ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଅତର୍କିତ ଭାବେ ମୋଟରସାଇକଲରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍, ଲୋକଙ୍କ ଟଙ୍କା ବ୍ୟାଗ୍ ଛଡ଼ାଇ ନେବା ଘଟଣା ନୂଆ ନୁହେଁ । ତେବେ ଆଜି ଜଣେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏଭଳି ଏକ ଛିନ୍ତାଇ ଦୁର୍ବୃତ୍ତଙ୍କ କବଳରୁ ନିଜକୁ ଓ ନିଜର ସୁନାଚେନ୍କୁ ସୁରକ୍ଷିତ ରକ୍ଷା କରିପାରିଛି।
ସୂଚନାନୁସାରେ, ଆଜି ଅପରାହ୍ଣରେ ରୀତା ସିଂହ ନାମ୍ନୀ ଜଣେ ମହିଳା ନିଜ ଭାଇଙ୍କ ମୋଟର ସାଇକଲ ପଛରେ ବସି ନିରାକାରପୁରରୁ ଖୋର୍ଦ୍ଧା ଆସୁଥିଲେ । କିଛି ସମୟ ଧରି ସେମାନଙ୍କ ପଛରେ ଆସୁଥିବା ମୋଟରସାଇକଲ ଆରୋହୀଙ୍କ ଦେଖି ତାଙ୍କର ସନ୍ଦେହ ହୋଇଥିଲା। ମୁକୁନ୍ଦପ୍ରସାଦ ନିକଟରେ ପଲସରରେ ପିଛା କରୁଥିବା ଯୁବକ ଦୁଇଜଣ ଦ୍ରୁତଗତିରେ ପଛରୁ ଆସି ସୁନାଚେନ୍ ଧରିବା ବେଳେ ମହିଳା ଜଣକ ଯୁବକଙ୍କ ହାତ ଓ ସୁନାଚେନ୍କୁ ଧରିଦେଇଥିଲେ ଫଳରେ ମହିଳାଜଣକ ଗାଡ଼ିରୁ ଖସି ପଡ଼ିଥିଲେ। ଏହାର ସୁଯୋଗରେ ଯୁବକମାନେ ସେଠାରୁ ଆଖିପିଛୁଳାକେ ଚମ୍ପଟ ମାରିଥିଲେ ଯଦିଓ ଲୁଟେରା ଖସି ପଳାଇଯାଇଥିଲେ କିନ୍ତୁ ମହିଳାଜଣକ ନିଜର ସୁନାଚେନ୍ଟିକୁ ରକ୍ଷା କରିପାରିଥିଲେ।