ତ୍ରୁଟି ଲୁଚାଇବାକୁ ଉଦ୍ୟମ ! ରାଷ୍ଟ୍ରପତିଙ୍କ ଦୃଷ୍ଟିରୁ ଦୂରେଇ ରଖିବାକୁ ବସ୍ତି ସମ୍ମୁଖରେ ବୋର୍ଡ ଲଗାଯାଉଛି

ରାଉରକେଲା: ବର୍ଷକ ପୂର୍ବେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଅହମ୍ମଦାବାଦ ଗସ୍ତବେଳେ ରାସ୍ତାକଡ଼ରେ ଗଢ଼ି ଉଠିଥିବା ଏକ ବସ୍ତିକୁ ଲୁଚାଇବାକୁ ରାତିଅଧିଆ ପାଚେରି ନିର୍ମାଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ପାଚେରି ନିର୍ମାଣ ହେଲେ ଏହି ବସ୍ତି ଆଉ ଦିଶିବନି। ଠିକ୍‌ ଏହି ନୀତି ଆପଣେଇଛନ୍ତି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ତୃପକ୍ଷ। ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରାଉରକେଲା ଗସ୍ତ ଅବ୍ୟବହତି ପୂର୍ବରୁ ବସ୍ତି ଢ଼ାଙ୍କିବା ପ୍ରୟାସ ଆରମ୍ଭ କରିଦେଇଛନ୍ତି।

ସେକ୍ଟର-୬ ଟେଲିଫୋନ ଭବନ ସମ୍ମୁଖ ତଥା ରିଂରୋଡ୍‌ର ଅପରପାର୍ଶ୍ବରେ ରହିଛି ଆର୍‌ଏସ୍‌ପିର ବନୀକରଣ ଅଞ୍ଚଳ। ପ୍ରାୟ ୩ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟହେଲା ଏଠାରେ ଗଣେଶ ବସ୍ତି ଗଢ଼ିଉଠିଛି। ଏହି ବସ୍ତି ରିଂ ରୋଡ୍‌ରୁ ମାତ୍ର ୫୦/୬୦ ମିଟର ଦୂରତାରେ ଅବସ୍ଥିତ। ଏହି ରାସ୍ତା ଦେଇ ରାଷ୍ଟ୍ରପତି ଏନ୍‌ଆଇଟି ଓ ଆଇଜିଏଚ୍‌ ସୁପରସ୍ପେଶିଆଲିଟି ହସ୍‌ପିଟାଲକୁ ଯିବେ। ତେବେ ଯିବା ବାଟରେ ରାସ୍ତା କଡ଼ରେ ଥିବା ବସ୍ତି ମଧ୍ୟ ରାଷ୍ଟ୍ରପତିଙ୍କ ନଜରକୁ ଆସିବା ଆଶଙ୍କା ରହିଛି। ଏଣୁ ମୂଳୁ ମାଇଲେ ଯିବ ସରି ନୀତି ଆପଣେଇଛନ୍ତି ଆର୍‌ଏସ୍‌ପି କର୍ତୃପକ୍ଷ। ଏହି ବସ୍ତି ସମ୍ମୁଖରେ ଲୁହାରେ ତିଆରି ବୋର୍ଡ ନିର୍ମାଣ କରାଯାଉଛି। ଏବେସୁଦ୍ଧା ପ୍ରାୟ ୨୫ଟି ବୋର୍ଡ ତିଆରି ସରିଥିବାବେଳେ ଆହୁରି ଅଧିକ ନିର୍ମାଣ ହେବବୋଲି ସୂଚନା ମିଳିଛି। ଏହି ବୋର୍ଡରେ ସୁରକ୍ଷା ସଚେତନତା, ସବୁଜ ପରିବେଶ, ସେଲ୍‌ ବାର୍ତ୍ତା ଆଦି ଲେଖାଯିବ, ଯଦ୍ବାରା ରାଷ୍ଟ୍ରପତି ଓ ତାଙ୍କ ସହିତ ଆସୁଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦୃଷ୍ଟି ବସ୍ତି ଉପରେ ନ ପଡ଼ି ଏହି ବୋର୍ଡରେ ପଡ଼ିବ। ଫଳସ୍ବରୂପ ସେମାନେ ବସ୍ତିର ଉପସ୍ଥିତି ବିଷୟରେ ସୁରାକ୍‌ ପାଇପାରିବେ ନାହିଁ। ପ୍ରଥମେ ଅନୈତିକ ବସ୍ତି ନିର୍ମାଣକୁ ନେଇ ଉଦାସୀନ ରହିବା ଓ ଏବେ ତାକୁ ଲୁଚାଇବାକୁ ରାଜସ୍ବର ଅପବ୍ୟୟ କରାଯିବାକୁ କିନ୍ତୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ଏହି ଯେଉଁ ଗଣେଶ ବସ୍ତି ଗଢ଼ି ଉଠିଛି, ସେଥିପାଇଁ ମୁଖ୍ୟତଃ ଆର୍‌ଏସ୍‌ପିର ଉଦାସୀନତା ଓ ଦୂରଦର୍ଶିତାର ଅଭାବ ଦାୟୀ। ପ୍ରାୟ ୧୯୮୭-୮୮ ମସିହାରେ ଏଠାରେ ୪ଟି ପରିବାର ରହିବା ଆରମ୍ଭ କରିଥିଲେ। ଏହାପରଠାରୁ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ସଂପ୍ରତି ପ୍ରାୟ ୫୦ ପରିବାର ଏଠାରେ ବାସ କରୁଛନ୍ତି। ବସ୍ତିବାସୀଙ୍କ କବ୍‌ଜାରେ ବନୀକରଣ ପାଇଁ ଉଦ୍ଧିଷ୍ଟ ଆର୍‌ଏସ୍‌ପିର ପ୍ରାୟ ୫ ଏକର ଜମି। କିଛି ବର୍ଷ ପୂର୍ବେ ଏଠାରେ ବନୀକରଣ କରାଯାଇଥିଲା। ଏହାପରେ ବନବିଭାଗ କର୍ତୃପକ୍ଷ ବି ଦେଖାରେଖା କରିବାର ଆବଶ୍ୟକତା ରହିଥିଲା, ମାତ୍ର ସେଭଳି କିଛି ଦେଖିବାକୁ ନ ମିଳିବାରୁ ଏହି ଘର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୨/୩ ବର୍ଷ ପୂର୍ବେ ସହରସେବା ବିଭାଗ ପକ୍ଷରୁ ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ସ୍ଥାନୀୟ ଲୋକ ଲ୍ୟାଣ୍ଡ୍‌ଗାର୍ଡ କର୍ମଚାରୀଙ୍କୁ ଆକ୍ରମଣ କରିବାସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏନେଇ ନ୍ୟାୟାଳୟରେ ମାମଲା ବି ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜବରଦଖଲ ଉଚ୍ଛେଦ ପାଇଁ ଆର୍‌ଏସ୍‌ପି କର୍ତୃପକ୍ଷ ଆଉ ଧ୍ୟାନ ଦେଇନଥିଲେ।

ସମ୍ବନ୍ଧିତ ଖବର