ଭଦ୍ରକ: ଭଦ୍ରକରେ ରାଜ୍ୟ ସରକାର ପିପିପି ମୋଡରେ ଏକ ମଲଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କର ଏଭଳି ଘୋଷଣାକୁ ଜିଲ୍ଲାର ବିଭିନ୍ନ ବର୍ଗରୁ ସ୍ବାଗତ କରାଯାଇଥିବାବେଳେ ଭଦ୍ରକରେ ପିପିପି ମୋଡରେ କାହିଁକି ଏହି ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଭଦ୍ରକରେ ଏହି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ନିଜସ୍ବ ଉଦ୍ୟମରେ କାହିଁକି ପ୍ରତିଷ୍ଠା କରୁ ନାହାଁନ୍ତି। ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ନେଇ ଜିଲ୍ଲାରେ ଏଭଳି ଭିନ୍ନମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଗୁରୁବାର ଅପରାହ୍ନରେ ଡାକ୍ତର ହରେକୃଷ୍ଣ ନାୟକଙ୍କ ଆବାହକତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଭଦ୍ରକ ଜିଲ୍ଲାବାସୀଙ୍କର ମୂଳ ଦାବି ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ରାଜ୍ୟ ସରକାର କାହିଁକି ଉପେକ୍ଷା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।
ଆଜକୁ ୨୦ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲାବାସୀ ନୀରବଚ୍ଛିନ୍ନ ଭାବରେ ଏଇ ଦୁଇଟି ପ୍ରସଙ୍ଗ ଉପରେ ବାରମ୍ବାର ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବାଳେ ଆନ୍ଦୋଳନ, ଧାରଣା, ଧର୍ମଘଟ କରିଛନ୍ତି। ଦଳ ମତ ନିର୍ବିଶେଷରେ ଜିଲ୍ଲାବାସୀଙ୍କର ସରକାରଙ୍କ ନିକଟରେ ଏଇ ଦାବି କରାଯାଇ ଆସୁଛି। ରାଜ୍ୟ ସରକାର ମଧ୍ୟ ଏଇ ପ୍ରସଙ୍ଗ ଉପରେ ଅବଗତ ରହିଛନ୍ତି। ମାତ୍ର ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯିବ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନର ନେତା ଡାକ୍ତର ନାୟକ ପ୍ରଶ୍ନ ଉଠାଇଛନ୍ତି। ସୁପର ସ୍ବେଶାଲିଷ୍ଟ ହସ୍ପିଟାଲ ହେଉ। ଏଥିରେ ଆମର ଆପତ୍ତି ନାହିଁ। କିନ୍ତୁ ସୁପର ସ୍ବେଶାଲିଷ୍ଟ ହସ୍ପିଟାଲ ଆଳରେ ଭଦ୍ରକରେ ଆଉ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ କରିବେ ନାହିଁ। ଏକଥା ଚଳିବ ନାହିଁ। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଆଇଏମଏର ଏହି ନୀରବଚ୍ଛିନ୍ନ ଆନ୍ଦୋଳନ ଚାଲୁ ରହିବ। ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନକରିଛନ୍ତି। ସେପର୍ଯ୍ୟନ୍ତ ଜିଲ୍ଲାବାସୀ ଏଇ ଦାବି ଉଠାଇ ଚାଲିଥିବେ ବୋଲି ଡାକ୍ତର ନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରୋଟାରୀଆନ ଅଭିଜିତ ନାୟକ ଯୋଗଦେଇ କହିଲେ, ଭଦ୍ରକବାସୀଙ୍କର ହକ୍ ହେଉଛି ମେଡିକାଲ କଲେଜ ଆଉ ବିଶ୍ବବିଦ୍ୟାଳୟ।
ଜିଲ୍ଲାବାସୀଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହୃଦୟତାର ସହ ଏଇ ଦାବିକୁ ଗ୍ରହଣ କରିବା ଉଚିତ। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କ କର୍ମଚାରୀ ସଂଘର ନେତା ଜଗନ୍ନାଥ ରାଉତ ଯୋଗଦେଇ କହିଲେ, ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏଠି ରୋଗୀ ମାନଙ୍କର ସେବା କରିବାପାଇଁ ଆବଶ୍ୟକ ଡାକ୍ତର ନଥିବା ବେଳେ ମେଡିକାଲ କଲେଜ ପ୍ରତିଷ୍ଠା କରାଗଲେ ଡାକ୍ତର ସମସ୍ୟାର ସମାଧନ ହୋଇ ପାରିବା ସହ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର ଅଞ୍ଚଳରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇ ପାରିବେ। ସେହିପରି ଭଦ୍ରକ ଜିଲ୍ଲାରେ ଶିକ୍ଷା ବିକାଶ ପାଇଁ ୧୯୪୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ଭଦ୍ରକ ମହାବିଦ୍ୟାଳୟକୁ ରାଜ୍ୟ ସରକାର ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦେଇଛନ୍ତି। ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବା ନେଇ ରାଜ୍ୟ ସରକାର ତତତ୍ପରତା ପ୍ରକାଶ କରିବା ଉଚିତ। ଜିଲ୍ଲାବାସୀ ଏହି ଦୁଇ ପ୍ରସଙ୍ଗ ନେଇ ସରକାରଙ୍କୁ ଦାବି କରି ଆସୁଥିବାବେଳେ ରାଜ୍ୟ ସରକାର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ଘୋଷଣା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଜିଲ୍ଲାବାସୀଙ୍କର ଏଇ ଦୁଇଟି ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/IMG_20231005_165540.jpg)