ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ସଭାପତିଙ୍କ ପରଲୋକ

ଫୁଲବାଣୀ: ସଡକ ଦୁର୍ଘଟଣାରେ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସଭାପତି କିଶୋର ପଟ୍ଟନାୟକଙ୍କର ରବିବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା ଥିବା ବେଳେ ଜିଲ୍ଲା ଲେଖକ ସାମ୍ମୁଖ୍ୟରେ ଉପ-ସଭାପତି ଥିଲେ। ଟିଆରଡବ୍ଲୁ ସ୍କୁଲର ସେ ମଧ୍ୟ ପ୍ରଧାନଶିକ୍ଷକ ଥିଲେ। ନୟାଗଡକୁ ଶନିବାର ବନ୍ଧୁ ଘରକୁ ଯାଇଥିଲେ। ଆଜି ସଂଧ୍ୟାରେ ସେ ବାଇକରେ ଜଣଙ୍କ ସହ ଫୁଲବାଣୀ ଫେରୁଥିଲେ। ଦଶପଲ୍ଲା ନିକଟରେ ଏକ ଗାଈ ସହ ବାଇକର ଧକ୍କା ହୋଇଥିଲା। ଏଥିରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ଆହତ ହୋଇଥିଲେ। ଗୁରୁତର ଶ୍ରୀ ପଟ୍ଟନାୟକଙ୍କୁ ପ୍ରଥମେ ଦଶପଲ୍ଲା ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଖବର ଜଣା ପଡିବା ପରେ ଫୁଲବାଣୀରେ ବିଭିନ୍ନ ମହଲରେ ଶୋକରଛାୟା ଖେଳି ଯାଇଛି। ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର କୁମାର ମିଶ୍ର, ସମ୍ପାଦକ ବନବିହାରୀ ନନ୍ଦ,ଡ.ଚିତ୍ତରଂଜନ ମିଶ୍ର, ପ୍ରସନ୍ନ କୁମାର ପଣ୍ଡା, ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାସ ଧଳ ଏବଂ ବହୁ କବି, ସାହିତ୍ୟିକଙ୍କ ମହଲରୁ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର