ବାତ୍ୟା ‘ୟସ’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି 

ବାରିପଦା :  ଆଗାମୀ ୨୬ ତାରିଖରେ ଆସିବାକୁ ଥିବା ଘୂର୍ଣ୍ଣିଝଡ \”ୟସ\”ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପୂର୍ବକ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । କ୍ଷତିଗ୍ରସ୍ତ ହେବାକୁ ଥିବା ଜିଲ୍ଲା ମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଏବଂ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧକ୍ଷତାରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଭିଡିଓ କନଫରେସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ସମସ୍ତ ବ୍ଲକ ସ୍ଥରୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଘୂର୍ଣ୍ଣିଝଡ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମହଜୁଦ ସହିତ ପୂର୍ବପ୍ରସ୍ତୁତି ଓ ବାତ୍ୟା ପରର୍ବୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଘୂର୍ଣ୍ଣିଝଡର ପ୍ରଭାବ ରହୁଥିବା ବ୍ଲକ ମାନଙ୍କରେ ଅସ୍ଥାୟୀ ଶିବିର ପ୍ରସ୍ତୁତି ସହିତ ନଦୀ ନିକଟରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ଓଡ୍ରାଫ, ବ୍ଲକ ସ୍ଥରୀୟ ଦମକଳ ବାହିନୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭବେଶ କୁମାର ନାୟକ, ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର, ଉପଜିଲ୍ଲାପାଳ ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ସହିତ ଜିଲ୍ଲାର ସମସ୍ତ ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ସିଡିପିଓ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।
ସମ୍ବନ୍ଧିତ ଖବର