ବାତ୍ୟା ‘ଜୱାଦ’ ପ୍ରଭାବୀ ହେଲେ ‌ଧୋଇପାରେ ରାସ୍ତାଘାଟ, ହୋଇପାରେ ଭୂସ୍ଖଳନ

ରାୟଗଡ଼ା: ବାତ୍ୟା ‘ଜୱାଦ’ ଲ୍ୟାଣ୍ଡଫଲ୍ କରିବା ପରେ ରାୟଗଡ଼ାରେ ବଢ଼ିବ ବର୍ଷା। ୪୦ ରୁ ୫୦ କିମି ବେଗରେ ପବନ ବହିବ। ବର୍ଷା ପ୍ରଭାବରେ ରାସ୍ତାଘାଟ ଧୋଇଯିବା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଏପରି ସତର୍କ ସୂଚନା ପରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ସହ ଛୁଟିରେ ଥିବା ଅଧିକାରୀ ତୁରନ୍ତ ଫେରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଛି।

ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ପ୍ରଥମେ ଆନ୍ଧ୍ର ଉପୂକଳ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ଫଳରେ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା। ବାତ୍ୟା ଆଜି ଗତିପଥ ପରିବର୍ତ୍ତନ କରିବା ପରେ ପୁରୀରୁ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ରାୟଗଡ଼ାରୁ ବିପଦ ଟଳିଛି। କିନ୍ତୁ ବର୍ଷା, ପବନ ବଢ଼ିବା ସହ ଭୂସ୍ଖଳନ ହେବାକୁ ଥିବାରୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ହୋଇଛି।

ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା, ବାତ୍ୟା ପ୍ରଭାବିତ ଏବଂ ଭୂସ୍ଖଳନ ହେବାକୁ ଥିବା ସ୍ଥାନ ଚିହ୍ନଟ କରି ତୁରନ୍ତ ରିପୋର୍ଟ ଦେବାକୁ ବିଡ଼ିଓଙ୍କୁ ନିର୍ଦେଶ ହୋଇଛି। ପୂର୍ବ ବାତ୍ୟା ଭଳି ପ୍ରସ୍ତୁତ ରହିବାକୁ ବ୍ଲକ୍ ପ୍ରଶାସନକୁ କଡ଼ା ନିର୍ଦେଶ ହୋଇଛି। ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ଜିରୋ କାଜୁଆଲଟି ପାଇଁ ସମସ୍ତେ ସତକର୍ତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜରୁରିକାଳୀନ ସହାୟତା ପାଇଁ ଜିଲ୍ଲା ଓ ବ୍ଲକସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବ। ତଳି ଅଞ୍ଚଳବାସୀଙ୍କୁ ଚିହ୍ନଟ କରିବା ସହ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବିଶେଷ କରି ରାୟଗଡ଼ା, ଗୁଡାରି, ଓ ଗୁଣପୁର ତଳି ଅଞ୍ଚଳ ପ୍ରତି ନଜର ରଖିବାକୁ ଜିଲ୍ଲାପାଳ କହିଥିଲେ। ଆବଶ୍ୟକ ପଡ଼ିଲେ ପଞ୍ଚାୟତ ଜନପ୍ରତିନିଧିଙ୍କ ସହାୟତା ନିଆଯିବ। ଗ୍ରାମ୍ୟ ନିର୍ମାଣ, ପୂର୍ତ୍ତ ବିଭାଗକୁ ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ନିର୍ଦେଶ ହୋଇଛି।

ସେହିପରି ବଡ଼ନାଳ, ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଔଷଧ ପତ୍ର ମହଜୁଦ ରଖାଯାଇଛି। ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ଅତି ଆବଶ୍ୟକ ସାମଗ୍ରୀ ଚୁଡା, ଚାଉଳ, କିରୋସିନ, ଦିଆସିଲ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଆସନ୍ନ ପ୍ରସବ ମହିଳାଙ୍କୁ ନିକଟସ୍ଥ ମା’ ଘର ଓ ମେଡ଼ିକାଲକୁ ସ୍ଥାନାନ୍ତର କରିବାକୁ ସମସ୍ତ ସିଡିପିଓଙ୍କୁ ନିର୍ଦେଶ ହୋଇଛି। ଅମଳକ୍ଷମ ଫସଲକୁ ତୁରନ୍ତ ଅମଳ କରି ଖଳାକୁ ନେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚାଷୀଙ୍କୁ ସଚେତନ କରିଛନ୍ତି। ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମ୍ବନ କରିବ। ରାସ୍ତା ଅବରୋଧ ହଟାଇବା ସହ ପାଣି ଘେରରେ ଫଶିଥିବା ଲୋକଙ୍କୁ ଉଦ୍ଧାର ଦିଗରେ ପ୍ରସ୍ତୁତ ରହିବାକୁ ଜିଲ୍ଲା ଅଗ୍ନିଶମ ବିଭାଗକୁ ନିର୍ଦେଶ ହୋଇଛି। ସେହିପରି ବିଦ୍ୟୁତ ବିଭାଗ, ଟେଲିଫୋନ ବିଭାଗ ମଧ୍ୟ ପ୍ରସ୍ତୁତ ରହିବେ।

ସମ୍ବନ୍ଧିତ ଖବର