ଭଦ୍ରକ: ବାତ୍ୟା ମୁକାବିଲା ପାଇଁ ଉପକୂଳ ଉପରେ ପ୍ରଶାସନର ନଜର 

ଧାମରାର ୮ ପଞ୍ଚାାୟତ ଉପରେ ସ୍ବତନ୍ତ୍ର ଫୋକସ, ଚାନ୍ଦବାଲି-ବାସୁଦେବପୁର ବ୍ଲକର ୭୨ ପଞ୍ଚାୟତ ଉପରେ ନଜର

ଭଦ୍ରକ: କରୋନାର ଭୟ ଦୁଇ ମାସ ଧରି ଭଦ୍ରକ ଜିଲ୍ଲାକୁ କଲବଲ କରୁଛି। ଏବେ ପୁଣି ମହାବାତ୍ୟା ‘ଅମ୍ପାନ’ର ଭୟ ଲୋକଙ୍କୁ ଆତଙ୍କିତ କରିଛି। ଜିଲ୍ଲାର ଉପକୂଳ ଅଞ୍ଚଳ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଧାମରାର ନିକଟବର୍ତ୍ତୀ ୮ ପଞ୍ଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ବାସୁଦେବପୁର ଓ ଚାନ୍ଦବାଲି ଦୁଇ ବ୍ଲକର ୭୨ ଟି ପଞ୍ଚାୟତ ଅନ୍ତର୍ଗତ ୯୧ ଟି ଗାଁ ଉପରେ ପ୍ରଶାସନର ନଜର ରହିଛି। ଏହି ସବୁ ଗ୍ରାମର ତଳିଆ ଅଞ୍ଚଳରୁ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯିବା ସହ ଚିହ୍ନଟ ହୋଇଥିବା ୬୩୦ ଟି ସ୍କୁଲକୁ ନେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ଅପରାହ୍ନ ସୁଦ୍ଧା ଏଇ ସବୁ ଅଞ୍ଚଳରୁ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ରାଜ୍ୟ ସରକାର ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ୩ ଟି ଏନଡିଆରଏଫ୍ ଟିମ୍ ଓ ୨ ଟି ଓଡ୍ରାଫ୍ ଟିମକୁ ଭଦ୍ରକ ପଠାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମରା ଅଞ୍ଚଳରେ ଗୋଟିଏ ଏନଡିଆରଏଫ ଟିମକୁ ମୁତୟନ କରିଥିବା ବେଳେ ଚାନ୍ଦବାଲିରେ ଗୋଟିଏ ଓ ଧାମରା – ବାସୁଦେବପୁର ମଧ୍ୟବର୍ତ୍ତୀ ସ୍ଥାନ ବିଦେଇପୁରଠାରେ ଗୋଟିଏ ଟିମକୁ ମୁତୟନ କରାଯାଇଛି। ବାସୁଦେବପୁର ବ୍ଲକର ଚୂଡାମଣିଠାରେ ଗୋଟିଏ ଓ ଭଦ୍ରକର ମୁଖ୍ୟାଳୟରେ ଗୋଟିଏ ଓଡ୍ରାଫ୍ ଟିମକୁ ଜରୁରୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରଖାଯାଇଛି। ଅଧିକ ପବନ ହେଲେ ବଡ ଗଡ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ରାସ୍ତା ଉପରେ ଉପୁଡି ପଡିବାର ସମ୍ଭାବନା ଥିବାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୧୦ଟି କଟର ମେସିନ ରଖାଯାଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିଲେ ତୁରନ୍ତ ଏହାକୁ ରାସ୍ତା ଉପରୁ ଉଠାଇବାର ବ୍ୟବସ୍ଥା କରାଯିବ।

ବିଦ୍ୟୁତ୍ ସରବରାହରେ ସମସ୍ୟା ହେଲେ ବାତ୍ୟା ଆଶ୍ରୟସ୍ଥଳରେ ଜେନେରଟର ବ୍ୟବସ୍ଥା କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଦମକଳ ବାହିନୀ ଆଜି ଦିନ ତମାମ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ପଇଁତରା ମାରିଛନ୍ତି। ଜିଲ୍ଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ ଆଦି ୪ ଟି ବ୍ଲକରେ ବାତ୍ୟା ମୁକାବିଲା ନେଇ ଦମକଳ ବାହିନୀଙ୍କୁ ଓ ସ୍ଥାନୀୟ ପୁଲିସ ପ୍ରଶାସନକୁ ସଜାଗ କରାଯାଇଛି।

