ରାଇରଙ୍ଗପୁର: ରାଇରଙ୍ଗପୁର ପୌରପାଳିକାର ଇନ୍ଦିରା ଗାନ୍ଧି ଶିଶୁ ଉଦ୍ୟାନ ପରିସରରେ ହୋ ସମାଜର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ଜଲେନ୍ ବାର୍ଦାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ସାମାଜିକ ସଙ୍ଗଠନ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ସିଦାହରା ସୁସାର ଆକଳା, ହୋ ଗାଲାଂ, ଆଦିବାସୀ ହୋ ସମାଜ ମହାସଭା, ହୋ ସମାଜ ସମନ୍ୱୟ ସମିତିର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ବୈଠକରେ ହୋ ଭାଷାକୁ ସରକାରୀ ମାନ୍ୟତା ଏବଂ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦିଆଯିବାରେ ବିଳମ୍ବ କରାଯାଉଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଆଗାମୀ ଦିନରେ ହୋ ଭାଷା ମାନ୍ୟତା ପ୍ରସଙ୍ଗରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଶକ୍ତି ପ୍ରଦର୍ଶନ ନିମନ୍ତେ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା। ଏଥିପାଇଁ ଚଳିତ ମାସ ୧୯ ତାରିଖ ଦିନ ୱାରାଞ୍ଚିତି ଲିପିର ପ୍ରବର୍ତକ ଗୁରୁ ଲାକୋ ବଦ୍ରାଙ୍କ ଜୟନ୍ତୀ ପାଳନକୁ ‘ହୋ ଭାଷା ଦିବସ’ ରୂପେ ପାଳନ କରାଯିବା ନିମନ୍ତେ ସିଦ୍ଧାନ୍ତ ନିଆଯାଇଛି।
ଉକ୍ତ ଦିନ ବିଶାଳ ହୋ ସମାଜର ଶୋଭାଯାତ୍ରା କରାଯିବ ବୋଲି ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଞ୍ଜନ ତିରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ସିଦାହରା ସୁସାର ଆକାଳା ବାମନଘାଟୀ ଶାଖାର ସଭାପତି ପଦ୍ମଚରଣ ବାନାରା, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସଭାପତି ବିର୍ସା କଣ୍ଡାଂକେଲ ଓ ଜିଲ୍ଲା ଯୁଗ୍ମ ସମ୍ପାଦକ ବାବୁଲୁ ପୂର୍ତି, ହୋ ଗାଲାଂ କେନ୍ଦ୍ରୀୟ ସଭାପତି ଗଙ୍ଗାରାମ ହେମ୍ବ୍ରମ, ବାମନଘାଟୀ କୋହ୍ଲ ଓ ସାନ୍ତାଳ ଉନ୍ନୟନ ଟ୍ରଷ୍ଟର ସମ୍ପାଦକ ଅନୀଲ କୁମାର ବିରୁଆ, ଆଇନଜୀବୀ ଟିକୁନ୍ ଜେରାଇ, ହୋ ସମାଜ ସମନ୍ୱୟ ସମିତିର ସାନଙ୍ଗୀ ଜଙ୍କ ଓ ଲବ ପୂର୍ତି, ସାମାଜିକ କର୍ମୀ ମେଘନାଦ ହେମ୍ବ୍ରମ, ବିଜୟ କୁମାର କଣ୍ଡାଂକେଲ, ବିଜୟ କୁମାର ମୁନ୍ଦୁଇୟା, ସିଦିଉ ଲେୟାଙ୍ଗି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।