ଏମ୍ସ ପାଇଁ ସୁନ୍ଦରଗଡ଼ରେ ଆନ୍ଦୋଳନ ସଜବାଜ, ଗଠନ ହେଲା ‘ମିଶନ ଏମ୍ସ ଆଟ୍ ସୁନ୍ଦରଗଡ଼’

ବିଧାନସଭାରେ ସଂକଳ୍ପ ଗୃହୀତ କରିବାକୁ ଦାବି 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଠାରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ପାଇଁ ସୁନ୍ଦରଗଡ଼ରେ ଉଠିଥିବା ସ୍ବର ତେଜିୟାନ ହେବ। ଦାବି, ଦରଖାସ୍ତରେ ସୀମିତ ଥିବା ଏ ସ୍ବର ଆଗକୁ ବ୍ୟାପକ ଜନ ଆନ୍ଦୋଳନର ରୂପ ନେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଆଜି ପ୍ରଗତି ମଣ୍ଡପରେ ସୁନ୍ଦରଗଡ଼ ସର୍ବ ଦଳ ଓ ସର୍ବ ସଂଗଠନ ସହ ବୁଦ୍ଧିଜୀବୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ବୁଦ୍ଧିଜୀବୀ ଡ. ଦିଲୀପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ‘ଏମ୍ସ’ ହାସଲ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ସୁନ୍ଦରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବର ଏକ ଓ ଦୃଢ଼ କରିବାକୁ ଆହ୍ବାନ ଦିଆଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବର ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଲୋଚନା କରି ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ଆସନ୍ତା ବିଧାନସଭା ଅଧିବେସନରେ ଏମ୍ସ ପାଇଁ ଏକ ସଂକଳ୍ପ ଗୃହୀତ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିବା, ସୁନ୍ଦରଗଡ଼ ସାଂସଦ ଓ ୭ ବିଧାୟକ ସମେତ ପଶ୍ଚିମ ଓଡ଼ିଶା ସମସ୍ତ ସାଂସଦ ଓ ବିଧାୟକଙ୍କ ଜରିଆରେ ରାଜନୈତିକ ଚାପ ସୃଷ୍ଟି, ବିଧାନସଭା ଅଧିବେସନ ସମୟରେ ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ, ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବା ଓ ଆନ୍ଦୋଳନକୁ ସହରରୁ ଗାଁ ଯାଏ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଡ. ଦିଲୀପ ମିଶ୍ରଙ୍କ ନେତୃତ୍ବରେ ବିଧିବଦ୍ଧ ଭାବେ ‘ମିଶନ ଏମ୍ସ ଆଟ୍ ସୁନ୍ଦରଗଡ଼’ ନାମରେ ଏକ କମିଟି ଗଠନ କରି ଆନ୍ଦୋଳନକୁ ଆଗକୁ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି।

ସୁନ୍ଦରଗଡ଼ ବିକାଶ ପରିଷଦ ସହ ସଂଯୋଜକ ଡ. ଦିଲୀପ ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ବରିଷ୍ଠ ଆଇନଜୀବୀ ନିମାଇଁଚରଣ ନାଏକ, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ବରିଷ୍ଠ ଆଇନଜୀବୀ ଅଶୋକ ଦାଶ, ବରିଷ୍ଠ ନାଗରିକ ଭବାନୀ ମାଝୀ, ବେଣୁମାଧବ ତ୍ରିପାଠୀ, ବରିଷ୍ଠ ନାଗରିକ ସଂଘ ସଭାପତି ଡ. ହିମାଂଶୁ ଶେଖର ଗୁରୁ, ସୁନ୍ଦରଗଡ଼ ନାଗରିକ ଫୋରମ କାର୍ଯ୍ୟକାରୀ ସଭାପତି ସିଦ୍ଧାନ୍ତ କୁମାର ପଣ୍ଡା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଆଇନଜୀବୀ ଧର୍ମେଶ ପଟେଲ, ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ, ସିଆଇଆରଟିଡି ଅଧ୍ୟକ୍ଷ ନଟକିଶୋର ମିଶ୍ର, ଯଶୋବନ୍ତ ନାଏକ, ହରଜେନ୍ଦ୍ର ସିଂ, ଓକିଲ ସଂଘ ସଭାପତି ସୁକାନ୍ତ ମହାପାତ୍ର, ସୁରେନ୍ଦ୍ର ସ୍ବର୍ଣ୍ଣକାର, ବିଶ୍ବଜିତ ତନ୍ତୀ, ସୁନୀଳ ମହାପାତ୍ର ପ୍ରମୁଖ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତାବ ଦେଇଥିଲେ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୨୦ ନଭେମ୍ବରରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବା ଓ ୨୦୨୧ ମାର୍ଚ୍ଚ ଶେଷ ସପ୍ତାହରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। ଏହା ପରେ ଅପ୍ରେଲ ୩ରେ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନାବାନେଙ୍କ ନେତୃତ୍ବରେ ୯ ଜଣିଆ କେନ୍ଦ୍ର ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ସୁନ୍ଦରଗଡ଼ ଶଙ୍କରାରେ ନବନିର୍ମିତ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଭିତ୍ତିଭୂମିର ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। କିନ୍ତୁ ଏଯାଏ କେନ୍ଦ୍ର ଏ ସମ୍ପର୍କରେ ନିରବ ଥିବା ବେଳେ ରାଜ୍ୟ ସରକାର ଏମ୍ସ ପାଇଁ ଚାପ ପକାଇବା ବଦଳରେ ଚଳିତ ବର୍ଷରୁ ମେଡିକାଲ କଲେଜ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାହାକୁ ନେଇ ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଏମ୍ସ ପ୍ରତିଷ୍ଠା ନକରିବାକୁ ଏକ ପ୍ରକାର ମସୁଧା ଚଲାଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର