ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ: କରୋନାରେ ମୃତ୍ୟୁର ସଠିକ ହିସାବ ଦିଆଯାଉ

ପୌରପରିଷଦ ୱାର୍ଡବାସୀଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଉ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଜି ସ୍ଥାନୀୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜିଲ୍ଲା ଯୁବ ସଭାପତିଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଅଭିଯୋଗ କରିଥିଲେ ଯେ ଜିଲ୍ଲାରେ କରୋନାରେ ୫ ଶହରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି। ଯାହାକି ଜିଲ୍ଲା ପ୍ରଶାସନ ମାତ୍ର ୫୦ କିମ୍ବା ୬୦ ଲୋକ ହିଁ ମୃତ୍ୟୁବରଣ କରିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଯାହାକି ସଂପୂର୍ଣ୍ଣ ମିଥ୍ୟା ଅଟେ।ଜିଲ୍ଲାର ମୃତ୍ୟୁର ସଠିକ ତାଲିକା ଦେବା ସହ ସମସ୍ତ ମୃତ ପରିବାରକୁ ୪ ଲକ୍ଷ ଟଂକା ଲେଖାଏଁ ପ୍ରଦାନ କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା। ଏହି ଟଙ୍କା ପ୍ରଦାନ ନେଇ ପୂର୍ବରୁ ମଧ୍ୟ ବିଜୁ ଜନତା ଦଳ ସରକାର ଘୋଷଣା କରିସାରିଛି।

ଏଭଳି ଘୋଷଣା କରି ପୂର୍ବରୁ ମଧ୍ୟ ବହୁ ଘୋଷଣା ଘୋଷଣାରେ ହିଁ ରହିଗଲା ବୋଲି ଅଭିଯୋଗ କରାଯାଇଥିଲା।ଏଥିସହ ଲଗାତାର ଗତ କିଛି ଦିନ ହେଲା ୩ ନମ୍ବର ୱାର୍ଡବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘରଡିହ ପଟ୍ଟା ପାଇଁ ଦାବି କରି ଆସୁଛନ୍ତି। ତେବେ ଏମାନଙ୍କ ନିକଟରେ ବିଜେଡିର କାଉନସିଲର ମାନେ ବସି ଦାବି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ କହିଛି। ପୌର ନିର୍ବାଚନ ପୂର୍ବରୁ ୩ ନମ୍ବର ୱାର୍ଡବାସୀଙ୍କୁ ନିର୍ବାଚନ ସରିବାର ଚାରି ଦିନ ମଧ୍ୟରେ ଘରଡିହ ପଟ୍ଟା ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ରକ୍ଷା କରାଗଲା ନାହିଁ। ତେଣୁ ତୁରନ୍ତ ପୌର ପରିଷଦର ସମସ୍ତ ୧୯ଟି ୱାର୍ଡବାସୀଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ପୌର ପରିଷଦ ଅଧିନରେ ପାଣିର ଘୋର ଅଭାବ ପରିଲକ୍ଷିତ ହେବା ସହ ଜିଲ୍ଲାରେ ମଧ୍ୟ ପାଣିର ଘୋର ସଂକଟ। ତେଣୁ ତୁରନ୍ତ ଜିଲ୍ଲାରେ ପାଣିର ସୁବିଧା କରିବା ନେଇ ଦାବି କରାଯାଇଛି।

ସମ୍ବନ୍ଧିତ ଖବର