ମାଲକାନଗିରି: ପ୍ରତି ଦୁଇବର୍ଷରେ ମହାଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡଯାତ୍ରା। ଏନେଇ ଜିଲ୍ଲାରେ ବଡ଼ଯାତ୍ରା ପୂଜା ଆରମ୍ଭ ହୋଇଯାଇଛି। ତେଣୁ ଆଜି ଉପଜିଲ୍ଲାପାଳଙ୍କ କକ୍ଷ ଠାରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଗଣ ମାଧ୍ୟମକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଯାତ୍ରାରେ ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ପାର୍କିଙ୍ଗ ନିୟମ ମାନିବା ସହ ଜ଼ିଲ୍ଲା ଏବଂ ପୁଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆସନ୍ତା ୨୬ ଫେବ୍ରୁଆରିରେ ଦେବାଦେବୀ ମାନେ ପଲ୍ଲୁର ଠାରେ ରାତ୍ର ରହଣି କରିବେ। ୨୭ ଫେବ୍ରୁଆରି ପୂର୍ବାହ୍ନ ୦୮ ଘଟିକାରେ ଆନ୍ଧ୍ର ପଲ୍ଲୁର ଅଭିମୁଖେ ଯାତ୍ରା ଆରମ୍ଭ ହେବ। ପୂର୍ବାହ୍ନ ୦୯ ଟାରେ ଓଡ଼ିଶା ପଲ୍ଲୁରରୁ ଆନ୍ଧ୍ରପଲ୍ଲୁରକୁ ନୌକା ବିହାର ହେବ। ପୂର୍ବାହ୍ନ ୧୦ଟାରେ ଆନ୍ଧ୍ର ପଲ୍ଲୁର ଠାରୁ ତାଡ଼ିକା ରାଓ ନଦୀ ଘାଟ ଅଭିମୁଖେ ଯାତ୍ରା ହେବ।ପୂର୍ବାହ୍ନ ୧୧ ଟାରେ ତାଡ଼ିକା ରାଓ ନଦୀଘାଟ ଠାରେ ଦେବାଦେବୀଙ୍କର ସ୍ନାନ ଯାତ୍ରା ହେବ।
ଅପରାହ୍ନ ୧ଟାରେ ନଦୀଘାଟ ଠାରୁ ଆନ୍ଧ୍ର ପଲ୍ଲୁରକୁ ପ୍ରତ୍ୟାବର୍ତ୍ତନ ହେବ। ଅପରାହ୍ନ ୨ଟାରେ ଆନ୍ଧ୍ରପଲ୍ଲୁର ଠାରେ ଦେବାଦେବୀ ରହଣି କରିବେ ଏବଂ ଅପରାହ୍ନ ୩ଟାରେ ଆନ୍ଧ୍ର ପଲ୍ଲୁର ଠାରୁ ଓଡ଼ିଶା ପଲ୍ଲୁରକୁ ଦେବାଦେବୀଙ୍କ ନୌକା ବିହାର ହେବ। ଅପରାହ୍ନ ୪ଟାରେ ଦେବାଦେବୀ ଓଡ଼ିଶା ପଲ୍ଲୁର ଠାରେ ପହଞ୍ଚିବେ ଏବଂ ସେଠାରେ ରହଣି ହେବ। ସେହିପରି ଅପରାହ୍ନ ୬ଟାରେ ପଲ୍ଲୁର ଠାରୁ ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ ହୋଇ ଦେବାଦେବୀ ମାନ୍ୟମକୋଣ୍ଡା ଠାରେ ରହଣି ହେବ। ମାଲକାନଗିରି ସଦର ମହକୁମା ଠାରେ ୪ମାର୍ଚ୍ଚରୁ ୭ମାର୍ଚ୍ଚ ପର୍ଯ୍ୟନ୍ତ ବଡ଼ଯାତ୍ରା ପାଳନ ହେବ। ୪ମାର୍ଚ୍ଚରେ କନ୍ୟାମାଝୀ ପୂଜାସ୍ଥଳରେ ଦେବାଦେବୀ ପୂର୍ବାହ୍ନ ୭ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ପୂଜା ପାଇବେ।
ଏ ନେଇ ବ୍ଲକ କାର୍ଯ୍ୟାଳୟ ରାସ୍ତା, ମାରଫେଡ ଏବଂ ଏସଏଭି ବିଦ୍ୟାଳୟ ଠାରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି। ସେହିପରି ମାଣ୍ଡିଆଭଟା ଠାରେ ୪ମାର୍ଚ୍ଚ ରାତ୍ର ୦୯ ଘଟିକାରୁ ୫ମାର୍ଚ୍ଚ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲୁ ରହିବ। ଏ ନେଇ ସିଡ଼ିଭି ଓ କାର୍ଯ୍ୟାଳୟ ଓ ଟାଉନ ହଲ ଠାରେ ପାର୍କିଙ୍ଗ କରାଯିବ। ସେହିପରି ୫ମାର୍ଚ୍ଚ ପୂର୍ବାହ୍ନ ୧୦ ଟାରୁ ମାଉଲି ମା’ ମନ୍ଦିର ଠାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ ୮ମାର୍ଚ୍ଚ ପୂର୍ବାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନିମନ୍ତେ ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ୱରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି। ସମସ୍ତ ଭାରି ଯାନ ଗୁଡିକ କଲେଜ ଛକରୁ କେନାଲ ଛକ ଭାୟା ପୁରୁଣା ମେଡିକାଲ ଛକ ଏବଂ ଆଈଏମଏସଟି ଛକ ହୋଇ ବାଇପାସ ରାସ୍ତା ଦେଇ ଯାତାୟତ କରିବ। ସେହିପରି ଭକ୍ତଙ୍କ ନିମନ୍ତେ ପାନୀୟଜଳ, ଆମ୍ବୁଲାନ୍ସ, ଭ୍ରାମ୍ୟମାଣ ଶୌଚାଳୟ ଏବଂ ସିଲେରୁ ନଦୀରେ ଭକ୍ତଙ୍କ ଯାତାୟତ ପାଇଁ ଜେଟିର ବ୍ୟବସ୍ଥା ନେଇ ସୂଚନା ଦିଆଯାଇଛି। ଏହି ଆଲୋଚନାରେ ଏସଡ଼ିପିଓ, ସଚିନ ପଟେଲ, ଆଈଆଇସି, ରିଗାନ କିଣ୍ଡୋ, ଅତିରିକ୍ତ ତହସିଲଦାର, ଜଗଦୀଶ କାର୍ତାମୀ, ଅଶୋକ କୁମାର ପାଲ ଏବଂ ଡ଼ିଆଈପିଆରଓ, ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।