ଜଗତସିଂହପୁର ସହରରେ ଛନକା: ସନ୍ ହସ୍ପିଟାଲ-କ୍ଲିନିକ୍‌କୁ ସିଲ୍ କଲା ପ୍ରଶାସନ

ଡାକ୍ତରଙ୍କୁ ଦେଖାଇବାକୁ ଆସିଥିବା ରୋଗୀଙ୍କ ଠାରୁ ବାହାରିଲା କରୋନା, ୧୦ କର୍ମଚାରୀଙ୍କୁ ବଡ଼ବାଗ କ୍ୱାରେଣ୍ଟିନ୍‌କୁ ସ୍ଥାନାନ୍ତର

ଜଗତସିଂହପୁର ଟାଉନ୍‌: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସନ୍ ହସ୍ପିଟାଲ-କ୍ଲିନିକ୍‌କୁ ଆଜି ସନ୍ଧ୍ୟାରେ ସିଲ୍ କରିଛି ପ୍ରଶାସନ । ସମ୍ପୂର୍ଣ୍ଣ ଅଂଚଳକୁ ସାନିଟାଇଜ୍ କରାଯାଇଛି । ତେବେ ଆଜି ସନ୍ ହସ୍ପିଟାଲ-କ୍ଲିନିକ୍‌କୁ ଆସିଥିବା ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନା ମୁତାବକ ରଘୁନାଥପୁର ବ୍ଳକ୍ ପୁରୁଣାବସନ୍ତ ପଂଚାୟତର ପୂର୍ବତନ ସରପଂଚଙ୍କ ଦେହ ଖରାପ ହେବାରୁ ସେ ଆଜି ଜଗତସିଂହପୁର ସନ୍ ହସ୍ପିଟାଲ-କ୍ଲିନିକ୍‌କୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ଟିକେଟ୍ କରି ଡ. ହିମାଂଶୁ ନନ୍ଦଙ୍କୁ ଦେଖାଇଥିଲେ । ହେଲେ କରୋନା ଲକ୍ଷଣ ଥିବାରୁ ଡ.ନନ୍ଦ ତୁରନ୍ତ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହାପରେ ମେଡିକାଲ ସମେତ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନ ତୁରନ୍ତ ସନ୍ ହସ୍ପିଟାଲ, ସନ୍ କ୍ଲିନିକ୍‌, ସନ୍ ମେଡିସିନ୍ ଷ୍ଟୋର ଏବଂ ସନ୍ ଡାଇଗ୍ନୋଷ୍ଟିକ୍ ସହ ସମ୍ପୂର୍ଣ୍ଣ ଅଂଚଳକୁ ସାନିଟାଇଜ୍ କରିବା ପରେ ସିଲ୍ କରାଯାଇଛି । ଜଗତସିଂହପୁର ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଉପସ୍ଥିତ ରହି ସିଧାସଳଖ ଯୋଗାଯୋଗରେ ଆସିଥିବା ୧୦ ଜଣଙ୍କୁ ବଡ଼ବାଗ କ୍ୱାରେଣ୍ଟିନ୍ ସେଣ୍ଟରକୁ ନିଆଯାଇଛି । ୪ ଜଣଙ୍କୁ ହୋମ୍ କ୍ୱାରେଣ୍ଟିନ୍ ଏବଂ ଚିକିତ୍ସା କରିଥିବା ଡାକ୍ତରଙ୍କୁ ହୋମ୍ କ୍ୱାରେଣ୍ଟିନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାଂଶ ଡାକ୍ତର ଏଠାରେ ଆସି ରୋଗୀ ଦେଖିଥାନ୍ତି । ତେବେ ଆଜି ଯେଉଁମାନେ ଆସି ଏଠାରେ ଦେଖିବା ପରେ ପୁଣି ଡାକ୍ତରଖାନାରେ ରୋଗୀ ଦେଖିଛନ୍ତି ତାକୁ ନେଇ ମଧ୍ୟ ଚିନ୍ତା ବଢ଼ି ଯାଇଛି ।

ସମ୍ବନ୍ଧିତ ଖବର