ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ଭାବ୍ୟ ବାତ୍ୟା ମୋଚା ପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସମ୍ମିଳନୀ କକ୍ଷର ଓସୱାନ୍ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବାତ୍ୟାର ମୁକାବିଲା ନିମନ୍ତେ ବ୍ୟାପକ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ବାତ୍ୟା ପରେ ତ୍ୱରିତ ଗତିରେ ଉଦ୍ଧାର ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରତି ବ୍ଲକ ମହକୁମାରେ ହ୍ୟାଲିପ୍ୟାଡ ପାଇଁ ବ୍ୟବସ୍ଥା କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଏହାସହ ପୌରାଞ୍ଚଳରେ ଡ୍ରେନ୍ଜ, ଗ୍ରାମାଞ୍ଚଳରେ ଚୁଡ଼ା, ଗୁଡ଼ ଆଦି ଶୁଖିଲା ଖାଦ୍ୟ, ଔଷଧ, ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ଆହର ଆଦିର ମହଜୁଦ କରିବାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ପଞ୍ଚାୟତରେ ଥିବା ଜେନେରେଟରର  ମରାମତି ଓ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲଗୃହ ଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା।

Advertisment

ପଞ୍ଜୀକୃତ ବୋଟ ଗୁଡ଼ିକର ଯାଞ୍ଚ କରିବା ସହ ଅଣପଞ୍ଜୀକୃତ ବୋଟ ଗୁଡ଼ିକୁ ରଦ୍ଦ କରିବା, ଗ୍ରାମାଞ୍ଚଳରେ ଲାଇଫ୍ ଜ୍ୟାକେଟ୍, ଦଉଡ଼ି, ଗଛ କାଟିବା ଯନ୍ତ୍ର ଓ ସହାୟତାକର୍ମୀଙ୍କୁ ପ୍ରସ୍ତୁତ ରଖିବା ଓ ଏନେଇ ଆବଶ୍ୟକ ହେଉଥିବା ସାମଗ୍ରୀର ରିପୋର୍ଟ ତୁରନ୍ତ ଦେବାକୁ ବିଡିଓ ମାନଙ୍କୁ ନିର୍ଦେଶ ଦିଆଯାଇଛି। ବ୍ଲକ ଠାରୁ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷକୁ ନଭେମ୍ବର ମାସ ଯାଏ କାର୍ଯ୍ୟକ୍ଷମ ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା (ପ୍ରଶାସନ), ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଜିଲ୍ଲା ସ୍ୱାସ୍ଥ୍ୟାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡ଼ା ମୁର୍ମୁ, ଡେପୁଟି ଜିଲ୍ଲାପାଳ ତଥା ଆପତକାଳୀନ ଅଧିକାରୀ ମମତା ସାହୁଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜଳସେଚନ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଆଭାସୀ ମାଧ୍ୟମରେ ବିଡିଓ ଓ ତହସିଲଦାର ମାନେ ନିଜ ନିଜ କାର୍ଯ୍ୟାଳୟରୁ ଯୋଗ ଦେଇଥିଲେ।