ଅଶୁଘାତ ମୁକାବିଲା ପାଇଁ ପ୍ରଶାସନ ବୈଠକ: ପାନୀୟ ଜଳ ସମସ୍ୟା-ଅଶୁଘାତ ମୁକାବିଲା ଉପରେ ଗୁରୁତ

ଆଠଗଡ: ଅଶୁଘାତ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଆଠଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ, ତହସିଲଦାର ତପନ ଖୁଣ୍ଟିଆ, ତିଗିରିଆ ତହସିଲଦାର ପ୍ରମୋଦ ବାସ୍କେ, ଆଠଗଡ ଆଇଆଇସି ଜ୍ଞାନରଂଜନ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।

ଆଗାମୀ ଦିନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ପାନୀୟ ଜଳ ସମସ୍ୟା, ଅଶୁଘାତ, ଅଗ୍ନି ବିପର୍ଯ୍ୟସ୍ତ ହେବାକୁ ଥିବା ବେଳେ ଏହାର କିପରି ମୁକାବିଲା କରାଯିବ ତାହା ଉପରେ ଗୁରୁତ ଆରୋପ କରାଯାଇଥିଲା। ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର କୋଠରୀ ର ବ୍ୟବସ୍ଥା କରାଯାଇଥିବା ଆଠଗଡ ମେଡ଼ିକାଲ ସୁପରିଟେଣ୍ଟ ଡ଼ ବିଜୟ କୁମାର ମିଶ୍ର ସୁଚନା ଦେଇଥିଲେ। ମହାନଦୀ ଜଳର ଅଭାବ ଯୋଗୁଁ ଆଖପାଖ ଅଞ୍ଚଳରେ ଭୂତଳ ଜଳସ୍ତର କମିଯାଉଛି ଫଳରେ ପୋଖରୀ, କୂପ, ନଳକୂପ ରେ ଜଳର ସମସ୍ୟା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ନଳକୂପ, ପାଣିପମ୍ପର ମରାମତି କରିବା ସହ ଅଧିକ ନଳକୂପ ଖନନ ଉପରେ ଆଲୋଚନା ହୋଇଥିଲା। ସମସ୍ତ ଛକ ଓ ବଜାର ମାନଙ୍କରେ ଜଳଛତ୍ର ଖୋଲିବା ପାଇଁ ସମସ୍ତ ବିଡ଼ିଓଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାଧାରଣ ଲୋକଙ୍କୁ ଅଶୁଘାତ ବିଷୟରେ ଅଧିକ ସଚେତନ କରାଇବା ପାଇଁ ତଦାରଖ ବିଡ଼ିଓ ଓ ତହସିଲଦାର କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର