ରାଜନଗର: ଶନିବାର ବିଦ୍ୟାଳୟ ଛୁଟି ହେବା ପରେ ପରିଚାଳନା କମିଟି ସଦସ୍ୟଙ୍କ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ୨ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ବିକି ଦେଲେ। ଜଣେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଳୟ ବାହାରେ ଛିଡ଼ା ହୋଇ କିଏ ଆସୁଛି ନ ଆସୁଛି ଏବଂ ବାହାର ସ୍ଥିତି ଉପରେ ନଜର ରଖିଥିଲେ। ହେଲେ, ସେହି ୱାର୍ଡର ୱାର୍ଡସଭ୍ୟାଙ୍କ ସ୍ବାମୀ ବିଦ୍ୟାଳୟରୁ ଚାଉଳ ଯିବାର ଦୃଶ୍ୟ ଦେଖି ନେଇଥିଲେ। ଚାଉଳ କେଉଁଆଡେ ଗଲା ଓ କାହିଁକି ଗଲା ବୋଲି ପ୍ରଧାନଶିକ୍ଷକଙ୍କୁ ପଚାରିଥିଲେ। ଗଣେଶ ପୂଜା ପାଇଁ ୨ବସ୍ତା ଚାଉଳ ବିକିଥିବା ନେଇ ପ୍ରଧାନଶିକ୍ଷକ ସ୍ବୀକାର କରିଥିଲେ। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି। ରାଜନଗର ବ୍ଲକ୍ ସାନବଡଗୋପାଳପୁର ପଂଚାୟତ ନୁରୁଗାଁ ନୋଡାଲ ଉପ୍ରା ବିଦ୍ୟାଳୟ ଆଜି ବିଦ୍ୟାଳୟ ଛୁଟି ହେବା ପରେ ୨ବସ୍ତା ଚାଉଳ ପ୍ୟାକେଟ ବିଦ୍ୟାଳୟ ବାହାରକୁ ପଠାଇ ଦିଆଯାଇଛି।
କୁଇଂଟାଲ ୧୬ଶହ ଟଙ୍କା ଦରରେ ଏହି ଚାଉଳ ବିକ୍ରି କରାଯାଇଛି। ଅତି ସତର୍କତାର ସହିତ ବାହାରେ ଲୋକ ଜଗାଇ ଚାଉଳ ସ୍ଥାନାନ୍ତର କରିବା ବେଳେ ୱାର୍ଡସଭ୍ୟାଙ୍କ ସ୍ବାମୀ ଅଜୟ କୁମାର ବାରିକ ଏହାକୁ ଦେଖି ନେଇଥିଲେ। ଏପରିକି ଚାଉଳ ବିକ୍ରି ଖବର ପାଇବା ପରେ କିଛି ଅଭିଭାବକ ଏ ନେଇ ବିଦ୍ୟାଳୟରେ ପହଞ୍ଚି ପଚାରିବା ପରେ ସେଠାରେ ଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଭିଭାବକଙ୍କୁ ଖରାପ ବ୍ୟବହାର କରିଥିଲେ। ୱାର୍ଡସଭ୍ୟାଙ୍କ ସ୍ବାମୀ ଏହି ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି ସଂପର୍କରେ ପ୍ରଧାନଶିକ୍ଷକ ଉତ୍ତମ କୁମାର ମଲ୍ଲିକଙ୍କୁ ଟେଲିଫୋନ ଯୋଗେ ପଚାରିଥିଲେ। ଗଣେଶ ପୂଜା ପାଇଁ କମିଟି ନିଷ୍ପତ୍ତି କ୍ରମେ ଚାଉଳ ବିକ୍ରି ହୋଇଥିବା ପ୍ରଧାନଶିକ୍ଷକ ସ୍ବୀକାର କରିଥିଲେ। ଏପରିକି କେବଳ ଆଜିର ଘଟଣା ନୁହେଁ, ଅଳ୍ପଦିନ ତଳେ ମଧ୍ୟ ଚାଉଳ ବିକ୍ରି ହୋଇଥିବା ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ପଚରାଯାଉଥିବା ବାର୍ତ୍ତାଳାପର ଅଡିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଏ ସଂପର୍କରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ବିଦ୍ୟାଳୟରେ ଥିବା ଚାଉଳ ଫିମ୍ପି ମାରି ଯାଇଥିଲା। ତାକୁ ବିକି ପୂଜାରେ ଖର୍ଚ୍ଚ କରିବାକୁ କମିଟି ନିଷ୍ପତ୍ତି ନେଇଥିଲା। ସେହି ଆଧାରରେ ଚାଉଳ ବିକ୍ରି ହୋଇଛି ବୋଲି କହିଛନ୍ତି। ଯଦି ଚାଉଳ ଖାଇବା ଅନୁପଯୋଗୀ ଥିଲା ଏବଂ ଫିମ୍ପି ମାରି ଯାଇଥିଲା, ତାହା ବଜାରରେ ବିକ୍ରି ହେବା ଯୋଗ୍ୟ ହେଲା କିପରି? ଏହାବାଦ୍ ମଧ୍ୟାହ୍ନଭୋଜନ ଚାଉଳ ବିଦ୍ୟାଳୟର ରେକର୍ଡ ଅନୁଯାୟୀ ଠିକ୍ ଥିବା ବେଳେ ଏହି ୨ ବସ୍ତା ଚାଉଳ ବଳକା ଆସିଲା କିପରି ବୋଲି ପ୍ରଶ୍ନ ଉଠିଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦେଖାଇ ମଧ୍ୟାହ୍ନଭୋଜନ ଲୁଟ୍ ହେଉଥିବା ଏହା ପ୍ରମାଣ ବୋଲି ଚର୍ଚ୍ଚା ହେଉଛି।