ବିନା ସ୍ୱୀକୃତିରେ କଲେଜ ଖୋଲିବା ଘଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର ଲିଙ୍କ ସନ୍ଦେହ, ଚାଲିଛି ଛାନ୍‌ଭିନ୍‌

ସମ୍ବଲପୁର: ଧନୁପାଲି ଥାନା ଚାରଭାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବିନା ସ୍ୱୀକୃତିରେ ୨୦୧୭ ମସିହାରୁ ଏକ ଭଡ଼ା ଘରେ ଚାଲିଥିବା ଯମୁନାଦେବୀ ଯୁକ୍ତ ୨(କଳା) କଲେଜରୁ ଛାତ୍ରଛାତ୍ରୀ ଠକେଇର ଶିକାର ହୋଇଥିବା ଘଟଣା ଜଣାପଡ଼ିବା ପରେ ବୁଧବାର ସେମାନେ ଧନୁପାଲି ଥାନା ଘେରାଉ କରି ତୁରନ୍ତ ଅଭିଯୁକ୍ତ ଅଧ୍ୟକ୍ଷ ତଥା ଅଧ୍ୟାପକ ତୁଷାର ରଞ୍ଜନ ବାରିକକୁ ଗିରଫ କରିବାକୁ ଦାବି କରିଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ୍ରଛାତ୍ରୀ ଗୁରୁବାର ସକାଳୁ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଖୋଦ୍‌ ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ସେମାନଙ୍କୁ ଭିତରକୁ ଡକାଇ ଆଲୋଚନା କରିବା ସହ ୭ ତାରିଖରେ ଥିବା ଆଗାମୀ ପରୀକ୍ଷା ପୂର୍ବରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଛାତ୍ରଛାତ୍ରୀ ଗଣମାଧ୍ୟମକୁ କହିଛନ୍ତି।

୨୦୧୭ ମସିହାରୁ ଏହି କଲେଜ ଚାଲିଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ନଦେଇ ବିନା ଯାଞ୍ଚରେ ସେଠାରେ କେମିତି ନାମ ଲେଖେଇଲେ ବୋଲି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଚଳିତ ବର୍ଷର ପରବର୍ତ୍ତୀ ବିଷୟର ପରୀକ୍ଷା ଦେବା ଆଶା କ୍ଷୀଣ ହୋଇଯାଇଥିବାରୁ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ୫ ବର୍ଷ ନଷ୍ଟ ହୋଇଥିବାରୁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରାଯାଇଛି। ପରେ ସଦର ଏସ୍‌ଡିପିଓ ତପନ ମହାନ୍ତି, ଟାଉନ୍‌ ଥାନା ଅଧିକାରୀ ରମେଶ ଦୋରା ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରି ଘଟଣାସ୍ଥଳରୁ ନେଇଯାଇଥିଲେ। ସନ୍ଧ୍ୟାରେ ଧନୁପାଲି ଥାନା ପରିସରରେ ଏସ୍‌ଡିପିଓ ଶ୍ରୀ ମହାନ୍ତି ଅଭିଭାବକ ଓ କିଛି ଛାତ୍ରଛାତ୍ରୀଙ୍କୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ଅଧ୍ୟକ୍ଷ ତୁଷାର ବାରିକ ଭୁବନେଶ୍ୱରରୁ ଗିରଫ

ନକଲି କଲେଜ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ଯମୁନାଦେବୀ ଯୁକ୍ତ ୨ କଲେଜ ଅଧ୍ୟକ୍ଷ ତଥା ମାନେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ତୁଷାର ରଞ୍ଜନ ବାରିକଙ୍କୁ ଗିରଫ କରିବା ପାଇଁ ବୁଧବାର ରାତିରେ ସମ୍ବଲପୁର ପୁଲିସ୍‌ର ୨ ଜଣିଆ ଟିମ୍‌ ଭୁବନେଶ୍ୱର ଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଏକ ହୋଟେଲରୁ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର