ରାଇରଙ୍ଗପୁର: ଆଦିବାସୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ସଙ୍ଘ ଓଡ଼ିଶାର ମୁଖ୍ୟ କାର୍ଯ୍ୟାଳୟ ଥିବା ରାଇରଙ୍ଗପୁରର ଆଜୀବନ ସଭ୍ୟମାନେ ଅନିୟମିତତା ହୋଇଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଜଣାଇଛନ୍ତି। ଆଦିବାସୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ସଂଘ ମୁଖ୍ୟାଳୟ ରାଇରଙ୍ଗପୁରରେ ଗତ କିଛି ଦିନ ହେଲା ବ୍ୟାପକ ଅନିୟମିତତା ଓ ବିଶୃଙ୍ଖଳା ସୃଷ୍ଟି ଯୋଗୁଁ ଆଜୀବନ ସଭ୍ୟ ମାନେ ଅଭିଯୋଗ କରିଛନ୍ତି ଯେ ଆଜୀବନ ସଭ୍ୟମାନଙ୍କର ବୈଠକ ଠିକ ସମୟରେ ନହେବା, ସଂଘର ନିୟମାବଳୀର ବ୍ୟାପକ ଉଲଙ୍ଗନ କରି ବୈଠକ ଡାକିବା, ବୈଠକର ନୋଟିସ ସମସ୍ତ ସଭ୍ୟ ସଭ୍ୟ। ମାନଙ୍କୁ ନଦେବା ପରି ଗୁରୁତର ଅନିୟମିତତା ହୋଇଥିବା ନେଇ ସଂଘର ସଭାପତି, ସାଧାରଣ ସମ୍ଫାଦକ, କୋଷାଧ୍ୟକ୍ଷ ପଦବୀରେ ଥିବା ସଭ୍ୟମାନେ ନିଜ ଇଚ୍ଛା ଅନୁସାରେ ସଂଘ ପରିଚାଳନା କରୁଥିବା ଅଭିଯୋଗ କରିଛନ୍ତି।
ଆଜୀବନ ସଭ୍ୟଭାବେ ସଂଘର ପରାମର୍ଶକୁ ହେୟଜ୍ଞାନ କରି ପ୍ରତିଶୋଧ ପରାୟଣ ହୋଇ ରାଇରଙ୍ଗପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଗତ ରଥଯାତ୍ରା ସମୟରେ କାର୍ଯ୍ୟକାରୀ କମିଟିର ସଭ୍ୟମାନେ ସଂଘର ସମସ୍ତ ନିତି-ନିୟମକୁ ଉଲଙ୍ଗନ କରି ସଙ୍ଘର ପାଚେରୀ ଭାଙ୍ଗି ସାଇକେଲ, ମୋଟର ସାଇକେଲ, ମୋଟରକାର ଷ୍ଟାଣ୍ଡ ଭାବେ ସଙ୍ଘର ପ୍ରାଙ୍ଗଣକୁ ଅପବ୍ୟବହାର ମଧ୍ୟ କରିଥିବା ଅଭିଯୋଗ ହୋଇଛି। ତେବେ ସେଥିରୁ ଉପାର୍ଜିତ ଅର୍ଥକୁ ସଙ୍ଘର ଆୟ ଭାବରେ ନଦର୍ଶାଇ ଆତ୍ମସାତ କରିଛନ୍ତି, ସଙ୍ଘର ଅତିରିକ୍ତ ଗୃହ ନିର୍ମାଣ ପାଇଁ ଅଟକଳ ୧୦ ଲକ୍ଷ ଟଙ୍କାର ଗୃହକାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି। ଆଜୀବନ ସଭ୍ୟ ଭାବେ ସଙ୍ଘର ନିୟମାବଳୀରେ ଥିବା ବ୍ୟବସ୍ଥା ଅନୁଯାୟୀ ସଙ୍ଘର ଆକାଉଣ୍ଟକୁ ଯାଞ୍ଚ କରିବାର ଅଧିକାର ଆଇନରେ ଥିଲେ ମଧ୍ୟ ରାଇରଙ୍ଗପୁରର ଆସେକା ସଭାପତି ମନୋରଞ୍ଜନ ମୁର୍ମୁଙ୍କ ବି ଅନୁରୋଧ କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସଂଘର ଆକାଉଣ୍ଟ ଯାଞ୍ଚ କରିବାର ସହୋଜଗ କରି ନାହାନ୍ତି।
ଆସେକା ରାଇରଙ୍ଗପୁର ସଂଘର କୋଷାଧ୍ୟକ୍ଷ ଜିତରାୟ ମୁର୍ମୁ ନିଜେ ସଂଘର କୋଷାଧ୍ୟକ୍ଷ ପଦବୀରେ ରହିଥିବା ବେଳେ ତାଙ୍କର ସ୍ତ୍ରୀ ଧନମଣୀ ମୁର୍ମୁ ସଙ୍ଘର ଶିକ୍ଷା ବୋର୍ଡରେ ଅଧ୍ୟକ୍ଷା ଭାବେ ରହିଛନ୍ତି, ଯିଏ କି ସାନ୍ତାଳି ଲିପି ‘ଅଲଚିକି’ ପଢ଼ି ପାରନ୍ତି ନାହିଁ କି ଲେଖି ପାରନ୍ତି ବି ନାହିଁ। ଆଜୀବନ ସଦସ୍ୟଙ୍କ ଠାରୁ ସୁଚନା ମିଳିଛି ଯେ ସଂଘର ଶିକ୍ଷା-ବୋର୍ଡରେ ସଭ୍ୟ ହେବାକୁ ହେଲେ ‘ଅଲଚିକି’ ଲିପିରେ ଲେଖିବା ଓ ପଢ଼ିବା ଏକ ବାଧ୍ୟତାମୂଳକ ଅଟେ। ଆସେକା ରାଇରଙ୍ଗପୁର ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ରନାଥ ହାଁସଦାଙ୍କୁ ରେଜିଷ୍ଟ୍ରି ଡାକଯୋଗ ପତ୍ର ପଠାଇଥିଲେ ମଧ୍ୟ ଗ୍ରହଣ ନକରି ଫେରାଇ ଦେଉଛନ୍ତି। ତେବେ ଏ ମାନେ ମନ ଇଚ୍ଛା କାର୍ଯ୍ୟ ସମ୍ପାଦନ କରୁଥିବାରୁ ଏମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର ହାଇକୋର୍ଟରେ ଏକ ମାମଲା ଦାୟର କରିବେ ବୋଲି ମଦନମୋହନ ସୋରେନ, ଶ୍ୟାମଚରଣ ମାର୍ଣ୍ଡି, ବାରିସା ସୋରେନ, ମୋଚିରାମ ମାଝୀ, ନିମାଇଁ ହାଁସଦା, ଜଗନ୍ନାଥ ସୋରେନ ପ୍ରମୁଖ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ତେବେ ଏ ସମ୍ୱନ୍ଧରେ ଆସେକାର ସାଧାରଣ ସମ୍ପାଦକ ଜିତେନ୍ଦ୍ରନାଥ ହାଁସଦାଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ ବିରୁଦ୍ଧରେ ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତିହିନ ଏବଂ ଯେଉଁ ସବୁ ଅଭିଯୋଗ ହୋଇଛି ତାହା ଆସେକାର ନିୟମରେ ନାହିଁ।