ଭିଡି କଲେଜର ପ୍ଲାଟିନମ ଜୁବୁଲି ପ୍ରସ୍ତୁତି, ନିୟମିତ ବିମାନ ଚଳାଚଳ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମୀକ୍ଷା

ଜୟପୁର: ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି (ପ୍ଲାଟିନମ୍ ଜୁବୁଲି) ଉତ୍ସବକୁ ଅଧିକା ରଙ୍ଗାରଙ୍ଗ ଓ ସଫଳ କରିବା ପାଇଁ ଗୋଟିଏ ପଟେ ପ୍ରଶାସନ ପୁରା ଦମରେ ଲାଗି ପଡ଼ିଛି। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଆସି ଜୟପୁର ବିମାନବନ୍ଦରରେ ଓହ୍ଲାଇବେ। ଏଠାରେ ପୂର୍ବରୁ ଥିବା ଆଉ ଗୋଟିଏ ହେଲିକେପ୍ଟର ଯୋଗେ ଦଶହରା ପଡ଼ିଆ ପର୍ଯ୍ୟନ୍ତ ଯାଇ ସେଠାରେ ଓହ୍ଲାଇ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ସେହି ହେଲିକେପ୍ଟରରେ ବିମାନବନ୍ଦରକୁ ଆସିବେ। ପରେ କାର୍ଯ୍ୟକ୍ରମ ସାରି ବିମାନମନ୍ଦରରୁ ପୁଣି ଭୁବନେଶ୍ବର ଫେରିଯିବେ। ସକାଳୁଆ ମୁଖ୍ୟମନ୍ତ୍ରୀଙ୍କ ବିମାନ ପହଞ୍ଚିବା ପରେ ଭୁବନେଶ୍ବରରୁ ଜୟପୁର ଆସୁଥିବା ନିୟମିତ ବିମାନ ପହଞ୍ଚିବ। ଏହାପରେ ‌ଏଠାରୁ ବିଶାଖାପାଟଣାକୁ ଯିବ। ତେବେ ନିୟମିତ ବିମାନ ଚଳାଚଳ ସମୟରେ କିଛି ବାଧା ସୃଷ୍ଟି ନ କରି କିଭଳି ସମୟ ସାରିଣୀ କରାଗଲେ ୨ଟି ବିମାନ ଓ ଗୋଟିଏ ହେଲିକେପ୍ଟରର ସମୟ ଠିକ ହେବ ତାହାକୁ ନେଇ ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତର, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟ, ଜୟପୁର ବିମାନବନ୍ଦରର ଅଧିକାରୀ, ୨ବିମାନ, ହେଲିକେପ୍ଟରର ପାଇଲଟଙ୍କ ମଧ୍ୟରେ ଏହାକୁ ନେଇ ସମୀକ୍ଷା କରିଛନ୍ତି। ଆଜି ହେଲିକେପ୍ଟରଟି ଆସି କିଭଳି ଦଶହରା ପଡ଼ିଆରେ ଓହ୍ଲାଇବ ଆଦିର ଏୟାର ରୁଟ୍‌ ତଦାରଖ ବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ପ୍ରଶାସନ ୨୭ଟି ବିଭିନ୍ନ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରଖିଛି। ତା’ସହ ଜୟପୁର, ବୈପାରୀଗୁଡା ଓ କୋଟପାଡ଼ ବ୍ଲକର ଗୋଟିଏ ଲେଖାଏଁ ମହିଳା ସ୍ବୟଂସହାୟକ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ମିଶନଶକ୍ତି ଯୋଜନାରେ ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରିବାର ଯୋଜନା କରିଛି। ପୁଲିସ ପ୍ରଶାସନ ପକ୍ଷରୁ କିଭଳି ଟ୍ରାଫିକ ବ୍ୟବସ୍ଥାକୁ ସଜାଡି ଶାନ୍ତି ଶୃଙ୍ଖଳା ରକ୍ଷା କରିବେ, ସେଫ୍ ହାଉସ, ସୁରକ୍ଷାକର୍ମୀ ନିୟୋଜନ ଆଦିକୁ ନେଇ ଏସ୍‌ପି ଅଭିନବ ସୋନକର, ଜିଲ୍ଲାମୁଖ୍ୟାଳୟର ଏଏସ୍‌ପି, ଡିଏସ୍‌ପି ଓ ଜୟପୁର ଏସ୍‌ଡିପିଓ ଆଦିଙ୍କୁ ନେଇ ରୁଟ୍ ମ୍ୟାପ ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ସେଭଳି ଭୁବନେଶ୍ବରରୁ ଆସିଥିବା ମଞ୍ଚ ଓ ଟେଣ୍ଟ ହାଉସ ପକ୍ଷରୁ ୩ଟି ହ୍ୟାଙ୍ଗର ସହ ମଞ୍ଚ ପକାଇବାର ଯୋଜନା ରହିଛି।

