମ୍ବୁଲାନ୍ସକୁ ବୋହି ନେଇଥିଲେ। ଅଜୁର୍ନ ଏବଂ ତାଙ୍କର ଦୁଇ ବନ୍ଧୁଙ୍କ ସମେତ ଅର୍ଜୁନଙ୍କ ମାଆ ଆସିଥିଲେ। ସାଙ୍ଗରେ ସ୍ଥାନୀୟ ଆଶା କର୍ମୀ ମଧ୍ୟ ଚାଲି ଚାଲି ଆସିଥିଲେ। ଦୀର୍ଘ ୪ କିମି ଖଟିଆରେ ସରୋଜିନୀଙ୍କୁ ବୋହି ଆଣିବା ପରେ ରଗପାଦୁ ଠାରୁ ଜନନୀ ଏକ୍ସପ୍ରେସରେ ଗାଲେରୀ ମେଡିକାଲକୁ ଆଣିଥିଲେ। ସେଠାରେ ସରୋଜିନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ପୁଅ ସୁସ୍ଥ ରହିଥିବାରୁ ପୁଣି ସେହି ଆମ୍ବୁଲାନ୍ସରେ ଘରକୁ ଫେରିଥିଲେ। ରଗାପାଦୁ ଠାରୁ ପୁଣି ତାଙ୍କୁ ଖଟିଆରେ କମ୍ଭାରିଗୋଚ୍ଛା ନିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର