ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ହାତର ପତିତପାବନ ବାନା ଲାଗି କରିଛନ୍ତି। ଏହି ବାନା ଲାଗି କରିଥିବା ବରିଷ୍ଠ ସେବାୟତ ମଧୁସୂଦନ ସିଂଘାରୀ କହିଛନ୍ତି, ରାଷ୍ଟ୍ରପତିଙ୍କ ପାଇଁ ହଳଦିଆ ରଙ୍ଗର ବାନା ଲାଗି କରାଯାଇଥିଲା। ଏଥିପାଇଁ ୩୨୨ ଟଙ୍କାର ଧ୍ବଜା ରସିଦ୍‌(ନଂ-୩୮୮୪୮) ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କଟାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ୪ଟାରେ ଏହା ନୀଳଚକ୍ରରେ ଲାଗି ହୋଇଛି। ଚୁନରା ସେବକମାନେ ଏହାକୁ ନୀଳଚକ୍ରରେ ଶୀର୍ଷରେ ଲାଗି କରିଛନ୍ତି ବୋଲି ଶ୍ରୀ ସିଂହାରୀ କହିଛନ୍ତି। ସେପଟେ ଆଜି ମହାପ୍ରଭୁଙ୍କ ଦର୍ଶନ ବେଳେ ରାଷ୍ଟ୍ରପତି ଲକ୍ଷେ ତୁଳସୀର ମାଳ ଲାଗି କରିଛନ୍ତି। ଦୟଣାମାଳି ସେବକ ବସନ୍ତ ରଣା ଓ ଅନ୍ୟମାନେ ଏହାକୁ ପ୍ରସ୍ତୁତ କରିଥିଲେ। ସେହିଭଳି ୧୨ ହାତର ଦୁଇଟି ପଦ୍ମଫୁଲ ମାଳ ବି ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଲାଗି କରିଛନ୍ତି।

Advertisment

କ୍ୟାମେରା ନେଇ ପଶିଗଲେ ଫଟୋଗ୍ରାଫର
ଶ୍ରୀମନ୍ଦିରରେ କ୍ୟାମେରା ନେଇ ପ୍ରବେଶ ନିଷେଧ ଥିବାବେଳେ ଗୁରୁବାର ଦିନ ସରକାରଙ୍କ ପକ୍ଷରୁ ଆସିଥିବା ଦୁଇ କ୍ୟାମେରାମ୍ୟାନ ମନ୍ଦିର ଭିତରକୁ ପଶିଯିବାର ଦୁଃସାହସ କରିଛନ୍ତି। ପୁଲିସର ଏ ଉପରେ ନଜର ପଡ଼ିବା ପରେ ଦୁଇ କ୍ୟାମେରାମ୍ୟାନ୍‌ଙ୍କୁ ମନ୍ଦିର ଭିତରୁ ତଡ଼ାଯାଇଛି। ଗୁରୁବାର ଦିନ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବାବେଳେ ଜଣେ ଫଟୋଗ୍ରାଫର ଓ ଜଣେ ଭିଡିଓଗ୍ରାଫର କ୍ୟାମେରା ନେଇ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିଲେ। ସିଂହଦ୍ବାରରେ ଜେଟିପି ଓ ଅନ୍ୟ ପୁଲିସମାନେ ଛିଡ଼ା ହୋଇଥିଲେ ବି କେହି କିଛି କହି ନଥିଲେ। ପରେ କିଛି ସେବାୟତ, ସାମ୍ବାଦିକ ଏ ସମ୍ପର୍କରେ ପୁଲିସର ଦୃଷ୍ଟି ଆକର୍ଷଣ କରିବା ପରେ ଦୁଇଜଣଙ୍କୁ ବାହାରକୁ କଢ଼ାଯାଇଥିଲା।