ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ରଙ୍କ ସହ ଯାଇ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଫେରିବା ବେଳେ ରାଷ୍ଟ୍ରପତି କୌଳିକ ପଣ୍ଡାଙ୍କ ଖାତାରେ ନିଜ ଅନୁଭୂତି ଲେଖିଛନ୍ତି। ଯେଉଁଥିରେ ରାଷ୍ଟ୍ରପତିଙ୍କ ସହ ଝିଅ ଇତିଶ୍ରୀ ମୁର୍ମୁ ଓ ଜ୍ବାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ ବି ଦସ୍ତଖତ ଦେଇଛନ୍ତି। ଏହି ଅନୁଭୂତିକୁ ରାଷ୍ଟ୍ରପତି ଶୁଦ୍ଧ ଓଡ଼ିଆରେ ଲେଖିଛନ୍ତି, ଯାହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅନୁଭୂତି ପତ୍ରରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ‘ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂରତି ଏବଂ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି। ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟଅନୁଭୂତି ଲାଭ କରିଛି। ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡର ଠାକୁର। ମାନବ ଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି। ଶ୍ରୀଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ, ଏହା ମୋର କାମନା’ ବୋଲି ରାଷ୍ଟ୍ରପତି ଲେଖିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଭାବପୂର୍ଣ୍ଣ ଲେଖାକୁ ବି ଅନେକ ପ୍ରଂଶସା କରିଛନ୍ତି। ରାଷ୍ଟ୍ରପତି ନିଜ ଭାଷା ଓ ମହାପ୍ରଭୁଙ୍କୁ କେତେ ଯେ ଭଲ ପାଉଛନ୍ତି, ଏହି ଲେଖା ତାକୁ ପ୍ରମାଣିତ କରୁଛି ବୋଲି ମତବ୍ୟକ୍ତ କରିଛନ୍ତି।