ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ବିଭିନ୍ନ ଗ୍ରାମରେ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ, କିଛି ଭଦ୍ର ଠକ ମହିଳା ଓ ବ୍ୟକ୍ତି ମିଶି ଗରିବ ନିରିହ ମହିଳାମାନଙ୍କୁ ଭୁଲାଇଫୁସଲାଇ ତାଙ୍କଠାରୁ ଋଣ କରାଇ ଲକ୍ଷଲକ୍ଷ ଟଙ୍କା ନେଇ ଫେରାର୍ ହେଉଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହେଉଛି। ଏପରିକି ଦୁଇଦିନ ପୂର୍ବରୁ ଜଣେ ମହିଳା ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇ ସୁଝି ନପାରିବାରୁ ବାଧ୍ୟ ହୋଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି। ତେବେ ଗ୍ରାମାଂଚଳ ବ୍ୟତୀତ ସହରର କିଛି ମହିଳାଙ୍କୁ ମଧ୍ୟ ଭୁଲାଇ ଫୁସଲାଇ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଏକ ଦମ୍ପତି ଫେରାର୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ଅନୁଯାୟୀ ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ପୌରପରିଷଦର ସାକିଲାଡିହି ଗ୍ରାମର ବାପୁନ ମହାନ୍ତଙ୍କ ସ୍ତ୍ରୀ ରାନୀ ମହାନ୍ତ(୨୦)ଙ୍କ ସମେତ ୧୫ ରୁ ଅଧିକ ମହିଳାଙ୍କ ଠାରୁ ତଙ୍କ ଘର ପାଖରେ ଦୀର୍ଘ ବର୍ଷ ଧରି ଭଡା ରହୁଥିବା କୃଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ କଳ୍ପଲତା ପାତ୍ର ଏବଂ ତାଙ୍କ ପରିବାରର ସଦସ୍ୟ ମାନେ ମିଶି ଭୁଲାଇଫୁସଲାଇ ତାଙ୍କ ନିକଟରୁ ୪୦ ଲକ୍ଷରୁ ଅଧିକ ଟଙ୍କା ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଋଣ ନେଇ କିଛି ମାସ ଠିକ୍ ଠାକ୍ ସୁଝିଲା ପରେ ଏକ ମାସରୁ ଅଧିକ ହେବ ସେମାନେ ଧରାଛୁଆଁ ଦେଉନାହାଁନ୍ତି।

ସେପଟେ ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟମାନେ ବାରମ୍ବାର ଘରକୁ ଯାଇ ମହିଳା ମାନଙ୍କୁ ଟଙ୍କା ମାଗୁଛନ୍ତି। ଏପରିକି ବିଭିନ୍ନ କଟୁ ଭାଷାରେ ଗାଳି କରୁଥିବା ନେଇ ଅଭିଯୋଗ କରିଛନ୍ତି। ଫଳରେ ନିରୀହ ମହିଳାମାନେ ମାନସିକ ଚାପରେ ରହୁଛନ୍ତି। ଏପରିକି ଗ୍ରାମବାସୀଙ୍କ ସମ୍ମୁଖ୍ୟରେ ଅପମାନିତ ମଧ୍ୟ କରୁଛନ୍ତି। ତେବେ ପରବର୍ତୀ ସମୟରେ ଉଭୟ ଦମ୍ପତି ଟଙ୍କା ନେଇ କୁଆଡେ ଫେରାର୍ ହୋଇଯିବା ପରେ ମହିଳାମାନେ ବାଧ୍ୟ ହୋଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଥାନାରେ ଅଭିଯୋଗକୁ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ପୁଲିସ୍ ଉଭୟ ଦମ୍ପତି ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଗିରଫ କରାଯାଉନଥିବାରୁ ଗୁରୁବାର ସନ୍ଧ୍ୟାରେ ୧୫ରୁ ଅଧିକ ମହିଳା ଥାନାକୁ ଯାଇ ପଚାରି ବୁଝିଥିଲେ।

ତେବେ ମହିଳା ମାନେ ଥାନାକୁ ଯାଇ କ୍ଷଭ ପ୍ରକାଶ କରିବା ପରେ ଥାନାର କର୍ମଚାରୀ ମାନେ ଟଙ୍କା ନେଇ ଫେରାର୍ ହୋଇଥିବା ଦମ୍ପତିଙ୍କୁ ଖୋଜିବାକୁ ବାହାରିଥିବା ସୂଚନା ମିଳିଛି। ଏନେଇ ରାଇରଙ୍ଗପୁର ଟାଉନଥାନାରେ କୃଷ୍ଣଚନ୍ଦ୍ର ପାତ୍ର, କଳ୍ପଲତା ପାତ୍ର, ରୁଦ୍ରନାରାୟଣ ପାତ୍ର, ରବି ପାତ୍ର, ପୁଷ୍ପଲତା ପାତ୍ର, ଦେବାଶିଷ ପାତ୍ର, ଗୁଡୁ ପାତ୍ରଙ୍କ ନାମରେ ଠକେଇ ମାମଲାରେ କେସ୍ ନଂ ୨୩୧/୨୪ ରେ ଏକ ମାମଲା ରୁଜୁ ହୋଇଛି। ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ହେଲା ସମସ୍ତ, ସାଟିଙ୍ଗ୍, ବନ୍ଧନ, ସୂର୍ଯ୍ୟୋଦୟ, ଏସକେଏସ୍, ଅକ୍ସିସ୍, ଆଇଡିଏଫସି, ଉତ୍କର୍ସ,ଏକ୍ସ.ସି ପ୍ରମୁଖ। ତେବେ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନଙ୍କ ଜୁଲମ୍ ବଢିବାରେ ଲାଗିଛି।