ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ବାତ୍ୟା ଗତିବିଧି ଦେଖି ସ୍ଥାନାନ୍ତର ହେବେ ଲୋକେ

କିରୋସିନ୍, ମହମବତୀ, ଶୁଖିଲା ଖାଦ୍ୟ ମହଜୁତ, ଷଣ୍ଢକୁଦ ବସ୍ତି ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

ଜଗତସିଂହପୁର ଟାଉନ୍: ଆସୁଛି ବାତ୍ୟା ଅମ୍ଫାନ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି । କିଭଳି ଜଣେ ହେଲେ ଲୋକଙ୍କ ଜୀବନ ନଯାଏ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବିଶେଷ କରି ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଏଥିସହ ଶୁଖିଲା ଖାଦ୍ୟ, ମହମବତୀ, କିରୋସିନ୍ ମହଜୁତ୍ ରଖାଯାଇଛି । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ତେବେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ଜିଲ୍ଲାପାଳ ବାତିଲ୍ କରି ଦେଇଛନ୍ତି ।

ବର୍ତ୍ତମାନ କରୋନା ଭୟ ଲୋକଙ୍କ ମନରୁ ଲିଭିନଥିବା ବେଳେ ବାତ୍ୟାର ସୂଚନା ସାମାନ୍ୟ ବିଚଳିତ କରିଛି । ହେଲେ ୧୯୯୯ ମସିହା ଭଳି ବାତ୍ୟାକୁ ଅତି ନିକଟରୁ ଦେଖିଥିବା ଜଗତସିଂହପୁରବାସୀ ଏ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ସମସ୍ତ ବିଡ଼ିଓଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ଭିଡ଼ଇଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ନୂତନ ଭାବେ ଯୋଗଦେଇଥିବା ଏଡିଏମ୍ (ରେଭିନିୟୁ) ନିବେଦିତା ମିଶ୍ରଙ୍କ ତତ୍ୱାବଧାନରେ ଅମ୍ଫାନ କଣ୍ଟେଣ୍ଟ୍ରାଲ ରୁମ୍ ଖୋଲା ଯାଇଛି । ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୫୬୨ଟି ଅଙ୍ଗନବାଡ଼ି ଓ ସ୍କୁଲ୍ ଘରକୁ ପ୍ରସ୍ତୁତ କରି ରଖାଯାଇଛି । ତେବେ ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳ ବା ସ୍କୁଲ୍ ଘରେ କରୋନା ପାଇଁ ରହୁଛନ୍ତି ସେମାନଙ୍କୁ ଆବଶ୍ୟକ ସ୍ଥଳେ ଅଲଗା ରଖାଯାଇ ଉକ୍ତ ଘରକୁ ସାନିଟ୍ରାଇଜ୍ କରାଯାଇ ଲୋକଙ୍କୁ ରଖାଯିବ ।ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବ୍ଲକ୍ ଗୋଦାମରେ ଶୁଖିଲା ଖାଦ୍ୟ, କିରୋସିନ୍, ମହମବତୀ ମହଜୁତ ରଖାଯାଇଛି ।

ସମୂଦ୍ର ନିକଟବର୍ତ୍ତୀ ବ୍ଲକ୍ ବାଲିକୁାଦା, କୁଜଙ୍ଗ, ଏରସମା ବ୍ଲକ୍ ଓ ପାରାଦୀପ ପୌରାଞ୍ଚଳରେ ବସ୍ତି ଓ ନିକଟବର୍ତ୍ତୀ ଗାଁରେ ବିପଦପୂର୍ଣ୍ଣ ଭାବେ ରହୁଥିବା ଲୋକଙ୍କୁ ବାତ୍ୟାର ଗତିବିଧି ଦେଖି ସ୍ଥାନାନ୍ତରିତ କରାଯିବାକୁ ପ୍ରଶାସନ ଲକ୍ଷ ରଖିଛି । ଆଜି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପାରାଦୀପ ଗସ୍ତ କରି ଷଣ୍ଢକୁଦ ବସ୍ତି ବୁଲି ସ୍ଥିତି ପରଖିଥିଲେ । ସେଠାକାର ପାଖାପାଖି ୫୦୦୦ ଲୋକଙ୍କୁ ସ୍ଥାନାନ୍ତରିକତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ ପାରାଦୀପ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ସହ ଆଲୋଚନା କରିଛନ୍ତି । ଏରସମାର ଗଡ଼ବିଷ୍ଣୁପୁର, ଗୋଡା, ଗଡ଼ହରିଶପୁର, ପଦ୍ମପୁର ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିକତ କରାଯିବାର ଲକ୍ଷ ରଖିଛନ୍ତି । ଡାକବାଜି ଯନ୍ତ୍ର ଦ୍ୱାରା ଆଜି ସମୂଦ୍ର କୂଳ ବର୍ତ୍ତୀ ଗାଁ ଓ ବସ୍ତିରେ ମାଇକ୍ ପ୍ରଚାର କରାଯାଇଛି । ୧୦ ହଜାର ଖାଦ୍ୟ ପ୍ୟାକେଟ୍ ସହ ୨୦ଟା ଜେସିବି, ହାଇଡ୍ରୋଲିଗ୍ ଲିଫ୍ଟ୍ ସହ ଓଡ୍ରାଫ୍ ଟିମ୍ ୩୦ ଜଣ ସଜାଗ ରହିଛନ୍ତି । ଏନ୍ଡିଆର୍ଏଫ୍ ର ଗୋଟିଏ ଟିମରେ ୨୧ ଜଣ ପାରାଦୀପରେ ପହଞ୍ଚିଛନ୍ତି । ଭୟଭିତ ନହୋଇ ବାତ୍ୟାକୁ ସାମ୍ମନା କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

ସମ୍ବନ୍ଧିତ ଖବର