କଲେଜ ଏବଂ ଦଶହରା ପଡ଼ିଆରେ ଚାଳିଥିବା କାମ ଏବେ ଶେଷ ପର୍ଯ୍ୟାୟରେ ରହିଛି। ଆଉ ବର୍ଷକ ପରେ ସାଧାରଣ ନିର୍ବାଚନ ସମ୍ଭାବନା ରହିଥିବାରୁ ଏହାକୁ ସୁଯୋଗ ଭାବେ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ ବି ପୁରା ଦମରେ ଲାଗି ପଡ଼ିଛି। ଅପରପକ୍ଷରେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୁପେ ସଫଳ କରିବା ଏବଂ ବିଜେଡିର ନେତାଙ୍କୁ ଉତ୍ସାହିତ କରିବା ପାଇଁ ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ବି ଜୟପୁରରେ ଡେରା ପକାଇବା କାର୍ଯ୍ୟକ୍ରମ ରହିଛି। ଯେ ହେତୁ ଏଠାରେ କଂଗ୍ରେସର ବିଧାୟକ ତାରାପ୍ରସାଦ ବାହିନୀପତି ରହିଥିବାରୁ ମୁଖ୍ୟମନ୍ତ୍ରୀ ଯାହା କିଛି ଘୋଷଣା କରିଲେ ତାଙ୍କ ସମୟରେ ‌ହିଁ ହୋଇଥିବା ପ୍ରମାଣିତ ହେବ, ତେଣୁ ସେ ଏହି ମଉକାକୁ ଜମାରୁ ହାତ ଛଡ଼ା କରିବା ମୁଡ଼ରେ ନାହାନ୍ତି। ବିଧାୟକଙ୍କ ପ୍ରତିନିଧିତ୍ବରେ ‌ପୁରାତନ ଛାତ୍ର ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଓ ୫ଟି ସଚିବଙ୍କୁ ଭେଟି ନିମନ୍ତ୍ରଣ ଦେଇ ଆଲୋଚନା କରି ଆସିଥିବା କହିଛନ୍ତି ବିଧାୟକ ବାହିନୀପତି। ନିଜ ନିର୍ବାଚନମଣ୍ଡଳୀ ତଥା ସହରର ଏବଂ ଶିକ୍ଷାର ବିକାଶ ହେବ ଏଥିରେ ସେ ସଂପୁର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି। ଯେଉଁଟି ବିକାଶ ହେଉଛି, ସେଠାରେ ସେ କେବେ ବିରୋଧ କରି ନାହାନ୍ତି, ‌ଶିକ୍ଷା, ଉନ୍ନୟନ ଓ ମହିଳାଙ୍କର ସଶକ୍ତିକରଣ ପାଇଁ ସେ ସଂପୁର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ବିଧାୟକ।

ସମ୍ବନ୍ଧିତ ଖବର