ରାଉରକେଲା: ଆଗାମୀ ହକି ବିଶ୍ବକପ୍‌ ପୂର୍ବରୁ ସହର ସୌନ୍ଦର୍ଯ୍ୟୀକୀରଣ ପ୍ରକ୍ରିୟା ଜୋର୍‌ ଧରିଛି। ରାସ୍ତା, ଫୁଟ୍‌ପାଥ ନିର୍ମାଣଠାରୁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭିତ୍ତିଭୂମି ବିକାଶ କରାଯାଉଛି। ଏଥିରେ ଏବେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ବିଶ୍ବକପ୍‌ ଅବ୍ୟବହତି ପୂର୍ବରୁ ସହରରେ କ୍ରୀଡ଼ାର ମାହୋଲା ସୃଷ୍ଟି କରିବା ତଥା ଜନସାଧାରଣଙ୍କୁ କ୍ରୀଡ଼ାମନସ୍କ କରିବା ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ‘ସିଟି ସ୍ପୋର୍ଟ‌୍ସ କାର୍ନିଭାଲ’ ଆୟୋଜନ କରାଯିବ। ଏହି କ୍ରୀଡ଼ା ମହୋତ୍ସବ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

ରାଉରକେଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ କ୍ରୀଡ଼ା ସଂଗଠନର ମିଳିତ ଆନୁକୁଲ୍ୟରେ ଏହି କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୋଟ ୫ ବିଭାଗ, ଯଥା-ହକି, ଖୋ ଖୋ, ଭଲିବଲ, ଫୁଟବଲ ଓ କବାଡ଼ି ବର୍ଗରେ ପ୍ରତିଯୋଗିତା ହେବ। ହକି, ଫୁଟବଲ ଓ କବାଡ଼ିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଖୋ ଖୋରେ କେବଳ ମହିଳା ଏବଂ ଭଲିବଲରେ କେବଳ ପୁରୁଷ ବର୍ଗର ମ୍ୟାଚ୍‌ ଖେଳାଯିବ। ପ୍ରତିଯୋଗିତାରେ କେବଳ ରାଉରକେଲା ମହାନଗର ନିଗମ ଓ ଆର୍‌ଏସ୍‌ପି ସହରାଞ୍ଚଳ ଦଳର ଦଳ ଅଂଶଗ୍ରହଣ କରିପାରିବେ। ତେବେ ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଆର୍‌ଏମ୍‌ସି ୱେବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ତାକୁ ପୂରଣ କରି ଆର୍‌ଏମ୍‌ସିର ଇ-ମେଲ୍‌ ଯୋଗେ କିମ୍ବା ଆର୍‌ଏମ୍‌ସିର ‘ମୋ ସରକାର ସେଲ’ ଦାଖଲ କରିବେ।

ଏତଦ୍‌ବ୍ୟତୀତ ସହରରେ ୪ଟି ରାହାଗିରି, ମିନି ମାରାଥନ୍ ଓ ବିଭିନ୍ନ ପ୍ରଦର୍ଶନୀ ମ୍ୟାଚ୍, ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି କମିସନର ଡା. ଶୁଭଙ୍କର ମହାପାତ୍ର କହିଛନ୍ତି, ହକି ଗଡ଼ରେ ହକି ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାକୁ ସହରବାସୀ ଅପେକ୍ଷାରତ। ଉତ୍ସାହିତ ଜନସାଧାରଣଙ୍କ ପାଇଁ ବିଶ୍ବକପ୍‌ ପୂର୍ବରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାବାଦ୍‌ ‘ହକି’ର ପ୍ରଚାର ପ୍ରସାର ପାଇଁ ୫୦ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନକରି ସମସ୍ତଙ୍କୁ ସାମିଲ କରାଯିବ। ଏହି ମହୋତ୍ସବକୁ ସଫଳ କରିବାକୁ ସହରବାସୀ ସ୍ବେଚ୍ଛାକୃତଭାବେ ଆଗେଇ ଆସିବାକୁ ଡା. ମହାପାତ୍ର ନିବେଦନ କରିଛନ୍ତି।