ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମୟୁରଭଞ୍ଜରେ ପ୍ରଶାସନିକ ସଜବାଜ

ବାରିପଦା : ଆଗାମୀ ପଞ୍ଚାୟତ ଓ ପ‌ୌର ନିର୍ବାଚନ ପାଇଁ ମୟୂରଭଞ୍ଜରେ ଦେଖାଦେଇଛି ପ୍ରଶାସନିକ ସଜବାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ୯ଟି ନିର୍ବାଚନୀ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ ୩୦ ପର୍ୟ୍ୟନ୍ତ ଜାରି ରହିବ। ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖକୁ ଯୋଗ୍ୟତା ସୂଚକ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ସମସ୍ତ ସାବାଳକ ନାଗରିକଙ୍କ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ହେବ। ଏଥିନିମନ୍ତେ ନୂତନ ଭୋଟରଙ୍କ ନାମ ପଞ୍ଜିକରଣ କରାଯିବା ସହିତ ଭୋଟର ତାଲିକାରୁ ମୃତକ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ଏବଂ ଭୋଟର ତାଲିକାରେ ନିଜର କୌଣସି ଭୁଲ ଓ ତୃଟି ଇତ୍ୟାଦିର ସଂଶୋଧନ କରାଯିବ । ଏଥି ନିମନ୍ତେ ଉଦ୍ଧିଷ୍ଟ ଥିବା ଯଥାକ୍ରମେ ଫର୍ମ ନଂ- ୬,୭,୮ ଓ ୮(କ) ରେ ସଂପୃକ୍ତ ବୁଥ ସ୍ତରୀୟ (ବିଏଲ୍ଓ) ଙ୍କ ସହଯୋଗରେ ଫର୍ମ ପୂରଣକରି ଚଳିତ ମାସ ୩୦ ମଧ୍ୟରେ ନୂତନ ଭୋଟରଙ୍କ ନାମପଞ୍ଜିକରଣ ଏବଂ ଆପତି ଅଭିଯୋଗ ଦରଖାସ୍ତ ଆବେଦନ କରାଯିବାର କାର୍ୟ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । କାର୍ୟ୍ୟସୂଚୀ ମତେ ଜିଲ୍ଲାର ସମସ୍ତ ୯ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବୁଥ ସ୍ତରରେ ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ସମସ୍ତ ବୁଥ୍ /ଏଇଆର୍ଓ/ ତଥା ଉପଜିଲ୍ଲାପାଳ ତଥା ଇଆର୍ଓ ସ୍ତରରେ ଚିଠା ଭୋଟର ତାଲିକା ଉପଲବ୍ଧ ହେବ। ଆସନ୍ତା ଡିସେମ୍ବର ମାସ ୨୦ ସୁଦ୍ଧା ଏହି ପ୍ରକ୍ରିୟା ସ୍ଥିରୀକୃତ ହୋଇ ଜିଲ୍ଲାର ଚୁଡ଼ାନ୍ତ ଭୋଟର ତାଲିକା ଆସନ୍ତା ବର୍ଷ ଜାନୁୟାରୀ ୫ରେ ପ୍ରକାଶ ପାଇବ। ଏନେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କୁ ନେଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ଜିଲ୍ଲାରେ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସଂପୃକ୍ତ ବିଏଲ୍ଓ ଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ଏଜେଣ୍ଟ୍ଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଭୋଟର ହେଲ୍ପ ଲାଇନ ଆପ୍ ଡାଉନଲୋଡ୍ କରି ମଧ୍ୟ ନାଗରିକମାନେ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ଏହି ବୈଠକରେ ଉପଜିଲ୍ଲାପାଳ ତଥା ଇଆର୍ଓ, ବାରିପଦା ଅନ୍ୟା ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀତା ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ।

 

ସମ୍ବନ୍ଧିତ ଖବର