ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସବ୍ଜେଲରୁ ପାଚେରୀ ଡେଇଁ ଜଣେ କଏଦୀ ଶନିବାର ପୁଣି ଥରେ ଫେରାର ହୋଇଛି। କଏଦୀ ଜଣକ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜେଲରୁ ଫେରାର ହୋଇଛି। ପ୍ରଥମ ଥର କଏଦୀ ଯେତେବେଳେ ଜେଲ୍ରୁ ଫେରାର ଥିଲା, ପୁଲିସ ତାକୁ ଗୋଟିଏ ଦିନ ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲା।
ସୂଚନା ଅନୁସାରେ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡୁଆସାହିର ତପନ କୁମାର ରାଉତ (୨୭)କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଗିରଫ କରି ଜୁଲାଇ ୯ରେ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଖଣ୍ଡପଡ଼ା ସବ୍ଜେଲକୁ ପଠାଇ ଦିଆଯାଇଥିଲା।
ଗୋଟିଏ ରାତି ଜେଲରେ ରହିବା ପରେ ୧୦ ତାରିଖ ସକାଳେ ତପନ ଜଳଖିଆ ଖାଇଥିବା ବେଳେ ଦିନ ୧୧ଟା ୪୫ ମନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ସମସ୍ତ କଏଦୀଙ୍କୁ ଡକାଯାଇଥିଲା। ସମସ୍ତେ ଖାଇବାକୁ ଆସିବାର ସୁଯୋଗ ନେଇ ତପନ ନିଜ ଗାମୁଛା ଓ ଏକ ଇଟାର ସାହାରା ନେଇ ୯ ଫୁଟର ପାଚେରୀ ଡେଇଁ ଫେରାର ହୋଇଯାଇଥିଲା।
ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ଥାନାଧିକାରୀ ବିମଳ କୁମାର ମଲ୍ଲିକ ସଦଳବଳେ ୧୧ ତାରିଖ ରାତିରେ ତପନ ଘରେ ଚଢ଼ାଉ କରି ତାକୁ ଗିରଫ କରିବା ପାଇଁ ସକ୍ଷମ ହୋଇଥିଲେ।