କନ୍ଧମାଳରେ ପୌର ନିର୍ବାଚନ ପାଇଁ ପାଗ ଭିଡା: ରଣନୀତି ପ୍ରସ୍ତୁତି ଚଳାଇଛି ବିଜେଡି, ଟକର ପାଇଁ ସଂଗଠନ ସଜଡାରେ ବିଜେପି ଓ କଂଗ୍ରେସ  

ଫୁଲବାଣୀ: ‌ତାଲିକା ରହିରେ ନୂଆ ଭୋଟର। ଆଉ ସଂଶୋଧନ ହେବ ଭୋଟର ତାଲିକା। ଏହି କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।  ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଶେଷ ହେବ। ସମ୍ଭବତଃ ତାପରେ ପରେ ପୌର ନିର୍ବାଚନ ପାଇଁ ବିଗୁଲ ବାଜିବ। ଏହାକୁ ନେଇ କନ୍ଧମାଳରେ ସବୁ ରାଜନୈତିକ ଦଳ ମଧ୍ୟରେ ବେଶ ତତ୍ପରତା ପ୍ରକାଶ ପାଇଛି। ସବୁ ଦଳ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ସଂଗଠନ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଫୁଲବାଣୀ ପୌର ପରିଷଦ ଓ ଜି.ଉଦୟଗିରି ବିଜ୍ଞାପିତ ପରିଷଦ ପାଇଁ ନିର୍ବାଚନ ହେବ। ଏଥି ସହ ଆସନ୍ତା ଫେବୃଆରୀରେ କାର୍ଯ୍ୟକାଳ ଶେଷ ହେଉ ଥିବାରୁ ବାଲିଗୁଡା ବିଜ୍ଞାପିତ ପରିଷଦ ନିର୍ବାଚନ ହେବା ନିଶ୍ଚିତ । ତେଣୁ ଫୁଲବାଣୀ, ବାଲିଗୁଡା ଓ ଜି.ଉଦୟଗିରି ପୌର ନିର୍ବାଚନ ପାଇଁ ସବୁ ଦଳ ପାଗ ଭିଡା ଆରମ୍ଭ କରି ଦେଇଛନ୍ତି। ଗତ ନିର୍ବାଚନରେ ଏହି ୩ଟିରେ ବିଜେଡି କ୍ଷମତା ଦଖଲ କରିଥିଲା। ବିଜ୍ଞାପିତରୁ ଫୁଲବାଣୀ ପୌର ପରିଷଦ ଗଠନ ହେବାର ୧୦ ବର୍ଷ ହେଲା। ୨ ଥର ନିର୍ବାଚନରେ ବିଜେଡି ବାଜିମାତ କରି କ୍ଷମତା ହାତରେ ରଖିବାରେ ସଫଳ ହୋଇଛି। ଗତ ନିର୍ବାଚନରେ ୧୩ ଆସନ ବିଶିଷ୍ଠ ପୌର ପରିଷଦରେ ବିଜେଡି ସର୍ବାଧିକ ୯ ଆସନ ପାଇଁ କ୍ଷମତା ହାତେଇ ଥିଲା।

କଂଗ୍ରେସ ୨ ଓ ସ୍ବାଧୀନ ୨ଟି ଆସନ ପାଇଥିବା ବେଳେ ବିଜେପି ଖାତା ଖୋଲି ପାରି ନଥିଲା। ଜି.ଉଦୟଗିରି ବିଜ୍ଞାପିତ ପରିଷଦରେ ବି ୧୩ ଆସନରୁ ବିଜେଡି ୧୦ ହାତେଇ କ୍ଷମତା ହାସଲ କରିଥିଲା। କଂଗ୍ରେସ ୨ ଓ ସ୍ବାଧୀନ ଗୋଟିଏ ଆସନ ପାଇଥିଲେ। ହେଲେ ବିଜେପି ଗୋଟିଏ ଆସନ ପାଇବାରେ ସକ୍ଷମ ହୋଇ ପାରି ନଥିଲା। ପ୍ରଥମ କରି ବାଲିଗୁଡା ଏନଏସି ଗଠନ ହେଲା। ପ୍ରଥମ ନିର୍ବାଚନରେ ବିଜେଡି ୧୩ରୁ ୯ ଆସନ ପାଇ କ୍ଷମତା ଦଖଲ କରିଥିଲା। କଂଗ୍ରେସ ୩ଟି ଆସନ ପାଇ ସନ୍ତୁଷ୍ଟ ହୋଇଥିବା ବେଳେ ବିଜେପି ଗୋଟିଏ ଆସନ ପାଇବାରେ ସକ୍ଷମ ହୋଇଥିଲା। ଏଥର ନିର୍ବାଚନରେ ବି ପୁଣି କ୍ଷମତା ଦଖଲ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତି ଚଳାଇଛି।

ଜନସମ୍ପର୍କ ସଚେତନତତା ଓ  ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ସହ ଯୋଡି ହୋଇ ସଂଗଠନ ଆହୁରି ସୁଦଢ କରିବାକୁ ବିଜେଡି ଉଦ୍ୟମ ଚଳାଇଛି। ଏଥର ପୌର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ବୋଲି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ କହିଛନ୍ତି। ନବୀନ ବାବୁଙ୍କ ଭାବମୂର୍ତ୍ତି ଓ ଜନହିତକାର କାର୍ଯ୍ୟକ୍ରମ ପାଇଁ ପୁଣି ଫୁଲବାଣୀ,ବାଲିଗୁଡା ଓ ଜି.ଉଦୟଗିରିରେ ବିଜେଡି ଭଲ ପ୍ରଦର୍ଶନ କରିବ ଏବଂ କ୍ଷମତା ହାସଲ କରିବ ବୋଲି ସେ କହିଛନ୍ତି। ହେଲେ ଏଥର ବିଜେଡି ପାଇଁ ଏତେଟା ସହଜ ନୁହେଁ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ନେତୃବୃନ୍ଦ କହିଛନ୍ତି। ମୋଦିଙ୍କ ଭାବମୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଦେଖି ଲୋକ ବିଜେପିକୁ ଆପଣାଇବେ ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି। ଏଥି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ସଂଗଠନ ସୁଦଢ କରାଯାଉଛି ବୋଲି ସେ କହିଛନ୍ତି।

ପୌର ନିର୍ବାଚନରେ ବିଜେଡି ଓ ବିଜେପିକୁ ଲୋକମାନେ ପ୍ରତ୍ୟାଖାନ କରିବେ। ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଛି। ‌ନେତା ଓ କାର୍ଯ୍ୟକର୍ତ୍ତା ସରକାରୀ ଅର୍ଥକୁ ଲୁଟୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଲୋକଙ୍କୁ ବିଜେଡି ଓ ବିଜେପିର ଅପକର୍ମ ସମ୍ପର୍କରେ ଅବଗତ କରାଯାଉଛି।  ତେଣୁ ଏଥର ଯୋଗ୍ୟ ପ୍ରାର୍ଥୀକୁ ଟିକେଟ ଦିଆଯିବ। ଆଉ କଂଗ୍ରେସ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି। ଦେଖାଯାଉ ସୁବିଧା ଜନକ ସ୍ଥିତିରେ ଥିବା ବିଜେଡିକୁ କେତେ ଟକର ଦେଉଛନ୍ତି ବିଜେପି ଓ କଂଗ୍ରେସ।

ସମ୍ବନ୍ଧିତ ଖବର