ସଂନ୍ଧ୍ୟାରେ ବର୍ଷା ଆରମ୍ଭ, ଜୱାଦ୍‌ ମୁକାବିଲା କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭଞ୍ଜନଗର: ବାତ୍ୟା ‘ଜୱାଦ’ ପ୍ରଭାବରେ ଭଞ୍ଜନଗରରେ ଆଜି ସଂନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ ଏହାର ପ୍ରଭାବ ଦେଖା ଦେଇଥିବା ବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତାର ପ୍ରଭାବରେ ଆସନ୍ତା ୪ ଓ ୫ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଅନେକ କ୍ଷୟକ୍ଷତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି ଭଞ୍ଜନଗର ଉପଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ପୂର୍ବ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ମୁତାବକ ବର୍ଷାରେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥିବାରୁ ସମସ୍ତ ଲାଇନ୍‌ ବିଭାଗ ଓ ରାଜସ୍ୱ ବିଭାଗ ପୂର୍ବ ପ୍ରସ୍ତୁତି କରି ରଖିବାକୁ ଜଣାଇ ଦିଆଯାଇଛି। ବର୍ଷାଜଳ ଯୋଗୁଁ ନିଶ୍ଚିତ ରୂପେ ଅନେକ କ୍ଷୟକ୍ଷତି ହୋଇ ପରିସ୍ଥିତି ସାଂଘାତିକ ହେବ ତେଣୁ ଆଗୁଆ ସର୍ତ୍ତକତା ମୂଳକ ପଦକ୍ଷେପ ନେବା ପାଇଁ ସମସ୍ତ ବିଭାଗକୁ କୁହାଯାଇଥିବା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରକାଶ କରିଛନ୍ତି। ବିଶେଷ କରି ଅମଳ ଧାନକୁ ସୁରକ୍ଷିତ ରଖିବାକୁ ନିଦ୍ଦେ‌ଶ ଦିଆଯାଇଛି।

ଉପଖଣ୍ଡର ସମସ୍ତ ତହସିଲଦାର, ବିଡିଓ, ସିଡିପିଓ‌, ଯୋଗାଣ ଅଧିକାରୀ, ଏନ୍‌ଏସିଇଓ ପ୍ରମୁଖ ଅଧିକାରୀଙ୍କୁ ଆପତ୍ତକାଳୀନ ସ୍ଥିତିକୁ ସାମ୍ନା କରିବା ପାଇଁ ସର୍ତ୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଶ୍ରୀ ମିଞ୍ଜ୍‌ ଧରାକୋଟ, ସୋରଡ଼ା ବ୍ଳକ୍‌ର ବିଭିନ୍ନ ଅଞ୍ଚଳ ବୁଲିବା ସହ ବାତ୍ୟା ପୂର୍ବରୁ ଲୋକ ମାନଙ୍କୁ କିଭଳି ସ୍ଥାନାନ୍ତର କରାଯିବ। ନଦୀ ନାଳରେ ପାଣି ଆସିଲେ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଆଲେଚନା କରିଥିଲେ। ଏଥିସହ ଅସ୍ଥାୟୀ ଆଶ୍ରୟ ସ୍ଥଳ ବୁଲି ଦେଖିଥିଲେ। ଏହାପରେ ଆସିକା‌ ଠାରେ ବିଭିନ୍ନ ଅଧିକାରୀଙ୍କ ସହ ‌ଏସଂର୍ପକରେ ଆଲୋଚନା କରିଛନ୍ତି।

Sambad

ବିଶେଷ କରି ଆସିକା ସୋରଡ଼ା, ଧରାକୋଟ, ବେଲଗୁଣ୍ଠା ଏବଂ ଭଞ୍ଜନଗର ପ୍ରତି ଅଧିକ ସର୍ତକତା ଅବଲମ୍ବନ କରାଯାଉଥିବା ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି। ସୋରଡ଼ା ବ୍ଳକ୍‌ର ଅନେକ ଗ୍ରାମ ବର୍ତ୍ତମାନ ବିଚ୍ଛିନ୍ନାଞ୍ଚଳ ହୋଇଥିବାରୁ ସେହି ସବୁ ଅଞ୍ଚଳ ପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ଡାଲି ଚାଉଳ ରୋଷେଇ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଯେଉଁଠି କ୍ଷୟକ୍ଷତିର ଆଶଙ୍କ କରାଯାଉଛି ସେହି ସ୍ଥାନରୁ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନିଆଯାଇଛି।

ଏହି ସମୟରେ ଓଡ୍ରାଫ୍‌ ଓ ଦମକଳ ବାହିନୀଙ୍କୁ ନିଜର ଉଦ୍ଧାରକାରୀ ଉପକରଣ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରି ଏହି ତିନିଦିନ ସକାଶେ ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ଟଳିଲେ ସେମାନଙ୍କ ଛଡାଯିବ ବୋଲି ସେ କହିଛନ୍ତି ସେଠାରେ ସେମାନଙ୍କୁ ଖାଇବା ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ଦୃଷ୍ଟି ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମେଡିକାଲ୍‌ ଟିମ୍‌କୁ ମଧ୍ୟ ଆଲର୍ଟ ରହିବା ପାଇଁ କୁହାଯାଇଛି। ଆବଶ୍ୟକ ସୁ୍ଖିଲା ଖାଦ୍ୟ ଚୁଡା,ଚିନି ମହଜୁଦ ରଖାଯିବା ସହ ଜନସ୍ବାସ୍ଥ ବିଭାଗ ପକ୍ଷରୁ ବହୁ ପରିମାଣ ପିଇବା ପାଣି ବିଭିନ୍ନ ଟ୍ୟାଙ୍କର ଆଉ ବ୍ୟରେଲରେ ମହଜୁଦ ରଖିବା ପାଇଁ ନ‌ିର୍ଦ୍ଦେଶ ଜାରି କରାଯାଇଛି। ଏଥିସହ ଜଳ ସମ୍ପଦ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାଲିବସ୍ତା ଜେସିବି ଗାଡି ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ସମୟରେ ବ୍ୟାପକ କଳା ବଜାର ହେବାର ସମ୍ଭାବନା ଥିବାରୁ ଯୋଗାଣ ବିଭାଗ ସେଦିଗରେ ସ୍ବତନ୍ତ୍ର ନଜର ଦେବାକୁ କୁହାଯାଇଛି। ଲୋକ ମାନଙ୍କ ଧନ ଜୀବନ ସୁରକ୍ଷା ପାଇଁ ସ୍ବତନ୍ତ୍ର ନୋଡାଲ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର