କେନ୍ଦ୍ରାପଡ଼ା: ରାତି ପାହିଲେ ରଥଯାତ୍ରା। କେନ୍ଦ୍ରାପଡ଼ାବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଗଡ଼ିବ। ରଥଦାଣ୍ଡରେ ଭକ୍ତ-ଭଗବାନ ଏକାକାର ହେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ନେଇ ପ୍ରଶାସନ ପକ୍ଷରୁ ବଳଦେବଜିଉଙ୍କ ରଥଯାତ୍ରା ସମୀକ୍ଷା ବୈଠକ ଇଚ୍ଛାପୁରାସ୍ଥିତ ଯାତ୍ରୀ ନିବାସ ସଭାଗୃହରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ବନ୍ଦ ଥିଲା। କେବଳ ବିଧି ରକ୍ଷା ପୂର୍ବକ ମନ୍ଦିରରେ ତିନି ଜିଉଙ୍କ ପ୍ରତୀକାତ୍ମକ ଭାବେ ଉତ୍ସବ ପାଳନ ହୋଇଥିଲା। ଏଥର କିନ୍ତୁ କରୋନା କଟକଣା ହଟି ଯାଇଥିବାରୁ ରଥଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ ହେବାକୁ ଯାଇଛି। ଦୁଇ ବର୍ଷ ପରେ ଯେହେତୁ ରଥଯାତ୍ରା ହେଉଛି, ତେଣୁ ଭକ୍ତଙ୍କ ସମାଗମ ପ୍ରବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ତେଣୁ ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ମଂଗଳବାର ଖୋଦ୍ ଏସ୍ପି ମଦକର ସନ୍ଦିପ ସଂପଦ ଇଚ୍ଛାପୁରସ୍ଥିତ ରଥଦାଣ୍ଡକୁ ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୮ପ୍ଲାଟୁନ୍ ଫୋର୍ସ ସହିତ ୪ଡିଏସ୍ପି, ୫ଇନସ୍ପେକ୍ଟର୍ଙ୍କୁ ମିଶାଇ ୧୬ପୁଲିସ ଅଧିକାରୀ ତଦାରଖ ଦାୟିତ୍ବରେ ରହିବେ ବୋଲି ସୂଚନା ଦିଆଯାଇଛି। ସେହିପରି ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୀତା ପଟ୍ଟନାୟକ, ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ନାୟକ, ତହସିଲଦାର ହେମଲତା ବାହାଲିଆ, ଡି.ପି.ସି.ଓ.ଡି.ଏଲ.ର ଏସ୍.ଡି.ଓ. ଦେବେନ୍ଦ୍ର ସାହୁ, କେନ୍ଦ୍ରାପଡା ପୌରପରିଷଦର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଯୋଗ ଦେଇ ରଥଯାତ୍ରା ଓ ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ନିଆଯାଇଥିବା ପୂର୍ବ ନିଷ୍ପତ୍ତିଗୁଡିକର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ।
ବିଶେଷକରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ବର୍ଷା ଜଳର ସୁନିଷ୍କାସନ ବ୍ୟବସ୍ଥା, ବଡଦାଣ୍ଡରେ ଜମି ରହିଥିବା ଘରୋଇ ବାଲି ଓ ବଜୁରିକୁ ହଟାଇବା, ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟି ଅପସାରଣ, ରଥର ଉପଯୁକ୍ତତା ପ୍ରମାଣପତ୍ର, ରାସ୍ତାଘାଟ ମରାମତି, ନିରବିଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିକଟରେ ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ସିସି ଟିଭି ମାଧ୍ୟମରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତର୍ଜମା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା` କେବଳ ସେତିକି ନୁହେଁ, ଜୁଲାଇ ୧ରୁ ୩ ପର୍ଯ୍ୟନ୍ତ ଏବଂ ଜୁଲାଇ ୯ରୁ ୧୦ ଯାଏ ଏକ ପାଖିଆ ଟ୍ରାଫିକ ବ୍ୟବସ୍ଥା ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାସ୍ତା ଓ କୋଠବାଡି ଏସଡିଓ ନିହାର ରଞ୍ଜନ ମାଟି, ପିଏଚଡି ସହକାରୀ ଯନ୍ତ୍ରୀ ରମଣ କୁମାର ଦାସ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସହକାରୀ ଅଗ୍ନିଶମ ଅଧିକାରୀ ଅଜୟ ମୁଦୁଲି, ଜିଲ୍ଲା ସଂସ୍କୃତି ଅଧୁକାରୀ ସୋନାଲୀ ବେହେରା, ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/IMG_20220629_121119_6.jpg)