ରାଉରକେଲା: ସ୍ମାର୍ଟସିଟିରେ ଖଟାଲ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଉଭୟ ଆର୍ଏମ୍ସି ଓ ଆର୍ଏସ୍ପି ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ସହର ମଧ୍ୟରେ ଥିବା ଗୋରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଉଛି। ବର୍ଷା ଦିନେ ସମସ୍ୟା ଆହୁରି ସଙ୍ଗୀନ ହେଉଛି। କେଉଁଠି ରାସ୍ତା ଉପରେ ଗୋରୁଙ୍କ ମଳମୂତ୍ର ପାଣି ଭାସୁଛି ତ ଅନ୍ୟ କେଉଁଠି ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟ କେଉଁଠି ଅଳିଆ ଆବର୍ଜନା ପାଣି ସପ୍ତାହ ସପ୍ତାହ ଜମା ରହୁଥିବାରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପ୍ରତିବର୍ଷ ବର୍ଷା ଦିନେ ଏଭଳି ସ୍ଥିତି ଉପୁଜିଥିଲେ ହେଁ ଆଜି ଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ।
ସହର ଭିତର ଖଟାଲଗୁଡ଼ିକୁ ଉଚ୍ଛେଦ କରିବାକୁ ସ୍ଥାନୀୟ ଲୋକ ଉଭୟ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଓ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। କେବଳ ଚାପ ପଡିଲେ ଗୋରୁମାଲିକଙ୍କୁ ନୋଟିସ୍ ଓ ତାଗିଦ୍ କରି କାମ ସାରି ଦେଉଛନ୍ତି। ଆର୍ଏସ୍ପି ଓ ଆର୍ଏମ୍ସି ଏଭଳି ପନ୍ଥା ଆପଣେଇ ଥିବାରୁ ଫଳ ଭୋଗୁଛନ୍ତି ସ୍ଥାନୀୟ ଅଞ୍ଚଳର ଶହ ଶହ ପରିବାର। ଗତ କିଛି ବର୍ଷ ପୂର୍ବରୁ ସହର ଭିତରେ କାଁ ଭାଁ କେତୋଟି ଗୋରୁକୁ ଆର୍ଏମ୍ସି ଉଚ୍ଛେଦ କରିଥିଲେ। ଏବେ ସେମାନେ ପୁଣି ସହର ଭିତରେ। ଇସ୍ପାତ ସହରାଞ୍ଚଳ ଓ ରାଉରକେଲା ମହାନଗର ଅଞ୍ଚଳରେ ପାଖାପାଖି ୧୨୦ରୁ ଅଧିକ ଗୋରୁ ରହିଛି। ଇସ୍ପାତ ସହରାଞ୍ଚଳର ସେକ୍ଟର-୨ ଖରିଆବାହାଲ ବସ୍ତି, ସେକ୍ଟର-୬ ଏଚ୍ ବ୍ଲକ, ସେକ୍ଟର-୧୬, ସେକ୍ଟର-୭ ଇ ବ୍ଲକ, ସେକ୍ଟର -୩ ବଲାଙ୍ଗୀର ବସ୍ତି, ଫର୍ଟିଲାଇଜର ଏରିଆ, ବନ୍ଧମୁଣ୍ଡା, ବିଶ୍ରା-ବନ୍ଧମୁଣ୍ଡା ରୋଡ, ସେକ୍ଟର-୨୦ ଆଜାଦ ବସ୍ତି, ମିଶ୍ରା କାଞ୍ଜିଆହୁଦା, ନେହେରୁ ବସ୍ତି ଆଦି ଅଞ୍ଚଳରେ ୨୦ରୁ ଅଧିକ ଏମିତି ଛୋଟ ବଡ କାଞ୍ଜିଆହୁଦା ରହିଛି। ଅନୁରୂପ ଭାବେ ମହାନଗର ଏରିଆର ବାସନ୍ତୀ କଲୋନି ଝରଣା ବସ୍ତି, ଡିଏଭି ବସ୍ତି, ଡେଲିମାର୍କେଟ ମଛଲି ମାର୍କେଟ, କଳିଙ୍ଗ ବିହାର, ତରକେରା, ପାନପୋଷ, ବେଦବ୍ୟାସ, ଉଦିତନଗର ଶୀତଳପଡା, ସିଭିଲଟାଉନ୍ସିପ ସହ ୪୦ଟି ଖଟାଲ ରହିଛି।
ଇସ୍ପାତ ସହରାଞ୍ଚଳରେ ପ୍ରାୟ ୧୦୦ରୁ ଅଧିକ ଆର୍ଏସ୍ପି ଜମି ମାଡ଼ି ବସିଛନ୍ତି। ସେମିତି ଆର୍ଏମ୍ସି ଏରିଆରେ ପ୍ରାୟ ୫୦ ଏକର ସରକାରୀ ଜମି ଗୋରୁ ମାଲିକମାନଙ୍କ କବ୍ଜାରେ ରହିଛି। ବିଶ୍ରା -ବନ୍ଧମୁଣ୍ଡା ରାସ୍ତା ପାର୍ଶ୍ବ ଗୋରୁ ଆଶ୍ରୟସ୍ଥଳ ଯୋଗୁଁ ଦୈନିକ ଛୋଟ ବଡ ସଡ଼କ ଦୁର୍ଘଟଣା ଘଟୁଛି। କିଛି ଲୋକଙ୍କ ଜୀବନ ଯାଇଥିବାବେଳେ ଅନ୍ୟ କିଛି ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ବାସନ୍ତୀ କଲୋନି ଝରଣାବସ୍ତିର କାଞ୍ଜିଆହୁଦା କଲୋନି ଭିତରେ ରହିଛି। ପ୍ରତ୍ୟେକ ଦିନ ରାସ୍ତାଉପରେ ଅଳିଆ ଆବର୍ଜନା ପାଣି ଭାସୁଛି। ଖଟାଲ ଚତୁଃପାର୍ଶ୍ବରେ ରହୁଥିବା ଲୋକ ଘରୁ ବାହାରି ପାରୁ ନାହାନ୍ତି। ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାର ନିକଟରେ ରହୁଥିବା ପ୍ରାୟ ୩/୪ ଜଣ ଡେଙ୍ଗୁ ରୋଗ ଆକ୍ରାନ୍ତ ହୋଇଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ସହର ଭିତରେ ବୁଲୁଥିବା ଗାଈଗୋରୁ, ମଇଁଷମାନଙ୍କୁ ଉଠାଇ ନେଇ ଆର୍ଏମ୍ସି କାଞ୍ଜିଆହୁଦାରେ ରଖୁଥିଲେ। ଏବେ କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ କାଞ୍ଜିଆହୁଦା କୌଣସି କାମରେ ଆସୁନି। କାଞ୍ଜିଆହୁଦା ଦାୟିତ୍ବରେ ଥିବା କର୍ମଚାରୀମାନେ ବସି ବସି ଦରମା ପାଉଛନ୍ତି। କୋଟି କୋଟିର ମୂଲ୍ୟବାନ ସରକାରୀ ଜମି ମାଡ଼ି ବସି ବେପାର କରୁଥିବା ଖଟାଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।