ସହିଦ ସପ୍ତାହ ପାଇଁ ସଜବାଜ ନକ୍ସଲ; ସହିଦସ୍ତମ୍ଭ ନିର୍ମାଣ ସହ, ପ୍ରଜାମେଳୀ ପାଇଁ ଆହ୍ବାନ

ମାଲକାନଗିରି: ଆସନ୍ତା ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ନକ୍ସଲ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର ସୀମା, ତେଲେଙ୍ଗାନା ସୀମା ଏବଂ ଛତିଶଗଡ ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ସହିଦସ୍ତମ୍ଭ ନିର୍ମାଣ କାର୍ଯ୍ୟ ସରିବାକୁ ବସିଲାଣି। ସହିଦ ସପ୍ତାହକୁ ନେଇ ନକ୍ସଲ ସଂଗଠନ ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାଏ। ଏହି ସମୟରେ ନକ୍ସଲ ଉଗ୍ର ହେବା ସହ ସହିଦଙ୍କ ସ୍ମୃତି ଉଦେଶ୍ୟରେ ଗାଁ ଗାଁରେ ନାଚଗୀତର ଆସର ଜମିଥାଏ। ଶହଶହ ଲୋକଙ୍କୁ ନେଇ ସହିଦସ୍ତମ୍ଭ ନିକଟରେ ସହିଦ ହୋଇଥିବା ନେତାମାନଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିବା ପରେ ନକ୍ସଲ ସଂଗଠନର କାର୍ଯ୍ୟ ପ୍ରଣାଳୀ ଉପରେ ଗୀତନାଚ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥାଏ।

ପୁଲିସ ଏବଂ ସରକାର କିପରି ଲୋକଙ୍କୁ ଲୁଣ୍ଠନ କରୁଛନ୍ତି ସେନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ବୁଝାଯାଇଥାଏ। ଏପରିକି ଆମ୍ବୁସରେ ଫସାଇ ଯବାନଙ୍କୁ କିପରି ହତ୍ୟା କରାଗଲା ତାହାର ନାଟ୍ୟ ରୂପାନ୍ତର ମଧ୍ୟ କରାଯାଇଥାଏ। ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ ଏବେ ସିମେଣ୍ଟ ଏବଂ ଇଟା ସାହାର୍ଯ୍ୟରେ ସହିଦସ୍ତମ୍ଭ ନିର୍ମାଣ କରାଯିବା ପରେ ସେଥିରେ ଲାଲ ରଙ୍ଗ ମରା ଯାଇଥିବା ଦେଖିବାକୁ ମିଳିଛି।

ଏହି ସ୍ତମ୍ଭରେ ସହିଦମାନଙ୍କ ନାମ ଉଲ୍ଲେଖ କରାଯାଇଛି। ନକ୍ସଲ ସଂଗଠନ ପ୍ରତିବର୍ଷ ଏହି ସପ୍ତାହକୁ ଧୁମଧାମରେ ପାଳନ କରିଥାଏ। ତେଣୁ ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ ଏହି ଦିନ ଆସିଲେ ଆତଙ୍କିତ ହୋଇପଡନ୍ତି। ନକ୍ସଲ ବିନା କାରଣରେ ଲୋକଙ୍କୁ ଟାର୍ଗେଟ କରି ଅତି ନିର୍ମମ ଭାବେ ହତ୍ୟା କରିଥାନ୍ତି। ଏଥିସହ ପୁଲିସକୁ ମଧ୍ୟ ଟାର୍ଗେଟ କରିବା ପାଇଁ ଯୋଜନା କରାଯାଇଥାଏ। ନକ୍ସଲ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପୂର୍ବରୁ ହିଁ ସହିଦ ସପ୍ତାହ ପାଳନ ନେଇ ଜଣାଇଥିବା ବେଳେ ଏବେ ଗାଁ ଗାଁରେ ପୋଷ୍ଟର ଏବଂ ବ୍ୟାନର ମରାଯାଉଛି।

ବିଶେଷକରି ମାଲକାନଗିରିରୁ ଦୁର୍ଗମ ଗ୍ରାମରେ ନକ୍ସଲ ପ୍ରଜାମେଳି କରିବାର ସମ୍ଭାବନା ରହିଛି। ତେଣୁ ଗୁଇନ୍ଦା ବିଭାଗ ସଜାଗ ହୋଇ ରହିଛି। ନକ୍ସଲର ଗତିବିଧି ଉପରେ ଗୁଇନ୍ଦା ତିକ୍ଷଣ୍ ନଜର ରଖିଥିବା ବେଳେ କୌଣସି ଅଘଟଣକୁ ଏଡାଇବାକୁ ସମସ୍ତ ଚେଷ୍ଟା ଚାଲିଥିବା ଗୁଇନ୍ଦା ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି। ସହିଦ ସପ୍ତାହକୁ ଆଖି ଆଗରେ ରଖି ପୁଲିସ ମଧ୍ୟ ତାର ଚାଲ ଚଲାଇଛି। ଗତ ଦୁଇ ଦିନ ତଳେ ପୁଲିସ ଜିଡି ଅଭୟ ମାଲକାନଗିରି ଆସି ଦୁଇ ଜଣ ହାର୍ଡକୋର ନକ୍ସଲ ସବିତା ଓ ରାଇଧର ଆତ୍ମସମର୍ପଣ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।

Sambad

ଯାହାଦ୍ବାରା ନକ୍ସଲ ସଂଗଠନରେ ଏକ ପ୍ରକାର ଭାଳେଣି ପଡିବ। ସଂଗଠନର ଅନ୍ୟମାନେ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ଆଗେଇ ଆସିବେ। ପୁଲିସ ଲୋକଙ୍କୁ ଭୟଭୀତ ନହେବା ପାଇଁ ଅନୁରୋଧ କରୁଛି। ଏପରିକି ଗୁଇନ୍ଦା ମଧ୍ୟ ଚଳିତ ବର୍ଷ ପାଦେ ଆଗେଇ ଯାଇ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ମାରିଛି। ପାର୍ଟିରେ କର୍ମୀ ଭାବେ କାମ କରୁଥିବା ନକ୍ସଲମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛି। ଏପିରିକି ଆତ୍ମସମର୍ପଣ କଲେ ଟଙ୍କା, ଜାଗା ସହ କାମ ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ପୁଲିସ ଏବଂ ନକ୍ସଲ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ନିରୀହ ଜନତା ବଳି ପଡୁଛନ୍ତି। ନକ୍ସଲକୁ ସମର୍ଥନ କଲେ ପୁଲିସ ଧରୁଛି। ଅନ୍ୟଦିଗରେ ପୁଲିସକୁ ସହାୟତା କଲେ ନକ୍ସଲ ହତ୍ୟା କରୁଛି। ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳର ଲୋକେ ଯିବେ ତ ଯିବେ କୁଆଡେ। ଭଗବାନଙ୍କୁ ଭରସା କରି ଦୁଇପଟରୁ ସମାନ ଦୁରତା ରଖି କାମ କରୁଛନ୍ତି।

ସହିଦ ସପ୍ତାହ ପୂର୍ବରୁ ଜିଲ୍ଲାରେ ରହିଥିବା ବିଏସ୍ଏ‌ଫ୍‌ ମଧ୍ୟ କମ୍ବିଂ ଅପରେସନକୁ ଜୋରଦାର କରିଛି। ପୁଲିସ ମଧ୍ୟ ଯେଉଁ ସ୍ଥାନରେ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିଛନ୍ତି ଜାଣିବା ପରେ ସେଠାରେ ପହଞ୍ଚି ସହିଦସ୍ତମ୍ଭକୁ ଧ୍ବଂସ କରୁଛି। ଜିଲ୍ଲାରେ ଏବେ ହାଇଆଲର୍ଟ ଜାରି ହୋଇଛି। ଅଚିହ୍ନା ଲୋକଙ୍କୁ ପୁଲିସ ଯାଞ୍ଚ କରୁଥିବା ବେଳେ ସୀମାକୁ ସିଲ କରାଯାଇଛି। ସହିଦ ସପ୍ତାହ ପୂର୍ବରୁ ସୀମାରେ ନକ୍ସଲ ହିଂସାକାଣ୍ଡ ଆରମ୍ଭ କରିସାରିଲେଣି। ତେବେ ସହିଦ ସପ୍ତାହରେ ନକ୍ସଲ ଜିଲ୍ଲାରେ କି ଅଘଟଣ ଘଟାଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର