ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ଦର୍ଶନ ସାରି ଗୁରୁବାର ଦିନ ରାଜଭବନରେ ମହାପ୍ରସାଦ ସେବନ କରିଛନ୍ତି।
ଗୁରୁବାର ଦିନ ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ରାଷ୍ଟ୍ରପତି ନିଜ ତରଫରୁ ମହାପ୍ରସାଦ ସେବନ କରିବାର ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଗୁରୁବାର ଦିନ ମହାପ୍ରଭୁଙ୍କୁ ସକାଳଧୂପରେ ଲାଗି ହୋଇଥିବା ନାନାପ୍ରକାର ଭୋଗ ରାଷ୍ଟ୍ରପତିଙ୍କୁ ଖାଇବାକୁ ଦିଆଯାଇଥିଲା। ତାହା ପୁଣି କଦଳୀ ପତ୍ରରେ। ପୂର୍ବରୁ ରାଷ୍ଟ୍ରପତିଙ୍କ ପାଇଁ ନୂଆ କଂସା ବାସନ ସହ ପିଢ଼ାର ବ୍ୟବସ୍ଥା କରାଯାଇଥିଲେ ବି ଏହାକୁ ଆଡ଼େଇ ଦେଇ ସେ ନିଜ ତରଫରୁ କଦଳୀ ପତ୍ରରେ ମହାପ୍ରସାଦ ଖାଇବାକୁ ଦେବାକୁ କହିଥିଲେ। କେବଳ ସେତିକି ନୁହେଁ, ପିଢ଼ାକୁ ଆଡ଼େଇ ଦେଇ ଅନ୍ୟମାନଙ୍କ ସହ ତଳେ ବସି ମହାପ୍ରସାଦ ସେବନ କରିଥିଲେ।
କଦଳୀ ପତ୍ରରେ ମହାପ୍ରସାଦ ଓ ମାଟି ସରାରେ ରାବିଡ଼ି ଓ ଅନ୍ୟାନ୍ୟ ସୁସ୍ବାଦୁ ବ୍ୟଞ୍ଜନ ପରସା ଯାଇଥିଲେ। ସାଙ୍ଗରେ ଗଜପତି ମହରାଜା ଦିବ୍ୟସିଂହ ଦେବ, ମହାରାଣୀ ଲୀଳାବତୀ ପାଟମହାଦେବୀ, ବାଲିଘାଇ ହରିହରାନନ୍ଦ ଗୁରୁକୁଳର ପରମହଂସ ପ୍ରଜ୍ଞାନାନନ୍ଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ, ଝିଅ ଇତିଶ୍ରୀ ମୁର୍ମୁ, ଜ୍ବାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ୍ଙ୍କ ସହ ଏକତ୍ର ମହାପ୍ରସାଦ ସେବନ କରିଥିଲେ। ୪ରୁ ଅଧିକ ପ୍ରକାରର ଅନ୍ନ ସାଙ୍ଗକୁ ୨୦ରୁ ଅଧିକ ପ୍ରକାରର ବ୍ୟଞ୍ଜନ କଦଳୀ ପତ୍ରରେ ବଢ଼ାଯାଇଥିଲା। ଝିଲ୍ଲି ସହ ଏଣ୍ଡୁରି, ଚନ୍ଦ୍ରକାନ୍ତି, ହଂସକେଳି ଆଦି ବିରି ପିଠା ଦିଆଯାଇଥିଲା। ସେହିଭଳି କାନିକା, ଖେଚୁଡ଼ି, ମିଠା ଅନ୍ନ, ମିଠା ଡାଲି ଓ ଡାଲମା, ଶାଗ ଭଜା, ଭଜା, ମଞ୍ଜା-କଖାରୁରେ ପ୍ରସ୍ତୁତ ସ୍ବତନ୍ତ୍ର ରାଇ, ଗୋଟାମୁଗ ତରକାରୀ, ସନ୍ତୁଳା ଆଦି ଦିଆଯାଇଥିଲା।