ପୌରାଞ୍ଚଳ ଗୁଡିକରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶଦେଇଛନ୍ତି। ଆଜି ମଧ୍ୟ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ବାତ୍ୟା ମୁକାବିଲା ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଇ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସମେତ ଲାଇନସ୍ ଡିପାର୍ଟମେଣ୍ଟର ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ଦିଗରେ ଯୋଗାଣ ବିଭାଗ ସହ ଆଲୋଚନା କରାଯାଇଥିଲା। ବାତ୍ୟା ପରିଚାଳନା କରିବା ପାଇଁ ଧାମରାରେ ପିଡି ଡିଆରଡିଏ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୮ ପଞ୍ଚାୟତର ସମସ୍ତ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଡାକି ବୈଠକ କରିଥିଲେ।

ବାତ୍ୟା ମୁକାବିଲା ଦାୟୀତ୍ବରେ ଥିବା ନୋଡାଲ ଅଫିସରମାନେ ଧାମରା, ଚୂଡାଣି ଓ କସିଆ ସମୁଦ୍ର ମୁହାଣ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଧାମରାଠାରେ ଏନଡିଆରଏଫ ଟିମ୍ ପକ୍ଷରୁ ମାଇକ୍ ଯୋଗେ୍ ସତର୍କ ସୂଚନା ଦିଆଯାଇଛି। ମତ୍ସ୍ୟଜିବୀ ସମୁଦ୍ରକୁ ନଯିବା ପାଇଁ କଡା ତାଗିଦ୍ କରାଯାଇଛି। ଡଙ୍ଗା ଘାଟ ଗୁଡିକ ଉପରେ କଡା ନଜର ରଖାଯାଇଛି। ବାତ୍ୟା ସମୟରେ ଯେଭଳି କେହି ଡଙ୍ଗା ନେଇ ଘାଟ ପାର ନହେବାକୁ କୁହାଯାଇଛି।

ସମୁଦ୍ର ଉପକୂଳବର୍ତ୍ତୀ ୩ କିମି ଦୂରରେ ଥିବା ଲୋକମାନଙ୍କୁ ଗାଁ ଛାଡି ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଉଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଧାମରା ଅଞ୍ଚଳର ଝାଡକାଟି, ଗୁଆଁଳ, ଜାଗୁଳା, ଡିଆଁ ନରସିଂହ ପୁର, ବଳଭଦ୍ରପ୍ରସାଦ, ଦୋସିଙ୍ଗା, ବଳସାହି, ଉଦିତ ନଗର, ଚନ୍ଦନିପାଳ, କନକପ୍ରସାଦ, ବାଂଶଡା, କଇଥକୋଲା, ହୃଦୟ ପ୍ରସାଦ, ଗୌରୀ ପ୍ରସାଦ, କରଂଜମାଳ, ପଞ୍ଚୁଟିକ୍ରୀ, ବଇଁଚା, କରଣପଲ୍ଲୀ, ଚରଦିଆ, ଶଙ୍ଖପଦା, ହରିଶପୁର, ନଳଗୋହିରା ଅଞ୍ଚଳରେ ତଳିଆ ଅଞ୍ଚଳ ଓ ମାଟି ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି। ବାତ୍ୟା ପାଇଁ ଡଙ୍ଗା ସବୁ କୂଳରେ ଲାଗି ରହିଥିବା ବେଳେ ମତ୍ସ୍ୟଜିବୀମାନେ ସମୁଦ୍ର ଭିତରକୁ ଯାଇ ନାହାନ୍ତି।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ଆଜି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାାନ ଦାସ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ ଆଜି ଭଦ୍ରକରେ ପହଞ୍ଚି ବାତ୍ୟା ମୁକାବିଲା ନେଇ ଭଦ୍ରକ ଏସପି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ବାତ୍ୟାର ଭୟାବହତା ଅଧିକ ଥିବା ପାଣିପାଗ ବିଭାଗର ସୂଚନା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପ୍ରିନସପାଲ ସେକ୍ରେଟାରୀ ସୁଶିଲ କୁମାର ଲୋହାନୀ ଭଦ୍ରକରେ ପହଞ୍ଚି ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର