ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ଦେଶକରମ ଭବନଠାରେ ମଙ୍ଗଳବାର ସନ୍ଧ୍ୟାରେ କୁଡୁମୀ ସମାଜର ତୁଙ୍ଗ ନେତୃବୃନ୍ଦମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ କୁଡୁମି ସମ୍ପ୍ରଦାୟର ଜଣେ ସମ୍ମାନନୀୟା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଉଭୟ ସାଂସଦ ପଦ ଏବଂ ଦଳୀୟ ପ୍ରାଥମିକ ସଦସ୍ୟ ପଦତ୍ୟାଗ କଲାପରେ ସର୍ବସାଧାରଣରେ ତାଙ୍କ କୁଶ ପୁତ୍ତଳିକା ଦାହ କରିତାଙ୍କୁ ଅପମାନିତ କରାଯିବା ଘଟଣାକୁ କୁଡୁମି ସମାଜ ତୀବ୍ର ନିନ୍ଦା କରୁଅଛି ବୋଲି ଉପସ୍ଥିତ କୁଡୁମୀ ସମାଜର ନେତୃବୃନ୍ଦ ମତପୋଷଣ କରିଥିଲେ।
ରାଜନୈତିକ ଜୀବନରେ ବହୁ ନେତା ବିଭିନ୍ନ ସମୟରେ ଦଳ ତ୍ୟାଗ କରିଛନ୍ତି କିନ୍ତୁ ତାଙ୍କର କୁଶ ପୁତ୍ତଳିକା ଦାହ କରିବାର ନଜିର ଆଦୌ ନାହିଁ। ମମତା ମହାନ୍ତ ଯେହେତୁ ଜଣେ କୁଡୁମୀ ସମ୍ପ୍ରଦାୟ ଜଣେ ଗ୍ରାମାଞ୍ଚଳ ମହିଳା ତେଣୁ ତାଙ୍କୁ ଜନମାନସରେ ନିନ୍ଦିତ କରାଯାଉଛି ବୋଲି ଉପସ୍ଥିତ କୁଡୁମି ସମାଜର ବହୁ ବୁଦ୍ଧିଜୀବୀ ମତ ପୋଷଣ କରିଥିଲେ। ମମତା ମହାନ୍ତ ରାଜନୈତିକ ପଟ୍ଟ ପରିବର୍ତ୍ତନ କରିବା ତାଙ୍କ ବ୍ୟକ୍ତିଗତ ବ୍ୟାପାର ଏଥିରେ କୁଡୁମୀ ସମାଜର କୌଣସି ଭୂମିକା ନାହିଁ। ଦଳ ଏବଂ ପଦବିରୁ ଇସ୍ତଫା ଦେବାପରେ ସେ ଯେଉଁ ଦଳ ବା ପଦବିକୁ ଯାଆନ୍ତୁ ନା କାହିଁକି ଯଦି ପୂର୍ବତନ ସିଏ କୁଡୁମି ସମାଜର ବିକାଶ ପାଇଁ କାର୍ଯ୍ୟ କରିବାକୁ ଅଗ୍ରାଧିକାର ଦେବେ ତେବେ କୁଡୁମୀ ସମାଜ ତାଙ୍କୁ ସ୍ୱାଗତ କରିବ ବୋଲି ମତପୋଷଣ କରାଯାଇଥିଲା। ବିଗତ ଦିନମାନଙ୍କରେ ସଂସଦ ଭବନରେ କୁଡୁମୀ ସମ୍ପ୍ରଦାୟର ମୂଳଦାବି କୁଡୁମୀ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ସୂଚୀରେ ସାମିଲ କରିବା ନେଇ ବାରମ୍ବାର ତଥ୍ୟ ସମ୍ବଳିତ ପ୍ରଶ୍ନ ପଚାରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଦୃଷ୍ଟିଗୋଚର କରିଥିବା ଯୋଗୁଁ କୁଡୁମୀ ସମାଜ ପକ୍ଷରୁ ତାଙ୍କୁ ସାଧୁବାଦ ଦେଇଥିଲା।
ପୂର୍ବ ସରକାରଙ୍କ ନିକଟରେ ଓଡ଼ିଶାରେ ବସବାସ କରୁଥିବା ୨୫ ଲକ୍ଷ କୁଡୁମିଙ୍କ କୁଡୁମାଲି ଭାଷାର ଉନ୍ନତି ପାଇଁ କୌଣସି ପଦକ୍ଷେପ ନ ନେବା ତଥା ରାଜ୍ୟ ସରକାରଙ୍କ ତରଫରୁ କୁଡୁମି ସମ୍ପ୍ରଦାୟକୁ ପୁନଃ ଆଦିବାସୀ ବର୍ଗରେ ସାମିଲ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନ ପଠେଇବା ଲକ୍ଷଲକ୍ଷ କୁଡୁମୀଙ୍କ ଭାବବେଗକୁ ଆଘାତ ଦେଇଛି ବୋଲି ଉପସ୍ଥିତ ନେତୃବୃନ୍ଦ ମତପୋଷଣ କରିଥିଲେ। ଆଗାମୀ ଦିନରେ ଯଦି ପୁଣି ମମତା ମହାନ୍ତଙ୍କୁ ଅପମାନିତ କଲାଭଳି ଗଣମାଧ୍ୟମରେ ଅପଶବ୍ଦ ପ୍ରୟୋଗ କରାଯାଏ ତେବେ କୁଡୁମୀ ସମାଜ ଏହାର ତୀବ୍ର ପ୍ରତିବାଦ କରିବା ସହିତ ଆଇନର ଆଶ୍ରୟ ନେବ ବୋଲି ଉପସ୍ଥିତ କୁଡୁମୀ ସମାଜର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୁଡୁମି ସମାଜ, ରାଇରଙ୍ଗପୁର ଶାଖାର ସଭାପତି ନବୀନ କିଶୋର ମହାନ୍ତ, ସମ୍ପାଦକ ମନୋଜ କୁମାର ମହାନ୍ତ, ବାମନଘାଟି କୁଡୁମୀ ସାମାଜିକ ଓ ସାଂସ୍କୃତିକ ପରିଷଦ ତଥା ଦେଶ ଜାହିରା ଆଖଡା, ରାଇରଙ୍ଗପୁରର ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ଉପଦେଷ୍ଟା ବାବୁରାମ ମହାନ୍ତ, ଦେବେନ୍ଦ୍ର ନାଥ ମହାନ୍ତଙ୍କ ସମେତ ବହୁ କୁଡୁମୀ ସମାଜର ଅଗ୍ରଣୀ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।