ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ୍) ପ୍ରସୁତି ବିଭାଗ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି। ପ୍ରସୂତି ମା ଓ ଛୁଆ ମାନେ ରହିବା ଅତି ନିକଟରେ ମଇଳା ଜମା କରିବା ଡବା ସହ ପାହାଚରେ ପାନ ଛେପ ପଡ଼ିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ରୋଗୀ ସହାୟକ ଭବନ ଲୋକାର୍ପଣର ୫ମାସ ପରେ ବି କାମରେ ଲାଗି ପାରିନି। ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାରେ ରହିଛି ପ୍ରସୂତି ୱାର୍ଡ। ପ୍ରସୂତି ୱାର୍ଡର ଅତି ନିକଟରେ ତଥା ପ୍ରସୂତି ମା ଓ ନବଜାତ ଶିଶୁ ମାନଙ୍କ ଶଯ୍ୟାର ଅତି ନିକଟରେ ରହିଛି ମଇଳା ଜମା କରିବା ପ୍ଲାଷ୍ଟିକ୍ ଡବା। ତା ସହ ପାହାଚ ସଫାସୁତୁରା ନଥିବା ବେଳେ ଗୋଟିଏ ପାର୍ଶ୍ବରେ ପାନଛେପ ପଡ଼ି ରହି ପରିବେଶଟି ଅସ୍ବାସ୍ଥ୍ୟକର ହୋଇଛି। ଅପରପକ୍ଷରେ ଗର୍ଭବତୀ ମାମାନଙ୍କୁ ପ୍ରସବ ପାଇଁ ଧରି ଆସୁଥିବା ବେଳେ ସେମାନଙ୍କ ସଂପର୍କୀୟ ଓ ସହାୟକମାନେ ଘରୁ ଆଣୁଥିବା ସବୁ ସାମଗ୍ରୀ ବି ୱାର୍ଡ ପରିସରରେ ହିଁ ରହୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରସୂତି ୱାର୍ଡ ପରିଷ୍କାର ପରିଚ୍ଛନ୍ନ ନ ରହିବା ସହ ଅସ୍ବାସ୍ଥ୍ୟକର ପରିବେଶ ଦେଖିବାକୁ ମିଳୁଛି।
ଖାସ୍ କରି ଏହି ୱାର୍ଡଟି ଅତ୍ୟନ୍ତ ସ୍ପର୍ଶକାତର ୱାର୍ଡ ହୋଇଥିବାରୁ ଏହାକୁ ଡିଏଚଏଚ୍ କର୍ତ୍ତୃପକ୍ଷ ଅଧିକା ଗୁରୁତ୍ବ ଦେଇ ସଫାସୁତୁରା କରାଇବା କଥା। ସେଭଳି ୱାର୍ଡ ମଧ୍ୟରେ ଏଭଳି ମଇଳା ଡବା ଦିନ ରାତି ରଖିବା କେତେ ଦୁର ଯୁକ୍ତିଯୁକ୍ତ। ରୋଗୀଙ୍କ ସଂପର୍କୀୟ ତଥା ସହାୟକମାନେ ରୋଗୀଙ୍କ ଚିକିତ୍ସା ପର୍ଯ୍ୟନ୍ତ ରହିବା ପାଇଁ ୧କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ରୋଗୀ ସହାୟକ ବିଶ୍ରାମ ଭବନ ନିର୍ମାଣ କରାଯାଇଛି। ଏଠାରେ ୫୦ଜଣ ମହିଳା ଓ ପୁରୁଷ ରହିବା ବ୍ୟବସ୍ଥା ବି ରହିଛି। ଏହାକୁ ଗତ ଏପ୍ରିଲ ୧୮ତାରିଖ ଦିନ ଲୋକାର୍ପଣ କରାଯାଇଥିଲେ ହେଁ ୫ମାସ ହେବ ଏହା କାର୍ଯ୍ୟକାରୀ କାହିଁକି କରାଯାଇନି ବୋଲି ପ୍ରଶ୍ନ ଉଠିଛି। ଅପରପକ୍ଷରେ ଏହି ସହାୟକମାନେ ଡିଏଚଏଚ୍ ପରିସରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବାହାରେ ରୋଷେଇ କରି ଖାଇବା କିମ୍ବା ଖାଦ୍ୟ ବାହାରେ ଧରି ଖାଉଥିବା ଦେଖିବାକୁ ମିଳିଛି। ସେଭଳି ଏମାନେ ବିଶ୍ରାମ ନେବା ପାଇଁ ସୁବ୍ୟବସ୍ଥା ରହିଥିଲେ ହେଁ ତାହାକୁ ଠିକ ଭାବେ ଡାକ୍ତରଖାନା କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।